ସାତକୋଶିଆ ଅଭୟାରଣ୍ୟରେ ଏବେ ରହିଛି ମାତ୍ର ଗୋଟିଏ ବାଘ

ଛୁଆ ଜନ୍ମ କରିନି ବୁଢ଼ୀ ବାଘୁଣୀ, ‘ସୁନ୍ଦରୀ’ ଏନ୍‌କ୍ଲୋଜର ୫ ହେକ୍ଟରକୁ ବଢ଼ିବ, ଖର୍ଚ୍ଚ ହେବ ୨.୫ କୋଟି ଟଙ୍କା, ୭ ମାସରେ ସରିବ

ଭୁବନେଶ୍ବର : ସାତକୋଶିଆ ଅଭୟାରଣ୍ୟରେ ଏବେ ଗୋଟିଏ ମାତ୍ର ବାଘ ରହିଛି। ୨୦୧୮ରେ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ମହାବଳ ‘ମହାବୀର’କୁ ସାତକୋଶିଆରେ ଛଡ଼ାଯିବା ପରେ ଏବେ ଥିବା ବୁଢ଼ୀ ବାଘୁଣୀ ସଂସ୍ପର୍ଶରେ ଆସି ଛୁଆ ଜନ୍ମ ହୋଇଥିବା କୁହାଯାଇଥିଲା। ତେବେ ବନ ବିଭାଗ ପକ୍ଷରୁ ଏବେ ଏହାକୁ ଖଣ୍ଡନ କରାଯାଇଛି। କୌଣସି ଛୁଆ ଜନ୍ମ ହୋଇ ନାହାନ୍ତି। ମହାବୀରର ମୃତ୍ୟୁ ପରେ ବର୍ତ୍ତମାନ କେବଳ ସେହି ଗୋଟିଏ ହିଁ ବାଘୁଣୀ ରହିଛି। ଅନ୍ୟପକ୍ଷରେ ଅଭୟାରଣ୍ୟରେ ବହୁ ସଂଖ୍ୟାରେ ଚିତାବାଘ (ଲିଓପାର୍ଡ଼) ରହିଥିବା ବନ ବିଭାଗ ସ୍ପଷ୍ଟ କରିଛି।

ସାତକୋଶିଆ ଅଭୟାରଣ୍ୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାତକୋଶିଆରେ ଯେଉଁ ମାଈ ବାଘ ରହିଛି ସେ କୌଣସି ଛୁଆ ଜନ୍ମ କରିନାହିଁ। ଯଦି ଛୁଆ ଜନ୍ମ କରିଥାନ୍ତା ତେବେ ୧୦୨ ଦିନ ପରେ ବାହାରକୁ ବାହାରିଥାନ୍ତା। ସେମିତି କିଛି ହୋଇନି। ଅଭୟାରଣ୍ୟରେ ପ୍ରାୟ ୩୧୫ଟି କ୍ୟାମେରା ଲଗାଯାଇ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ସେଥିରୁ ଜଣାପଡ଼ିଛି ଯେ ଏବେ ଗୋଟିଏ ହିଁ ବାଘ ରହିଛି। ଅନେକ ଚିତାବାଘ କ୍ୟାମେରାରେ କଏଦ ହୋଇଛନ୍ତି। ଇତିମଧ୍ୟରେ ଶିମିଳିପାଳରୁ ଅଣାଯାଇ ସାତକୋଶିଆରେ ଲଗାଯାଇଥିବା ପ୍ରାୟ ୧୪୦ଟି କ୍ୟାମେରାକୁ ଫେରାଇ ଦିଆଯାଇଛି। ଏବେ ନୂଆ କ୍ୟା‌ମେରା ଲଗାଯାଉଛି।

ଅନୁଗୁଳ ଜିଲ୍ଲା ରାଇଗୁଡ଼ା ଏନ୍‌କ୍ଲୋଜରରେ ଥିବା ବାଘୁଣୀ ‘ସୁନ୍ଦରୀ’ର ଭବିଷ୍ୟତ ନେଇ ଏନ୍‌ଟିସିଏର ଏକ ପ୍ରତିନିଧିଦଳ ଅନୁଗୁଳ ଗସ୍ତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ବିଶେଷକରି ସୁନ୍ଦରୀ ରହୁଥିବା ଏନ୍‌କ୍ଲୋଜର ବଢ଼ାଇବା ଲାଗି ନିଷ୍ପତ୍ତି ହୋଇଛି। ଏବେ ଦୁଇ ହେକ୍ଟର ଜମିରେ ଥିବା ଏନ୍‌କ୍ଲୋଜରକୁ ୫ ହେକ୍ଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ୨.୫ କୋଟି ଟଙ୍କା ଖର୍ଚ୍ଚ ହେବ। ଇତିମଧ୍ୟରେ ଏକ କୋଟି ଟଙ୍କା ଅନ‌ୁମୋଦନ ହୋଇଛି। ୬ରୁ ୭ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ନିୟମିତ ଭାବେ ଜୀବନ୍ତ ବନ୍ୟଜନ୍ତୁଙ୍କୁ ଏନ୍‌କ୍ଲୋଜର ଭିତରକୁ ଛଡ଼ାଯାଇ ‘ସୁନ୍ଦରୀ’କୁ ଖାଇବାକୁ ଦିଆଯାଉଛି। ତା’ ସ୍ବଭାବରେ କୌଣସି ପରିବର୍ତନ ହୋଇ ନାହିଁ। ସେ ସୁସ୍ଥ ଅଛି। ଏନ୍‌କ୍ଲୋଜର ନିକଟକୁ ଆସୁଥିବା ବନ୍ୟଜନ୍ତୁଙ୍କ ସଂସ୍ପର୍ଶରେ ବି ଆସୁଛି। ‘ସୁନ୍ଦରୀ’କୁ କେବେ ଜଙ୍ଗଲକୁ ଛଡ଼ାଯିବ ସେନେଇ ଏନ୍‌ଟିସିଏ ନିଷ୍ପତ୍ତି ନେବ। ତେବେ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ଥିବା‌ ଗ୍ରାମବାସୀଙ୍କ ସ୍ଥାନାନ୍ତର ଉପରେ ଗୁରୁତ୍ବ ଦିଆଯାଉଛି। ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ସହଯୋଗରେ ପଦକ୍ଷେପ ନିଆଯାଉଛି। କିଛି ଗ୍ରାମବାସୀ ବାହାରକୁ ଆସିଛନ୍ତି। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଏବେ ଆହୁରି ୪ଟି ଗ୍ରାମ ଅଭୟାରଣ୍ୟ ଭିତରେ ରହିଛନ୍ତି। ସେମାନେ ଆସିବାକୁ ରାଜି ହେଉ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର