ଭୁବନେଶ୍ବର: ଗତ ତିନି ମାସ ମଧ୍ୟରେ ରେଳବାଇ ପକ୍ଷରୁ ବିଭିନ୍ନ ଟ୍ରେନରେ ସାଧାରଣ ଶ୍ରେଣୀ(ଜିଏସ୍‌)ର ପ୍ରାୟ ୬୦୦ ନୂତନ ଅତିରିକ୍ତ କୋଚ୍ ଯୋଡ଼ିଛି। କେବଳ ସେତିକି ନୁହେଁ, ନଭେମ୍ବର ଶେଷ ସୁଦ୍ଧା ପ୍ରାୟ ୩୭୦ ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ଜିଏସ୍‌ କୋଚ୍ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନୂତନ ଜିଏସ୍ କୋଚ୍ ସାମିଲ ଦ୍ୱାରା ଦୈନିକ ପ୍ରାୟ ଏକ ଲକ୍ଷ ଯାତ୍ରୀ ଉପକୃତ ହେବେ ବୋଲି ‌ରେଳବାଇ ପକ୍ଷରୁ କୁହାଯାଇଛି।

Advertisment

ଦୈନିକ ଅତିରିକ୍ତ ଏକ ଲକ୍ଷ ଯାତ୍ରୀ ଉପକୃତ ହେବେ
ଅଣ-ଏସି ବର୍ଗର ୧୦ ହଜାର କୋଚ୍ ଯୋଗହେବ

ରେଳବାଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ସୂଚନା ଓ ପ୍ରଚାର) ଦିଲୀପ କୁମାର କହିଛନ୍ତି ଯେ ରେଳ ଉପରେ ନିର୍ଭର କରୁଥିବା ସାଧାରଣ ବର୍ଗର ଯାତ୍ରୀଙ୍କ ସଂଖ୍ୟା ଅଧିକ। ସାଧାରଣ ଶ୍ରେଣୀର ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂତନ ଜିଏସ୍ କୋଚ୍ ନିର୍ମାଣ ଦ୍ରୁତ ଗତିରେ ଚାଲିଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧୦ ହଜାରରୁ ଅଧିକ ଏଭଳି ଅଣ-ଶୀତତାପ ନିୟନ୍ତ୍ରିତ ଜିଏସ୍ କୋଚ୍ ରେଳ ଚଳାଚଳରେ ଅନ୍ତର୍ଭୁକ୍ତ ହେବ। ସେଥିମଧ୍ୟରୁ ୬୦୦୦ରୁ ଅଧିକ ଜିଏସ୍ କୋଚ୍ ଥିବାବେଳେ ଅବଶିଷ୍ଟ କୋଚ୍ ଶୟନ ଶ୍ରେଣୀ ହେବ। ଏତେ ସଂଖ୍ୟକ ଅଣ-ଏସି କୋଚ୍ ଅନ୍ତର୍ଭୁକ୍ତ ହେବା ସହ ସାଧାରଣ ଶ୍ରେଣୀର ପ୍ରାୟ ୮ ଲକ୍ଷ ଅତିରିକ୍ତ ଯାତ୍ରୀ ରେଳ ଯୋଗେ ଯାତ୍ରା କରିପାରିବେ। ଜିଏସ୍ ବର୍ଗର ଏହି ନୂତନ ଉତ୍ପାଦିତ କୋଚ୍‌ଗୁଡ଼ିକ ଏଲ୍‌ଏଚ୍‌ବିର ହେବ। ଏହି ନୂତନ ଏଲ୍‌ଏଚ୍‌ବି କୋଚ୍‌ଗୁଡ଼ିକ ସାଧାରଣ ଆଇସିଏଫ୍ ରେଳ କୋଚ୍ ଅପେକ୍ଷା ହାଲୁକା ଓ ଶକ୍ତିଶାଳୀ। ଦୁର୍ଘଟଣା ହେଲେ ଏହି କୋଚଗୁଡ଼ିକରେ କ୍ଷତି ମଧ୍ୟ ସର୍ବନିମ୍ନ ହେବ ବୋଲି ସେ ସୂଚନା ଦେଇଛନ୍ତି।