ଭୁବନେଶ୍ୱର : ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ୱାନ୍‌ ଟାଇମ୍‌ ସେଟେଲ୍‌ମେଣ୍ଟ(ଓଟିଏସ୍‌) ବ୍ୟବସ୍ଥା କରାଯାଇଛି। ଅତୀତର ବକେୟା ବିଲ୍ ପ୍ରଦାନ ଉପରେ ଉପଭୋକ୍ତାମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଏହି ଯୋଜନାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଅନୁମୋଦନ କରିଛନ୍ତି। ଏହି ସ୍ୱତନ୍ତ୍ର ଯୋଜନାରେ ୨୦୨୦ ମେ’ ୩୧ ପର୍ଯ୍ୟନ୍ତ ବାକି ଥିବା ବିଦ୍ୟୁତ୍ ଦେୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ‘ଲୋ ଟେନ୍‌ସନ୍’ ଉପଭୋକ୍ତାଙ୍କ ପାଇଁ ୩୦% ପର୍ଯ୍ୟନ୍ତ, ବିଳମ୍ବିତ ପେମେଣ୍ଟ ସରଚାର୍ଜ (ଡିପିଏସ୍‌) ଉପରେ ୮୦% ଓ ସମସ୍ତ ଏଚ୍‌ଟି/ ଇଏଚ୍‌ଟି ଉପଭୋକ୍ତାମାନେ ବିଳମ୍ବିତ ସରଚାର୍ଜ ଉପରେ ୬୦% ପର୍ଯ୍ୟନ୍ତ ରିହାତି ପାଇବେ ବୋଲି ଘୋଷଣା କରାଯାଇଛି।

Advertisment

ଉପଭୋକ୍ତାମାନେ ଟିପିସିଓଡିଏଲ୍‌ର ଗ୍ରାହକ ସେବା କେନ୍ଦ୍ର, ସବ୍‌-ଡିଭିଜନ, ଡିଭିଜନ, ସେକ୍ସନ ଅଫିସ ଜରିଆରେ କିମ୍ବା ୧୯୧୨/ ୧୮୦୦-୩୪୫-୭୧୨୨ ଟୋଲ୍‌ ଫ୍ରି ନମ୍ବର ଡାଏଲ୍ କରି ପଞ୍ଜୀକରଣ କରିପାରିବାକୁ ଟିପିସିଓଡିଏଲ୍‌ ପରାମର୍ଶ ଦେଇଛି। ଏହା ବ୍ୟତୀତ ୯୧୨୪୯୯୮୭୨୯ ନମ୍ବରରେ ହ୍ୱାଟସ୍‌ଆପ୍ କରି ପଞ୍ଜୀକରଣ କରିପାରିବେ। ଟିପିସିଓଡିଏଲ୍‌ ଏଥିପାଇଁ ‘ଗାଁ ଚାଲ ଶିବିର’ ମଧ୍ୟ ଆୟୋଜନ କରୁଛି। ଏହାର ସୁବିଧା ମଧ୍ୟ ଉପଭୋକ୍ତା ନେଇ ପାରିବେ। ଏହି (ଓଟିଏସ୍‌)ସ୍କିମ୍ ସୀମିତ ଅବଧି ଲାଗି ଉପଲବ୍ଧ ଥିବାରୁ ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଉପଭୋକ୍ତାମାନେ ଏହାର ସୁଯୋଗ ନେବାକୁ ଟିପିସିଓଡିଏଲ୍‌ ନିବେଦନ କରିଛି।