କଟକ: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରକ୍ତ ଶିକୁଳି ରୋଗର ଚିକିତ୍ସା ପାଇଁ ୱାନ୍ ଷ୍ଟପ୍ ସେଣ୍ଟର୍ ବା ଗୋଟିଏ ସ୍ଥାନରେ ସମସ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରାଯିବ। ଏଥିସହ ଆବଶ୍ୟକୀୟ ମେସିନ୍ ବି ଯୋଗାଇ ଦିଆଯିବ। କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ଗୋଟିଏ ସ୍ଥାନରେ ରୋଗୀମାନଙ୍କର ଚିକିତ୍ସା, ପରୀକ୍ଷାନିରୀକ୍ଷା, ଆଇସିୟୁ ସୁବିଧା, ୱାର୍ଡ, ଔଷଧ ବିତରଣ, ଆଦି ସୁବିଧା ଉପଲବ୍ଧ ହେବ। ଆଜି ୟୁନିସେଫର ଏକ ତିନିଜଣିଆ ଟିମ୍ ଓ ଜାତୀୟ ସ୍ୱାସ୍ଥ୍ୟ ମିସନ୍ର ଏକ ଟିମ୍ ମିଳିତ ଭାବେ ଏସ୍ସିବି ପରିଦର୍ଶନ କରି ହେମାଟୋଲୋଜି ବିଭାଗର ଲାବୋରେଟୋରି, ଡେ କେୟାର ସେଣ୍ଟର, ବିଏମ୍ଟି ସେଣ୍ଟର, ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ରକ୍ତଶିକୁଳି ରୋଗର ଚିହ୍ନଟ, ଚିକିତ୍ସା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ପାଇଁ କିଭଳି ଉନ୍ନତ ମାନର ସୁବିଧା ଉପଲବ୍ଧ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି।
ଭିତ୍ତିଭୂମି ଯାଞ୍ଚ କଲା ୟୁନିସେଫ୍ ଟିମ୍; କେନ୍ଦ୍ର ଦେଇଛି ୪.୬୦ କୋଟି
ସେଣ୍ଟର ଅଫ୍ କମ୍ପିଟେନ୍ସ (ସିଓସି ) ଘୋଷଣା କରାଯାଇଥିବା କଟକ ବଡ଼ଡାକ୍ତରଖାନାର ହେମାଟୋଲୋଜି ବିଭାଗରେ ରକ୍ତଶିକୁଳି ରୋଗକୁ ନେଇ ଚିକିତ୍ସା ସହ, ଅଧ୍ୟୟନ ଓ ଗବେଷଣା କାର୍ଯ୍ୟ ଜାରି ରହିଛି। ଭାରତ ସରକାରଙ୍କ ନିୟମାବଳୀ ଅନୁଯାୟୀ ସିଓସି ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିସନ ଅତିରିକ୍ତ କର୍ମଚାରୀ ଏବଂ ଭିତ୍ତିଭୂମି ଯୋଗାଇଦେବା ନିୟମ ରହିଛି। ଖୁବଶୀଘ୍ର ହେମାଟୋଲୋଜି ବିଭାଗ ଅଧୀନରେ ଏକ ହାଇଏଣ୍ଡ ମଲିକ୍ୟୁଲାର ଟେଷ୍ଟିଂ ମେସିନ୍ ସ୍ଥାପନ କରାଯିବ। କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଅଧୀନରେ ୨୦୪୭ ମସିହା ସୁଦ୍ଧା ସିକିଲସେଲ ନିରାକରଣ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ କଟକ ବଡ଼ମେଡିକାଲରେ ୱାନ୍ ଷ୍ଟପ୍ ସେଣ୍ଟର ଖୋଲାଯିବ ଏବଂ ଏଥିପାଇଁ କେନ୍ଦ୍ର ସରକାର ୪.୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରକ୍ତ ଶିକୁଳି ରୋଗର ଚିହ୍ନଟ ନିମନ୍ତେ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଆବଶ୍ୟକୀୟ ପରୀକ୍ଷଣ ସୁବିଧା ଯୋଗାଇ ଦିଆଯିବ। ବର୍ତ୍ତମାନ ୨୧ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରକ୍ତ ଶିକୁଳି ରୋଗର ଚିହ୍ନଟ ନିମନ୍ତେ ଆବଶ୍ୟକ ପରୀକ୍ଷଣ ସୁବଧା ଉପଲବ୍ଧ ରହିଛି। ୟୁନିସେଫର ହେଲଥ ଅଫିସର ଡାକ୍ତର ବ୍ରଜେଶ ରାଜ୍ ମେରଟାଙ୍କ ନେତୃତ୍ୱରେ ଆସିଥିବା ତିନିଜଣିଆ ଦଳରେ ଷ୍ଟେଟ୍ କନସଲଟାଣ୍ଟ ଡକ୍ଟର ସମ୍ବିତ୍ ଜେନା, ମାତୃ ସ୍ୱାସ୍ଥ୍ୟ ସଂଯୋଜକ ହେମନ୍ତ କୁମାର ଦାସ, ଏସ୍ଏଚ୍ଏସ୍ଆର୍ସିର ଟିମ୍ ଲିଡର୍ ଡାକ୍ତର ଦୀନବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ହେମାଟୋଲୋଜି ବିଭାଗର ପ୍ରଫେସର ଡାକ୍ତର ଆର କେ ଜେନା ଓ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧା ସେଠୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।