ଖୋର୍ଦ୍ଧା: ଏସିଆ ମହାଦେଶ ସର୍ବବୃହତ୍ ଲୁଣା ହ୍ରଦ ଚିଲିକାକୁ ଘାସ ମାଡ଼ିଗଲାଣି। ନଳ ଘାସ ଏଭଳି ଚରିଗଲାଣି ଯେ, କିଛି ବର୍ଷ ମଧ୍ୟରେ ଚିଲିକାର ଏକ ଦଶମାଂଶ ଜାଗାକୁ ଏହା ଗିଳି ସାରିଲାଣି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଚିଲିକାର ୧,୦୯୪ବର୍ଗ କିଲୋମିଟର ଆୟତନରୁ ୧୦୩ ବର୍ଗ କିଲୋମିଟର ଜାଗାରେ ଏଭଳି ଘାସ ବଢ଼ିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏହା ଉଭୟ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଚିଲିକାର ମତ୍ସ୍ୟଜୀବୀ ପରିବାର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତଥ୍ୟ ମୁତାବକ, ଶେଷଥର ପାଇଁ ୨୦୧୯ରେ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ଚିଲିକାର ଆୟତନ ମପା ଯାଇଥିଲା। ଚେନ୍ନାଇସ୍ଥିତ ନ୍ୟାସ୍ନାଲ ସେଣ୍ଟର୍ ଫର୍ ସଷ୍ଟେନେବଲ୍ କୋଷ୍ଟାଲ୍ ମ୍ୟାନେଜ୍ମେଣ୍ଟ ସଂସ୍ଥା ୨୦୧୯ରେ ଏହାର ମ୍ୟାପ୍ ତିଆରି କରି ୧,୦୯୪ବର୍ଗ କିଲୋମିଟରର ଆୟତନ ଘୋଷଣା କରିଥିଲା। ଏତିକି ଆୟତନ ବିଶିଷ୍ଟ ଜଳାଶୟରୁ ୧୦୩ ବର୍ଗ କିଲୋମିଟର ଜାଗାରେ ଘାସ ମାଡିଛି ବୋଲି ବିଭାଗ କହୁଛି।
ନଳଘାସ ଉପରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବି ବାରମ୍ବାର ଗବେଷଣା କରିଛି। ଏହା ଚିଲିକାର ଜୈବବିବିଧତା ପାଇଁ କେତେ ଉପକାରୀ ଓ କେତେ ଅପକାରୀ ଉଭୟ ଦିଗର ତର୍ଜମା ମରିଛି। ବନ୍ୟା ସମୟରେ ଏହି ଘାସ ଚଢ଼େଇଙ୍କୁ ସୁରକ୍ଷା ଦିଏ। ମୃତ୍ତିକା ସଂରକ୍ଷଣ ପାଇଁ ଭଲ କାମ କରେ। ଚଢ଼େଇ ବସା ଏଥିରେ ସୁରକ୍ଷିତ ରହିବା ସହିତ ବଂଶ ବିସ୍ତାର ପାଇଁ ସହଯୋଗୀ ଆଦି ଘାସର ଭଲ ଗୁଣକୁ ଦର୍ଶାଉଥିବା ବେଳେ ମତ୍ସ୍ୟଜୀବୀଙ୍କ ଜୀବିକା ପାଇଁ ଏହା ପ୍ରତିବନ୍ଧକ ବୋଲି ମତ୍ସ୍ୟଜୀବୀ ଅନୁଭବ କଲେଣି। ଚିଲିକାରେ ମତ୍ସ୍ୟଜୀବୀଙ୍କ ମାଛ ମରା ଜାଗାକୁ ଏହା ବିଶେଷ କରି କବ୍ଜା କରିଛି। ଚିଲିକା ଭିତରକୁ ଯାତାୟାତରେ ମଧ୍ୟ ସମସ୍ୟା ସୃଷ୍ଟି ହେଲାଣି। ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଯଦିଓ ବିଭିନ୍ନ ଉପାୟ ଅଛି ବୋଲି ବିଭାଗ ଦର୍ଶାଇଛି, କିନ୍ତୁ କେଉଁଥିରେ ବି ସିଡିଏଙ୍କୁ ଏତେଟା ସଫଳତା ମିଳିପାରିନାହିଁ। ବିଭାଗ ଦର୍ଶାଇବା ମୁତାବକ, ଏହି ଘାସ ଯେହେତୁ ମୂଳରୁ ବଂଶବିସ୍ତାର କରେ, ତେଣୁ ମେସିନ୍ରେ କଟାଯାଇପାରିବ। ନଚେତ୍ ଔଷଧ ଦେଇ ମରାଯାଇପାରିବ। ଅଥବା ନିଆଁ ଲଗାଯାଇପାରିବ। କିନ୍ତୁ, ସବୁ ପ୍ରକାର ବ୍ୟବସ୍ଥା ସତ୍ତ୍ବେ ନଳଘାସ ଚିଲିକାରେ କେବଳ ଅଣାୟତ୍ତ ହୋଇନାହିଁ, ବରଂ ଚିଲିକାର ଅପରୂପ ସୌନ୍ଦର୍ଯ୍ୟକୁ ବି ଏହି ଘାସ ପ୍ରଜାତି ବିକୃତ କରି ଦେଲାଣି। ଏହାର ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପାଇଁ ଦାବି ଉଠିଲାଣି।