କଟକ: ବିମାନବନ୍ଦରରେ ବିକ୍ରି ହେଉଥିବା ଖାଦ୍ୟରେ ଯାତ୍ରୀଙ୍କୁ ଲୁଟ୍ କରାଯାଉଛି। ସିଙ୍ଗଡ଼ା ଗୋଟାକୁ ୧୫୦ ଟଙ୍କା ଓ ଦୋସା ୩୦୦ ଟଙ୍କାରେ ବିକ୍ରି କରାଯାଉଛି। ଏଭଳି ମାତ୍ରାଧିକ ଦର କାହିଁକି ନିଆଯାଉଛି ବୋଲି କଟକର ସମାଜସେବୀ ଡକ୍ଟର ଅଭୟ ରଂଜନ ପଟ୍ଟନାୟକ ଟୁଇଟ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇଛନ୍ତି।
ଟୁଇଟ୍ରେ ଡକ୍ଟର୍ ପଟ୍ଟନାୟକ ଲେଖିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା ଅଛି, ସେ ହିଁ ଏହି ପ୍ରସଙ୍ଗରେ କିଛି କରିପାରିବେ। ତେଣୁ ପ୍ରଧାନମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି। ଏ ପ୍ରସଙ୍ଗରେ ଡକ୍ଟର ପଟ୍ଟନାୟକ କହିଛନ୍ତି ଯେ, ଏକଦା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ହାୱାଇ ଚପଲ ପିନ୍ଧୁଥିବା ଲୋକକୁ ହାୱାଇ ଜାହାଜରେ ଉଡ଼ି ପାରିବା ଭଳି ବ୍ୟବସ୍ଥା କରାଇବେ। ହେଲେ, ଯେଉଁ ବିମାନବନ୍ଦରରେ ସିଙ୍ଗଡ଼ା ଗୋଟା ୧୫୦ ଟଙ୍କା ଓ ଦୋସା ଗୋଟା ୩୦୦ ଟଙ୍କାରେ ମିଳୁଥିବ ସେଠାରେ ହାୱାଇ ଚପଲ ପିନ୍ଧୁଥିବା ସାଧାରଣ ଲୋକ କେମିତି ଖର୍ଚ୍ଚ ଦେଇ ଯାଇପାରିବ? ପ୍ରଧାନମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିବା କହିଛନ୍ତି।