ରାଜ୍ୟର ୩୦ଟି ଜିଲ୍ଲାରେ ଖୋଲିଲା ୱାନ୍ ଷ୍ଟପ୍ ସେଣ୍ଟର୍‌ ‘ସଖୀ’

ଭୁବନେଶ୍ବର : ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଗୋଟିଏ ଛାତ ତଳେ ଶାରୀରିକ ଓ ମାନସିକ ଚିକିତ୍ସା ସହ ନ୍ୟାୟ ପ୍ରଦାନ ନିମନ୍ତେ ଆଇନ ସହାୟତା ଯୋଗାଇଦେବା କ୍ଷେତ୍ରରେ ମହିଳା ଓ ଶିଶୁ ବିକାଶ ଓ ମିସନ୍ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ କରୁଛି ୱାନ୍ ଷ୍ଟପ୍ ସେଣ୍ଟର୍‌ ‘ସଖୀ’। ପର୍ଯ୍ୟାୟକ୍ରମେ ଏହି କେନ୍ଦ୍ର ବିଭିନ୍ନ ଜିଲ୍ଲାରେ ଖୋଲିଛି। ଗତକାଲି ବାଲେଶ୍ବର ଓ ଆଜି ଝାରସୁଗୁଡ଼ାରେ ଏହି କେନ୍ଦ୍ର ଖୋଲିବା ପରେ ଏବେ ରାଜ୍ୟର ୩୦ଟି ‌ଜିଲ୍ଲାରେ ‘ସଖୀ’ କାର୍ଯ୍ୟକ୍ଷମ ହୋଇଛି। ୨୦୧୫ ଅକ୍ଟୋବର ୧ ତାରିଖରେ ପ୍ରଥମ ‘ସଖୀ’ କେନ୍ଦ୍ର ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା।

ପାରିବାରିକ ହିଂସା, ଯୌତୁକ ନିର୍ଯାତନା, ବଳାତ୍କାର, ମହିଳା ଚାଲାଣ, ଯୌନ ଉତ୍ପୀଡ଼ନ ପରି ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଉଦ୍ଧାର କରାଯାଇ ‘ସଖୀ’ କେନ୍ଦ୍ରରେ ରଖାଯାଇଥାଏ। ଏଠାରେ ପୀଡ଼ିତାଙ୍କୁ ଡାକ୍ତରୀ ଚିିକିତ୍ସା, ମାନସିକ ସହାୟତା ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଆଇନ ପରାମର୍ଶ ଯୋଗାଇ ଦିଆଯାଇଥାଏ।

ହିଂସାର ଶିକାର ହୋଇଥିବା ଯେ କୌଣସି ୧୮ ବର୍ଷ ବୟସରୁ କମ୍ ମହିଳା ଓ ବାଳିକା ଏହି ୱାନ୍ ଷ୍ଟପ୍ ସେଣ୍ଟର୍‌ ଜରିଆରେ ଡାକ୍ତରୀ ସହାୟତା ପାଇବା ସହ ନିକଟସ୍ଥ ଥାନାରେ ଏଫ୍‌ଆଇଆର୍‌ ଦାଖଲ କରିପାରିବେ। ସେହିପରି ଘରୋଇ ହିଂସା ଆଇନ-୨୦୦୫ ଅନୁଯାୟୀ ପାରିବାରିକ ହିଂସା ରିପୋର୍ଟ ଦାଖଲ କରିବା ଦିଗରେ ସୁରକ୍ଷା ଅଧିକାରୀଙ୍କ ସହାୟତା ନେଇପାରିବେ। ଉଚ୍ଚଶିକ୍ଷିତ ଓ ଦକ୍ଷ କେନ୍ଦ୍ର ପରିଚାଳକ ତଥା କାଉନ୍‌ସେଲର୍‌ମାନଙ୍କ ଦ୍ବାରା ପରିଚାଳିତ ଏହି କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରିଥାଏ। କେନ୍ଦ୍ରଗୁଡ଼ିକ ଜିଲ୍ଲା ଚିକିତ୍ସାଳୟ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଆଶ୍ରୟ ଗୃହ, ଓଡ଼ିଶା ରାଜ୍ୟ ମହିଳା କମିସନ୍‌ଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିଥାଏ।

ସମ୍ବନ୍ଧିତ ଖବର