ସେସୁରେ ୪୯% ଅଂଶଧନ ରଖିବାକୁ ସରକାରଙ୍କ ମଞ୍ଜୁରି, ଘରୋଇକରଣ ପାଦେ ଆଗେଇଲା

ଭୁବନେଶ୍ବର: ସେସୁର ଘରୋଇକରଣ ପାଇଁ ଚାଲିଥିବା ଲମ୍ବା ପ୍ରକ୍ରିୟା ଆଉ ପାଦେ ଆଗେଇଛି। ଘରୋଇ ସଂସ୍ଥା ହାତରେ ୫୧ ପ୍ରତିଶତ ଓ ସରକାରଙ୍କ ହାତରେ ୪୯ ପ୍ରତିଶତ ଅଂଶଧନ ରଖିବା ପ୍ରସ୍ତାବକୁ ସରକାର ବିଧିବଦ୍ଧ ମଞ୍ଜୁରି ଦେଇଛନ୍ତି। ଏ ନେଇ ଶକ୍ତି ବିଭାଗ ପକ୍ଷରୁ ଗତ ୧୩ ତାରିଖରେ ଓଇଆର୍‌ସିଙ୍କୁ ଜଣାଇ ଦିଆଯାଇଛି। ସେସୁର ଘରୋଇକରଣ ପ୍ରକ୍ରିୟା ଦୀର୍ଘ ଦିନ ଧରି ଚାଲୁ ରହିଛି। ୨୦୦୧ ମସିହାରେ ସେସୁର ପରିଚାଳନାରୁ ଏଇଏସ୍‌ କର୍ପୋରେସନ୍ ଓହରିଗଲା ପରେ ଓଇଆର୍‌ସି ହାତରେ ସେସୁର ପରିଚାଳନା ଭାର ନ୍ୟସ୍ତ ‌େହାଇଥିଲା। ସେବେଠାରୁ ଓଇଆର୍‌ସି ପାଖରେ ସେସୁର ୫୧ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ପାଖରେ ୪୯ ପ୍ରତିଶତ ଅଂଶଧନ ରହିଛି। ଏକାଧିକ ଥର ସେସୁର ଘରୋଇକରଣ ପାଇଁ ଓଇଆର୍‌ସି ପକ୍ଷରୁ ଉଦ୍ୟମ ହୋଇଥିଲେ ବି ତାହା ସଫଳ ହୋଇ ନ ଥିଲା। ଘରୋଇକରଣକୁ ବିରୋଧ କରି ବିଭିନ୍ନ ସମୟରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

୨୦୧୭ ମସିହାରେ ଶେଷ ଥର ପାଇଁ ସେସୁର ଘରୋଇକରଣ ନିମନ୍ତେ ଓଇଆର୍‌ସି ପକ୍ଷରୁ ଟେଣ୍ଡର୍‌ ଡକାଯାଇଥିଲା। ଏହା ମଧ୍ୟରେ ଟେକ୍ନିକାଲ ବିଡ୍‌ ଓ ଫାଇନାନ୍ସିଆଲ୍‌ ବିଡ୍‌ ଖୋଲାସରିଛି। କିନ୍ତୁ ସରକାରଙ୍କଠାରୁ ଚୂଡ଼ାନ୍ତ ମଞ୍ଜୁରୀ ମିଳି ନ ଥିବାରୁ ତାହା ଅଟକି ରହିଛି। ଘରୋଇକରଣ ପ୍ରକ୍ରିୟାରେ ଘରୋଇ ସଂସ୍ଥା ହାତରେ ୫୧% ଓ ସରକାରଙ୍କ ହାତରେ ୪୯% ଅଂଶଧନ ରହିବ। ଯେଉଁ ସଂସ୍ଥା‌ ଯୋଗ୍ୟ ବିବେଚିତ ହେବ, ସେହି ସଂସ୍ଥା ସେସୁର ପୁଞ୍ଜିନିବେଶ କରିବା ସହ ପରିଚାଳନା ଦାୟିତ୍ବରେ ୨୫ ବର୍ଷ ପର୍ଯ୍ୟନ୍ତ ରହିବ। ବର୍ତ୍ତମାନ ସେସୁ ଅଧୀନରେ ରାଜ୍ୟର ୧୯ ପ୍ରତିଶତ ଅଞ୍ଚଳ ରହିଛି। ଭୁବନେଶ୍ବର, କଟକ, ପାରାଦୀପ ପରି ପ୍ରମୁଖ ଅଞ୍ଚଳରେ ବିଦ୍ୟୁତ ବିତରଣ ଦାୟିତ୍ବରେ ସେସୁ ରହିଛି। ସେସୁ ଉପ‌ରେ ୨୦୦୦ କୋଟି ଟଙ୍କାରୁ ଅଧିକ ଋଣ ଭାର ରହିଛି।

ସମ୍ବନ୍ଧିତ ଖବର