ଭୁବନେଶ୍ବର: ବର୍ଷକ ମଧ୍ୟରେ ବିଜେପି ସରକାର ରାଜ୍ୟବାସୀଙ୍କ ପାଇଁ କେଉଁ କେଉଁ ଯୋଜନା ଆରମ୍ଭ କରିଛନ୍ତି, କେଉଁ ବିଭାଗର କ’ଣ ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲିଛି, କିପରି ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ସରକାରକୁ ଆସିବା ପରେ ଗୋଟି ଗୋଟି କରି ପୂରଣ କରୁଛି ତାହାକୁ ରାଜ୍ୟବାସୀଙ୍କୁ ଜଣାଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ପ୍ରଗତି ପ୍ରବାହ’ ପୁସ୍ତକ ଏବଂ ଏକ ବର୍ଷର ସଫଳତାର ତଥ୍ୟ ସମ୍ବଳିତ ପୁସ୍ତିକାକୁ ପ୍ରତି ବ୍ଲକ୍ ଓ ସହରାଞ୍ଚଳର ପ୍ରତ୍ୟେକ ଘରେ ପହଞ୍ଚାଯିବ। ଏଥିପାଇଁ ଆଜିଠାରୁ ୩୧୪ଟି ବ୍ଲକ୍, ୧୧୫ଟି ଏନ୍ଏସି ଓ ମ୍ୟୁନିସପାଲଟି ଏବଂ ୫ଟି ମହାନଗର ନିଗମରେ ‘ବିକାଶ ବାହନ’ ବୁଲିବା ଆରମ୍ଭ କରିଛି। ଲୋକମାନେ ଏହି ଗାଡ଼ିରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ପ୍ରସ୍ତୁତ ଭିଡିଓ ମଧ୍ୟ ଦେଖିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଛନ୍ତି।
ଏକ ବର୍ଷ ପୂର୍ତ୍ତି: ‘ବିକାଶ ବାହନ’ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଲୋକଙ୍କ ପାଖରେ ସରକାରଙ୍କ ସଫଳତା ପହଞ୍ଚାଇବ
୩୧୪ଟି ବ୍ଲକ୍, ୧୧୫ଟି ପୌରାଞ୍ଚଳ ଏବଂ ୫ଟି ମହାନଗର ନିଗମରେ ଗଡ଼ିଲା
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ। ଜନତାଙ୍କ ସେବାରେ ହିଁ ଜୀବନର ସାର୍ଥକତା। ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର, ଡବଲ୍ ସ୍ପିଡ୍ରେ କାମ କରି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିପାରୁଛି। ଆମ ସରକାରଙ୍କ ଏକ ହଲ୍ମାର୍କ ହେଉଛି, ଲୋକଙ୍କ ସହିତ ଯୋଡ଼ି ହେବାର ପ୍ରୟାସ। ଏହି ଏକ ବର୍ଷରେ ଅନେକ କ୍ଷେତ୍ରରେ ଓଡ଼ିଶାର କାୟାକଳ୍ପ ହୋଇଛି। ମହିଳା, କୃଷକ, ଆଦିବାସୀ ଓ ଯୁବବର୍ଗର ସଶକ୍ତୀକରଣ ସହ ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଆଶାର ସମ୍ଭାର ସୃଷ୍ଟି ହୋଇପାରିଛି। ଆଜି ଯେଉଁ ବିକାଶ ବାହନ ଯାତ୍ରା ଆରମ୍ଭ ହୋଇଛି, ତାହା ହେଉଛି ଆମ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜନସାଧାରଣଙ୍କୁ ଯୋଡ଼ିବାର ଆଉ ଏକ ପ୍ରୟାସ।
ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ଏହି ବର୍ଷେ ମଧ୍ୟରେ ଲାଗୁ କରିଥିବା ସମସ୍ତ ଯୋଜନାର ସଫଳତା ପାଇଁ ଜନଭାଗିଦାରୀର ବ୍ୟାପକ ଆବଶ୍ୟକତା ରହିଛି। ବିଭିନ୍ନ ସୂଚନା ଓ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରି ଲୋକଙ୍କୁ ଯୋଜନା ସହିତ ଯୋଡ଼ିବା ଆମର ଲକ୍ଷ୍ୟ। ଏହାଦ୍ୱାରା ପ୍ରଶାସନ ଲୋକାଭିମୁଖୀ ହୋଇପାରୁଛି। ପ୍ରଥମ ଦିନରୁ ଜନତାଙ୍କ ସହିତ ଯୋଡ଼ି ହେବାର ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ଆଜି ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେହି ପ୍ରୟାସକୁ ଆହୁରି ଜୋରଦାର କରାଯାଇଛି। ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ, ଲୋକଙ୍କ ଆଶୀର୍ବାଦରେ ଆଜି ଡବଲ୍ ଇଞ୍ଜିନ ସରକାର ଓଡ଼ିଶାର ସାମଗ୍ରିକ ବିକାଶ ଓ ସମୃଦ୍ଧିର ଦାୟିତ୍ବରେ ଅଛନ୍ତି। ଆମେ ସମୃଦ୍ଧ ଓଡ଼ିଶାର ନିର୍ମାଣ ପାଇଁ ସଂକଳ୍ପବଦ୍ଧ।ଏହି ସମୟ ରାଜ୍ୟର ବିକାଶ ଓ ରାଷ୍ଟ୍ରର ପ୍ରଗତି ପାଇଁ ସ୍ବପ୍ନ, ସଂକଳ୍ପ ଓ ସମ୍ଭାବନାର ସମୟ ପ୍ରମାଣିତ ହୋଇଛି। ଏହି ବିକାଶ ବାହନର ଶୁଭାରମ୍ଭ ଆମ ସରକାରର ଓଡ଼ିଶାବାସୀଙ୍କ ପ୍ରତି ସମର୍ପଣର ନୂତନ ଅଧ୍ୟାୟ। କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ, ମୁଖ୍ୟ ସଚିବ ମନୋଜ ଆହୁଜା ଓ ଉନ୍ନୟନ କମିସନର ଅନୁ ଗର୍ଗ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରିଶ ଏସ୍.ଏନ୍ ଧନ୍ୟବାଦ ଦେଇଥିଲେ।