ବିମୁଦ୍ରାକରଣକୁ ବର୍ଷେ ପୂରିଲା

ବିରୋଧୀ ପାଳିଲେ କଳା, ଧୋକା ଓ ପ୍ରତିବାଦ ଦିବସ

ଭୁବନେଶ୍ୱର: ବିମୁଦ୍ରାକରଣକୁ ଆଜି ବର୍ଷେ ପୂରିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତବର୍ଷ ଆଜିର ତାରିଖରେ ୫ଶହ ଓ ହଜାର ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରାଯାଇଥିଲା। ତେବେ ବିଜେପି ସରକାର ଏହାକୁ କଳାଧନ ନିରୋଧ ଦିବସ ଭାବେ ପାଳନ କରୁଥିବା ବେଳେ ବିରୋଧୀ ଦଳ ଏହାକୁ କଳା, ଧୋକା ଓ ପ୍ରତିବାଦ ଦିବସ ଭାବେ ପାଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାଜଧାନୀର ଲୋୟର ପିଏମ୍‌ଜି ଓ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକାର ଶବ ସତ୍କାର କରାଯାଇଥିଲା।

ଏହି ଅବସରରେ ବିଭିନ୍ନ ବିରୋଧୀ ଦଳର ନେତୃବୃନ୍ଦ ଅଭିଯୋଗ କରିଥିଲେ ଯେ ବିଦେଶରୁ କଳାଟଙ୍କା ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ନୋଟବନ୍ଦୀ ଜରିଆରେ ଭାରତବାସୀଙ୍କୁ ପ୍ରତାରିତ କରି ଦେଶ ଭିତରର କଳାଧନକୁ ଧଳା କରିଦେଲେ। ଫଳରେ ଶ୍ରମିକମାନେ ଜୀବିକା ହରାଇବା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଖସି ଆସିଛି। ଯେଉଁ ୩ଟି କାରଣ ଦର୍ଶାଇ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିଲେ ଗୋଟିକରେ ହେଲେ ମଧ୍ୟ ସଫଳ ହୋଇ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଧୂଅାଁବଣରେ ପରିଣତ ହୋଇଛି।

ସିପିଆଇ, ସିପିଆଇଏମ୍‌, ସିପିଆଇଏମ୍‌ଏଲ ଲିବରେସନ୍‌, ଅଲ୍‌ ଇଣ୍ଡିଆ ଫରଓ୍ଵାର୍ଡ ବ୍ଲକ୍‌ ଓ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)କୁ ମିଶାଇ ୫ ବାମପନ୍ଥୀ ଦଳ ଏହାକୁ ପ୍ରତିବାଦ ଦିବସ ଭାବେ ପାଳନ କରିଥିବାବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଅପରପକ୍ଷରେ ଆମ୍‌ ଆଦମୀ ପାର୍ଟି ଆଜି ଧୋକା ଦିବସ ଭାବେ ପାଳନ କରିଥିଲା। ଆରବିଆଇ ସମ୍ମୁଖରେ ଦଳର କର୍ମକର୍ତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକାର ଶବ ସତ୍କାର କରିଥିଲେ। ରାଜ୍ୟ କଂଗ୍ରେସ ମଧ୍ୟ ବିମୁଦ୍ରାକରଣକୁ କଳା ଦିବସ ଭାବେ ପାଳନ କରିଛି। ଦଳର କର୍ମକର୍ତାମାନେ ଆରବିଆଇ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର