ଏ ବର୍ଷ ଦିଆଯିବ ମାଗଣା ଚାରା, ଭୁବନେଶ୍ବର, କଟକ, ପୁରୀ, ଖୋର୍ଧାରେ ‌ଖୋଲିବ କିଓସ୍କୋ

ରାଜ୍ୟରେ ୯ କୋଟି ଚାରା ରୋପଣ କରିବାକୁ ଲକ୍ଷ୍ୟ, ବାଲୁଖଣ୍ଡର ୪ ହଜାର ହେକ୍ଟର ଜମିରେ ହେବ ବୃକ୍ଷ ରୋପଣ

ଭୁବନେଶ୍ବର: ବାତ୍ୟା ‘ଫନି’ ମାଡ଼ରେ ପ୍ରଭାବିତ ହୋଇଛି ଜଙ୍ଗଲ। ଭାଙ୍ଗିପଡ଼ିଛି ଲକ୍ଷ ଲକ୍ଷ ଗଛ। ବାଲୁଖଣ୍ଡ ଅଭୟାରଣ୍ୟ ବ୍ୟତୀତ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ, ନୟାଗଡ଼ ପ୍ରଭୃତି ଜିଲ୍ଲାରେ ୨୫ ଲକ୍ଷରୁ ଅଧିକ ଗଛ ପ୍ରଭାବିତ ହୋଇଛି। ପୂର୍ବ ସ୍ଥିତି ଫେରାଇ ଆଣିବାକୁ ବହୁ ବର୍ଷ ଲାଗିବ। ତଥା‌ପି ବର୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସ୍ବଳ୍ପ ଓ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରାଯାଇଛି। ବିଶେଷକରି ପୁରୀ ସମେତ ଉପକୂଳବର୍ତୀ ଅଞ୍ଚଳରେ ୫ ବର୍ଷ ମଧ୍ୟରେ ୬ ହଜାର ହେକ୍ଟର ଜମିରେ ବୃକ୍ଷ ରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧୮୦ କୋଟିର ପ୍ରସ୍ତାବ ଦିଆଯାଇଛି। ଏଥିସହ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଚଳିତବର୍ଷ ୫୦ ଲକ୍ଷ ମାଗଣା ଚାରା ବଣ୍ଟନ କରାଯିବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସନ୍ଦୀପ୍‌ ତ୍ରିପାଠୀ କହିଛନ୍ତି।

ପୁରୀ ଜିଲ୍ଲା ବାଲୁଖଣ୍ତ ଅଞ୍ଚଳରେ ‘ଫନି’ ସ୍ଥଳ ଭାଗ ଛୁଇଁଥିବାରୁ ସେଠାରେ ବ୍ୟାପକ ଗଛ ନଷ୍ଟ ହୋଇଛି। ପିସିସିଏଫ୍‌ ଶ୍ରୀ ତ୍ରିପାଠୀଙ୍କ ତଥ୍ୟ ଅନୁଯାୟୀ ବାଲୁଖଣ୍ଡରେ ପ୍ରାୟ ୯୦ ଲକ୍ଷ ଗଛ ରହିଥିଲା। ସେଥିମଧ୍ୟରୁ ମଧ୍ୟରୁ ୫୦ରୁ ୬୦ ପ୍ରତିଶତ ନଷ୍ଟ ହୋଇଛି। ତାହାକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ସେଠାରେ ବୃକ୍ଷରୋପଣକୁ ଅଧିକ ଗୁରୁତ୍ବ ଦିଆଯାଉଛି। ମେରାଇନ୍‌ ଡ୍ରାଇଭ୍‌ ରାସ୍ତାର ସମୁଦ୍ରକୂଳ ପାର୍ଶ୍ବକୁ ୨୫୦ ମିଟର ଓ ଅପରପାର୍ଶ୍ବରେ ୨୫୦ ମିଟର ଏହିପରି ୫୦୦ ମିଟର ଅଞ୍ଚଳକୁ ବନୀକରଣ କରାଯିବ। ମେରାଇନ୍‌ ଡ୍ରାଇଭ୍‌ର ୮ କିମି ରାସ୍ତାପାର୍ଶ୍ବର ୪୫୦ ହେକ୍ଟର ଜମି ଚିହ୍ନଟ କରାଯାଇଛି। ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକ ସଫା ହେବା ପରେ କାଜୁ ଓ ଝାଉଁ ପରି ଚାରା ଲାଗିବ। ଆଗାମୀ ବର୍ଷକୁ ଏହି ଅଭୟାରଣ୍ୟର ୨୦୦୦ ହେକ୍ଟର ଜମିରେ ବନୀକରଣ କରିବାକୁ ନିଷ୍ପତ୍ତି ହୋଇଛି। କେବଳ ଅଭୟାରଣ୍ୟରେ ୪ ହଜାର ହେକ୍ଟର ଜମିରେ ବନୀକରଣ କରାଯାଇ ଅଭୟାରଣ୍ୟରେ ଥିବା ୪ ହଜାର ହରିଣଙ୍କ ବାସସ୍ଥାଳୀ ଫେରାଇ ଆଣିବାକୁ ଯୋଜନା ରହିଛି। ଉପକୂଳବର୍ତୀ ଅଞ୍ଚଳରେ ଚାରା ରୋପଣ ଲାଗି ଇଣ୍ଟିଗ୍ରେ‌ଟେଡ୍‌ କୋଷ୍ଟାଲ୍‌ ଜୋନ୍‌ ମ୍ୟାନେଜ୍‌ମେଣ୍ଟ ପ୍ର‌ୋଜେକ୍ଟ(ଆଇସିଜେଡ୍‌ଏମ୍‌ପି) ଓ ବିଶ୍ବବ୍ୟାଙ୍କ ସହାୟତା ଯୋଗାଇଦେବେ। ଏଥିସହ ନାଲକୋ ବି ସହାୟତାର ହାତ ବଢ଼ାଇଛି।

ବାତ୍ୟା ପ୍ରଭାବିତ ୧୨ଟି ବନ ଡିଭିଜନ୍‌ରେ ପ୍ରାୟ ୫୩୭ କୋଟି ଟଙ୍କାର କ୍ଷତି ହୋଇଛି। ସେଥିମଧ୍ୟରୁ କେବଳ ୪୮୦ କୋଟି ଟଙ୍କାର ‌କେବଳ ଗଛ ରହିଛି। ଉକ୍ତ ୧୨ଟି ଡିଭିଜନ୍‌ରେ ୬୮ ଲକ୍ଷ ବନୀକରଣ ହୋଇଥିଲା। ୩୫ ଲକ୍ଷ ଚାରା ରୋପଣ ହୋଇଥିଲା। ଏକ ଟଙ୍କା ଲେଖାରେ ୨୫ ଲକ୍ଷ ଗଛ ବଣ୍ଟାଯାଇଥିଲା। ଆଉ କିଛି ଅନୁଷ୍ଠାନକୁ ମାଗଣାରେ ଚାରା ଯୋଗାଇ ଦିଆଯାଇଥିଲା। ତେବେ ଚଳିତବର୍ଷ ବର୍ଷା ଋତୁରେ ରାଜ୍ୟ ସରକାର ୫୦ ଲକ୍ଷ ଚାରା ମାଗଣାରେ ବଣ୍ଟନ କରାଯିବ। ଏଥିସହ ୮୦ ଲକ୍ଷ ବନୀକରଣ କରିବାର ଯୋଜନା ରହିଛି। ଏକ ହଜାର କିମି ରାସ୍ତାପାର୍ଶ୍ବରେ ବୃକ୍ଷରୋପଣ ହେବ। ସହରାଞ୍ଚଳରେ ୨୫ ଲକ୍ଷ ଚାରା ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ରାଜ୍ୟରେ ୪ କୋଟି ୮୦ ଲକ୍ଷ ଚାରା ରୋପଣ ହୋଇଥିଲା। ଏଥର ଦ୍ବିଗୁଣ ଅର୍ଥାତ୍‌ ୯ କୋଟି ଚାରା ରୋ‌ପଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଯେଉଁ ପରିମାଣରେ ବୃକ୍ଷରୋପଣ କରିବା ଲାଗି ଯୋଜନା ହୋଇଛି ବର୍ତମାନ ସମୟରେ ସରକାରଙ୍କ ପାଖରେ ସେତିକି ଚାରା ମହଜୁଦ ନାହିଁ। ତେଣୁ ବାହା ରାଜ୍ୟରୁ ୫ରୁ ୧୦ ଲକ୍ଷ ଚାରା ଆଣିବାକୁ ଯୋଜନା ହୋଇଛି। ପିସିସିଏଫ୍‌ ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ ଜେକେ ପେପର‌୍‌ ମିଲ୍‌ ୫ ଲକ୍ଷ ଝାଉଁ ଗଛ ଚାରା ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛି। ଏଥିସହ ଆନ୍ଧ୍ରପ୍ରଦେଶରୁ ବି କିଛି ଚାରା ଅଣିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ଆବଶ୍ୟକ ପଡ଼େ ପଶ୍ଚିମବଙ୍ଗରୁ ବି କାଜୁ ଗଛ ଚାରା ଆଣାଯିବ। ତେବେ ଜୁଲାଇରୁ ମାଗଣାରେ ଚାରା ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ବାତ୍ୟା ପ୍ରଭାବିତ ଭୁବନେଶ୍ବର, ପୁରୀ, କଟକ, ଖୋର୍ଧା ଅଞ୍ଚଳରେ ଚାରା ବାଣ୍ଟିବା ଲାଗି ସ୍ବତନ୍ତ୍ର କିଓସ୍କୋ ଖୋଲାଯିବ। ନର୍ସରିରେ ରହିଥିବା ଚାରାକୁ ଅଣାଯାଇ କିଓସ୍କୋରେ ରଖାଯିବ। ପ୍ରତି ସହରରେ ୧୦ରୁ ୧୫ଟି ସ୍ଥାନରେ କିଓସ୍କୋ ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର