ପିଜିରେ ନାମ ଲେଖାଇବା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ

ଯୁକ୍ତ ତିନି ପାଇଁ ଗୋଟିଏ ପାଠ୍ୟ ଖସଡା

ଭୁବନେଶ୍ୱର: ସାରା ରାଜ୍ୟରେ ଯୁକ୍ତ ତିନି ପାଇଁ ଗୋଟିଏ ପାଠ୍ୟ ଖସଡା ହେବ ଏବଂ ପିଜିରେ ନାମ ଲେଖାଇବା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ପରିଷଦ ନିଷ୍ପତି ନେଇଛି । ଗୁରୁବାର ବସିଥିବା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ଉଚ୍ଚଶିକ୍ଷା ପରିଷଦର ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ୱରନ ବି କହିଛନ୍ତି । ଏହି ବୈଠକରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୂଳପତି, ପିଜି କାଉନସିଲ ଅଧ୍ୟକ୍ଷ ଏବଂ ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ଥିଲେ ଯ ଆଉ ସର୍ବସମ୍ମତିକ୍ରମେ ଏହି ନିଷ୍ପତି ନିଆଯାଇଛି ।

ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଏଣିକି ସାରା ରାଜ୍ୟରେ ଯୁକ୍ତ ତିନି ପାଇଁ ଲାଗୁ ହେବ ଏକକ ପାଠ୍ୟକ୍ରମ । ଆସନ୍ତା ଶିକ୍ଷା ବର୍ଷ ୨୦୧୯-୨୦ ରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ସ୍ନାତକ ପାଠ୍ୟକ୍ରମ ଲାଗି ଏକକୀକରଣ ପାଠ୍ୟଖସଡା ହେବ । ଅନ୍ତର୍ଜାତୀୟସ୍ତରର ଏକ୍ସପର୍ଟମାନଙ୍କୁ ନେଇ ହୋଇଥିବା ପାଠ୍ୟଖସଡାକୁ ନୂତନ ପୁସ୍ତକ ଓ ପାଠ୍ୟକ୍ରମକୁ ପରିବର୍ତ୍ତନ କରି ପରିଚାଳନା କରାଯିବ।

ସେହିପରି ପିଜି ଆଡମିଶନ ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏବଂ ଏହି ପରୀକ୍ଷା ଦେବାକୁ ଯୁକ୍ତ ତିନିରେ ଅତିକମରେ ୪୫ ପ୍ରତିଶତ ନମ୍ବର ରଖିବାକୁ ପଡିବ । ଏହା ରାଜ୍ୟର ଏକ ମଡେଲ ସିଲାବସ ଭାବେ ପରିଗଣିତ ହେବ । ଷ୍ଟୁଡେଂଟସ ଏକାଡେମିକ ମ୍ୟାନେଜମେଂଟ ସିଷ୍ଟମ ବା ସାମସ ଏହି ପରୀକ୍ଷାକୁ ପରିଚାଳନା କରିବ ।

ଶିକ୍ଷାକୁ ନିଯୁକ୍ତି ଭିତିକ କରିବା, ଜାତୀୟସ୍ତରର ପ୍ରତିଯୋଗୀତାମୂଳକ ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀ ଯେମିତି ଭଲ କରିବେ, ଉଚ୍ଚତର ଗବେଷଣା ଓ ସର୍ବୋପରି ଉଚ୍ଚଶିକ୍ଷାର ଆର୍ନ୍ତଜାତୀୟକରଣ ଲାଗି ନବଗଠିତ ଉଚ୍ଚଶିକ୍ଷା ପରିଷଦ ଏହିସବୁ ସଂସ୍କାରକୁ ଆଣିବାକୁ ସ୍ଥିର କରିଛି ପରିଷଦ ।

ସମ୍ବନ୍ଧିତ ଖବର