ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୨୦୨୩ ମସିହା ଡିସେମ୍ବର ୨୩ ତାରିଖ ଦିନ ମାଥିଲି ପୁଲିସ ପକ୍ଷରୁ କେଶ ନମ୍ବର. ୧୧୦/୦୫ ଏବଂ ଜିଆର କେଶ ନମ୍ବର ୩୯୯/୦୫ (ଏ) ରେ ଵାରେଣ୍ଟ ଥିବା ଦର୍ଶାଇ ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ପଞ୍ଚାୟତର କଦମଗୁଡା ନିକଟସ୍ଥ କୁପୁଲିପଡା ଗ୍ରାମର ଭାଗିରଥୀ ପୂଜାରୀଙ୍କ ପୁଅ ବଳରାମ ପୂଜାରୀ(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଉପରୋକ୍ତ ମାମଲାରେ ବଳରାମ ସଂପୃକ୍ତ ନ ଥିବା ନିଜେ ତଥା ପରିବାର ଏବଂ ଗ୍ରାମବାସୀ କହିଲା ପରେ ମଧ୍ୟ ମାଥିଲି ପୁଲିସ କୋର୍ଟ ଚାଲାଣ କରିଥିଲା।ପରବର୍ତ୍ତୀ ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟରେ ପରିବାର ଲୋକେ ଅଭିଯୋଗ ଦାଖଲ କରିଥିଲେ।

Advertisment

ଆଇନ ସେବା ପ୍ରାଧିକରଣର ସଚିବ ରାକେଶ କୁମାର ମୁଦୁଲି ନିର୍ଦ୍ଦେଶରେ ଜିଲ୍ଲା ଆଇନ ସହାୟକ କେନ୍ଦ୍ରର ଅବସ୍ଥାପିତ ମୁଖ୍ୟ ଆଇନ ସହାୟକ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ, ଆଇନଜୀବୀ ରାଜେଶ ପଟ୍ଟନାୟକ, ଆଇନଜୀବୀ ସାଗର ପାଣିଗ୍ରାହୀ ଏବଂ ଆଇନଜୀବୀ ସଂଯୁକ୍ତା ଦତ୍ତ ଏହି ମାମଲା ଲଢ଼ିଥିଲେ। ଜିଲ୍ଲା ଦୌରାଜଜଙ୍କ ନିକଟରେ ଆଇନଜୀବୀମାନେ ବଳରାମ ପୂଜାରୀ ଏହି ମକଦ୍ଦମାରେ ସଂପୃକ୍ତି ନ ଥିବା ସଂପର୍କରେ ବିଭିନ୍ନ ନଥିପତ୍ର ଯଥା ଏଫଆଇଆର, ଅଭିଯୁକ୍ତଙ୍କ କଲମ, ଭୋଟ ତାଲିକା, ଆଧାରକାର୍ଡ ତଥା ପୁଲିସ ତଦନ୍ତ ସମୟରେ କିଛି ତ୍ରୁଟି ଏବଂ ଏତଲାକାରୀଙ୍କ ଶପଥ ପାଠ କରାଇ ବଳିଷ୍ଟ ପ୍ରମାଣ ମାନ୍ୟବର କୋର୍ଟରେ ଉପସ୍ଥାପନା କରିଥିଲେ।ଫଳରେ ଜିଲ୍ଲା ଦୌରା ଜଜ ଆଇନଜୀବୀମାନଙ୍କ ବଳିଷ୍ଟ ଉପସ୍ଥାପନାରେ ସହମତି ଏବଂ ସମ୍ମତି ପ୍ରକାଶ କରି ସୋମବାର ବଳରାମ ପୂଜାରୀଙ୍କୁ ଦୀର୍ଘ ୩ ମାସ ପରେ ବ୍ୟକ୍ତିଗତ ମୁଚାଲିକାରେ (ପିଆର ବଣ୍ଡ)ଜେଲରୁ ମୁକ୍ତ କରିଥିଲେ।

ପ୍ରକାଶ ଥାଉ କି ଉପରୋକ୍ତ ମାମଲା ଘଟଣା ସଂଘଟିତ ହୋଇଥିବା ସ୍ଥାନ ହେଉଛି ମାଥିଲି ବ୍ଲକର ମେକା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ। ଏହି ମାମଲାରେ ସର୍ବମୋଟ ୬୯ ଜଣ ଅଭିଯୁକ୍ତ ଥିଲେ। ପ୍ରାୟତଃ ଅଭିଯୁକ୍ତମାନେ କଉଡ଼ିଗୁଡା, କୁପୁଲିଗୁଡା, ଦାମାପଡ଼ା, ମାଟିଗୁଡ଼ା ଏବଂ ତାଳଗୁଡା ଅଞ୍ଚଳର ଏବଂ ମେକା ଗ୍ରାମ ପଞ୍ଚାୟତ ଅଞ୍ଚଳର। ଅଭିଯୋଗ ଫର୍ଦ୍ଦରେ କ୍ରମିକ ନମ୍ବରରେ ୫୦ ରୁ ୬୦ର ସମସ୍ତ ଅଭିଯୁକ୍ତ କୁପୁଲିଗୁଡ଼ା ଗ୍ରାମର ବୋଲି ଉଲ୍ଲେଖ ରହିଛି ଏବଂ ବଲାରାମ ପୂଜାରୀଙ୍କ ନାମ କ୍ରମିକ ନମ୍ବର ୫୧ ରେ ଅଛି। ତଦନ୍ତକାରୀ ପୁଲିସ ଏବଂ ଗିରଫ କାରି ପୁଲିସର ଭୁଲ ପାଇଁ ମେକା ପଞ୍ଚାୟତର କୁପୁଲିଗୁଡା, ଦାମାପଡା ଗ୍ରାମର ବଳରାମ ପୂଜାରୀ ବଦଳରେ ପାଙ୍ଗାମ ପଞ୍ଚାୟତର କୁପୁଲିଗୁଡ଼ା, କଦମଗୁଡା ବଳରାମ ପୂଜାରୀଙ୍କୁ ଗିରଫ କରି ଦୀର୍ଘ ୩ ମାସ ଜେଲ ହାଜତରେ ରଖାଯାଇଥିଲା।

ଆଇନ ବ୍ୟବସ୍ଥାରେ ହଜାରେ ଦୋଷୀ ଖସି ଯାଆନ୍ତୁ କିନ୍ତୁ ଜଣେ ନିରୀହ ଲୋକ ଯେମିତି ଦଣ୍ଡ ନ ପାଉ ବୋଲି ବ୍ୟବସ୍ଥା ଥିବା ସତ୍ବେ ପୁଲିସର ତଦନ୍ତରେ ଅପରିପକ୍ବତା ଏବଂ ଗିରଫଦାରୀ ପାଇଁ ଜଣେ ନିରୀହ ଲୋକ ଦୀର୍ଘ ୩ ମାସ ବେଆଇନ ଭାବରେ ଅଟକ ରହିବାକୁ ଆଇନଗତ ଭାବରେ ବାଧ୍ୟ ହେଲା। ଶେଷରେ ବିଳମ୍ବ ହେଲେ ମଧ୍ୟ ଅଦାଲତ ବଳରାମଙ୍କୁ ନ୍ୟାୟ ଦେବାରେ ସହାୟକ ହୋଇଥିବାରୁ ଦେଶର ନ୍ୟାୟ ବ୍ୟବସ୍ଥା ଏବଂ ନ୍ୟାୟାଳୟକୁ ଆସ୍ଥା ପ୍ରକଟ କରି କୃତଜ୍ଞତା ଏବଂ ସମ୍ମାନ ଜଣାଇଲେ ପରିବାର ଲୋକେ।