ରଘୁନନ୍ଦନ ଆଚାର୍ଯ୍ୟ
ପାଳଲହଡ଼ା: ଗାଁ ଗୋଟିଏ, ନାଁ ଦୁଇଟି। ଏଥିଯୋଗୁଁ ଗତ ୪୧ ବର୍ଷ ଧରି ଦହଗଞ୍ଜ ହେଉଛନ୍ତି ଅଧିବାସୀମାନେ। ପ୍ରଶାସନ, ରାଜନେତାଙ୍କୁ ଜଣାଇଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ। ଏଥିଯୋଗୁଁ ଅଧିବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ରେଙ୍ଗାଳି ପ୍ରକଳ୍ପ ନିର୍ମାଣ ପରେ ଏହାର ଜଳ ଭଣ୍ଡାରରେ ବୁଡ଼ିଯାଇଥିଲା ପାଳଲହଡ଼ା ବ୍ଲକ୍ର ପୁରୁଣାପାଣି ଗାଁ। ଏହି ଗାଁର ଅଧିବାସୀମାନଙ୍କୁ ପାଳଲହଡ଼ା ବ୍ଲକ୍ ଆଲୁରି ପଞ୍ଚାୟତର ଅର୍ଜୁନଝରି ଗାଁରେ ଅବସ୍ଥାପିତ କରାଗଲା। ୧୯୮୩ ମସିହାରେ ଏହି ଗାଁର ନାମ ହେଲା ଅର୍ଜୁନଝରି। ପଞ୍ଚାୟତର ୧ ନମ୍ବର ୱାର୍ଡ ଏହି ଗାଁର ଜନସଂଖ୍ୟା ୨ଶହ ଓ ଭୋଟର ସଂଖ୍ୟା ୧୫୫। ଏହି ଗାଁରେ ସ୍କୁଲ ଅଛି। ଅର୍ଜୁନଝରି ସ୍କୁଲ୍ ବୋଲି ଏହାର ନାମକରଣ କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଗ୍ରାମର ଅଧିବାସୀମାନଙ୍କ ଭୋଟର୍ ପରିଚୟପତ୍ରରେ ଗାଁର ନାମ ଅର୍ଜୁନଝରି ଲେଖା ହୋଇଥିବାବେଳେ ସେମାନଙ୍କ ଜମି ପଟ୍ଟାରେ ଗାଁର ନାମ ରହିଛି ନାରାୟଣଚନ୍ଦ୍ରପୁର। ଗ୍ରାମବାସୀଙ୍କ ଆଧାରକାର୍ଡ ଓ ରାସନକାର୍ଡରେ ମଧ୍ୟ ଗାଁର ନାମ ନାରାୟଣଚନ୍ଦ୍ରପୁର ରହିଛି। ଏହି ଗାଁର ୨ଟି ନାମ ଥିବାରୁ ଏହାକୁ ୪୧ ବର୍ଷ ହେଲା ରାଜସ୍ବ ଗାଁର ମାନ୍ୟତା ମିଳୁନାହିଁ। ଗାଁର କୌଣସି ଗରିବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇପାରିନାହାନ୍ତି। ଗାଁରେ ପାନୀୟଜଳ ସମସ୍ୟା ଲାଗି ରହିଛି। ଗ୍ରାମବାସୀ କହିଛନ୍ତି, ଏହି ଗାଁର ନାମ ଅର୍ଜୁନଝରି ବା ନାରାୟଣଚନ୍ଦ୍ରପୁର ରଖାଯିବାକୁ ସେମାନେ ୪୧ ବର୍ଷ ହେଲା ପ୍ରଶାସନକୁ ଗୁହାରି କରିଆସୁଛନ୍ତି। ଏହାକୁ ରାଜସ୍ବ ଗାଁର ମାନ୍ୟତା ଦିଆଯିବାକୁ ଦାବି କରିଆସୁଛନ୍ତି। ରେଙ୍ଗାଳି ଜଳଭଣ୍ଡାରରେ ଭିଟାମାଟି ହରାଇବା ପରେ ସରକାରଙ୍କ ପକ୍ଷରୁ ଏଠାରେ ସେମାନଙ୍କୁ ଅବସ୍ଥାପିତ କରାଗଲା। କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଇଛି। ନିର୍ବାଚନ ଆସିଲେ ନେତାମାନେ ଗାଁକୁ ଆସି ସମସ୍ୟା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଅବସ୍ଥା ଯଥା ପୂର୍ବଂ ତଥା ପରମ୍। ଏବେ ଓଡ଼ିଶାରେ ନୂଆ ସରକାର ଗଠନ ହେବାକୁ ଯାଉଛି। ଏହି ସରକାର ନିଶ୍ଚୟ ଗାଁର ସମସ୍ୟା ଦୂରକରିବେ ବୋଲି ସେମାନେ ଆଶାବାଦୀ ଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।
ଗୋଟିଏ ଗାଁ; ଦୁଇଟି ନାଁ: ୪୧ ବର୍ଷ ହେଲା ଦୁଃଖ ଭୋଗୁଛନ୍ତି ରେଙ୍ଗାଳି ବିସ୍ଥାପିତ
/sambad/media/post_attachments/wp-content/uploads/2024/06/sfhsfsfhsfhsf.jpg)