ବିଦ୍ୟାଳୟରେ ଫଳକ ଭୁଶୁଡି ଛାତ୍ରର ମୃତ୍ୟୁ

ବ୍ରହ୍ମପୁର: ବିଦ୍ୟାଳୟରେ ନିର୍ମାଣଧୀନ ଫଳକ ଭୁଶୁଡି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି | ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମ ବ୍ଲକର ଆଉଁଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଅଘଟଣ ଘଟିଛି | ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନରେ ଖେଳ ଛୁଟି ସମୟରେ ଷଷ୍ଠ ଶ୍ରେଣୀର ଶ୍ୟାମ ଦାସ ଏହି ଫଳକ ପାଖରେ ଖେଳୁଥିଲେ |

ତେବେ ହଠାତ ଏହି ଫଳକଟି ଭୁଶୁଡିପଡିଥିଲା | ଯାହାଫଳରେ ଫଳକ ତଳେ ଚାପି ହୋଇ ଶ୍ୟାମ ରହିଯାଇଥିଲେ | ତୁରନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ତେବେ ଆଜି ସକାଳ ୬ଟାରେ ଶ୍ୟାମର ମୃତ୍ୟୁ ହୋଇଯାଇଥିଲା | ମୁଣ୍ଡ ଓ ଛାତିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବାର ଡାକ୍ତର କହିଛନ୍ତି |

ଏ ନେଇ ପୁରୁଷୋତ୍ତମପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି | ତେବେ ଏ ନେଇ ଆଉଁଗୁ ଗାଁରେ ଶୋକର ଛାୟା ଖେଳିଯାଇଛି | ବର୍ତ୍ତମାନ ଯାଏଁ ବ୍ୟବଛେଦ ହୋଇନଥିବାରୁ ଏହାପରେ ହିଁ ମୃତଦେହକୁ ହସ୍ତାନ୍ତର କରାଯିବ ବୋଲି ମେଡିକାଲ କର୍ତୃପକ୍ଷ କହିଛନ୍ତି |

ସମ୍ବନ୍ଧିତ ଖବର