କେଉଁଠି ଜୀବନ… କେଉଁଠି ମରଣ

ଜଙ୍ଗଲ,ଆମ୍ବୁଲାନ୍‌ସରେ ପ୍ରସବ, ଗଛରେ ଧକ୍କା ହେଲା ଆମ୍ବୁଲାନ୍ସ ନାବଜାତ ଶିଶୁକନ୍ୟାର ମୃତ୍ୟୁ

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲ୍ଲାରେ ଗର୍ଭବତୀଙ୍କ ପିଛା ଛାଡ଼ୁନି ଦୁର୍ଦଶା। କଲବଲ ହୋଇ କେତେବେଳେ ଖଟିଆରେ ତ’ ଆଉ କେତେବେଳେ ଭାରରେ ବୁହା ହେଉଛନ୍ତି। ପୁଣି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବାଟଘାଟରେ ପ୍ରସବ କରୁଛନ୍ତି। ଆଜି ଗୋଟିଏ ଦିନରେ, ଗୋଟିଏ ଗାଁର ଦୁଇ ଦୁଇ ଜଣ ଗର୍ଭବତୀ ଯନ୍ତ୍ରଣାରେ ଜର୍ଜରିତ ହୋଇଛନ୍ତି। ଜଣେ ଜଙ୍ଗଲରେ ଏବଂ ଅନ୍ୟ ଜଣେ ଆମ୍ବୁଲାନ୍‌ସରେ ପ୍ରସବ କରିଛନ୍ତି। ପ୍ରଥମ ଘଟଣାଟି କୋରକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ମନ୍ତ୍ରୀଆମ୍ବ ଗାଁର। ଏହି ଗ୍ରାମର ଗର୍ଭବତୀ ପଦ୍ମିନୀ ଆଜି ପ୍ରସବଜନିତ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍‌ସ ଗନ୍ତବ୍ୟ ଅଭିମୁଖେ ବାହାରିଲା ସତ। ହେଲା ଗାଁରେ ପହଞ୍ଚି ପାରିଲା ନାହିଁ। ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ, ୮କିଲୋମିଟର ଦୂରରେ ଆମ୍ବୁଲାନ୍‌ସ ଅଟକିଗଲା। ଯାହାଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଗର୍ଭବତୀ ପଦ୍ମିନୀଙ୍କୁ ଭାରରେ ବୋହି ୮ କିଲୋମିଟର ବାଟ ଚାଲି ଚାଲି ଆସି ଆମ୍ବୁଲାନ୍‌ସ ନିକଟରେ ପହଞ୍ଚିଥିଲେ। ଏହାପରେ ଓର୍କେଲ ଚିକିତ୍ସାଳୟକୁ ନେଉଥିବା ବେଳେ ଆମ୍ବୁଲାନ୍‌ସ ଭିତରେ ହିଁ ପଦ୍ମିନୀ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ସେହିପରି ଦ୍ବିତୀୟ ଘଟଣାଟି ଗତକାଲି ରାତିର। ସେହି ମନ୍ତ୍ରୀଆମ୍ବ ଗାଁର ମୋତି ଗତକାଲି ସଂଧ୍ୟାରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଯୁବକମାନେ ଭାରରେ ବୋହି ନେଉଥିବା ବେଳେ ଜଂଗଲରେ ମୋତି ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସରକାର ଗର୍ଭବତୀଙ୍କ ପାଇଁ ଯୋଜନା କରିଛନ୍ତି ସତ। କିନ୍ତୁ ମାଲକାନଗିରି ଜିଲ୍ଲା‌‌େର ସ୍ଥିତି ଏମିତି ରହିଛି ଯେ ପହଞ୍ଚିବା ପୂର୍ବରୁ ବାରମ୍ବାର ଅଘଟଣ ଘଟୁଛି। ପ୍ରତିଦିନ ଜିଲ୍ଲାର କେଉଁଠି ନା କେଉଁଠି ଭାର କିମ୍ବା ଆମ୍ବୁଲାନ୍‌ସରେ ଗର୍ଭବତୀ ବୁହା ହୋଇ ମେଡିକାଲ ଆସୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗାଁକୁ ରାସ୍ତା ନଥିବା ହେତୁ ଏମିତି ଘଟଣା ସବୁ ଘଟୁଛି। ତେଣୁ ତୁରନ୍ତ ଏହାର ସମାଧାନ ବାହାର କରିବାକୁ ସାଧାରଣରେ ଦାବି ହେଉଛି।

ଗଛରେ ଧକ୍କା ହେଲା ଆମ୍ବୁଲାନ୍ସ, ନାବଜାତ ଶିଶୁକନ୍ୟାର ମୃତ୍ୟୁ

ପାଟଣା: ପଟଣା ଥାନା ତିଳବେଡ଼‌ା ନିକଟରେ ଏକ ୧୦୨ ଆମ୍ବୁଲାନ୍ସ ଗଛକୁ ଧକ୍କା ଦେଇ ଓଲଟି ପଡ଼ିବାରୁ ନବଜାତ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ ଆଜି ଚାକୁଣ୍ଡାପାଳ ଗ୍ରାମର ଜଣେ ଆଦିବାସୀ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ୧୦୨ ଆମ୍ବୁଲାନ୍ସରେ କରଞ୍ଜିଆ ମେଡିକାଲ ନିଆଯାଉଥିଲା। ତିଳପଡ଼ା ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେବା ସହ ଓଲଟି ପଡ଼ିଥିଲା। ଏହି ସମୟରେ ମହିଳା ଜଣଙ୍କ ରାସ୍ତା କଡ଼ରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଉଭୟ ମା’ ଓ ଶିଶୁକୁ ଏକ ୧୦୮ ଆମ୍ବୁଲାନ୍ସରେ କରଞ୍ଜିଆ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଶିଶୁକନ୍ୟାକୁ ଡାକ୍ତର ମୃତ ଘୋଷଣା କରିଛନ୍ତି ବୋଲି ସାହାରପଡ଼ା ଫାଣ୍ଡି ଅଧିକାରୀ ଅଶୋକ କୁମାର ପହି କହିଛନ୍ତି। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ଅଛି। ପୁଲିସ ତାକୁ ଖୋଜୁଛି।

ସମ୍ବନ୍ଧିତ ଖବର