ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ବର୍ଷେ ପୂରିବ । ବର୍ଷେ ପୂର୍ବେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ । ଇତି ମଧ୍ୟରେ ବର୍ଷେ ବିତିଯାଇଛି, ହେଲେ ଆକ୍ରମଣ ଯେଉଁ କ୍ଷତ ସୃଷ୍ଟି କରିଛି ତାହା ଭରି ନାହିଁ। ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ଜନ୍ମମାଟି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି।
Sambad is now on WhatsApp
Join and get latest news updates delivered to you via WhatsApp
ସେଦିନ ଥିଲା ଫେବୃୟାରୀ ୧୪ ତାରିଖ । ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆର୍ପିଏଫ୍ ଯବାନଙ୍କ କାଫିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଶବ୍ଦ । ଆଉ ଆଖି ଖୋଲି ଚାହିଁଲା ବେଳକୁ ସବୁ ଖିନଭିନ୍ ହୋଇସାରିଥିଲା ।
ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ସେହି ଭଳି ଘଟଣା, ଭାରତ ଇତିହାସରେ ହୁଏତ ପୂର୍ବରୁ କେବେ ଘଟିନଥିଲା ।
ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ୪୦ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଖର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ । ପାଲଟା ଗୁଳିମାଡ଼ କଲା ବେଳକୁ ଅନେକ କିଛି ହରାଇ ସାରିଥିଲା ଭାରତ ।
ତେବେ ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ସହିଦ ଯବାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତଦେହ ଏତେ କ୍ଷତବିକ୍ଷତ ହୋଇପଡ଼ିଥିଲା କି ସାଥୀ ଯବାନ ଆଧାର କାର୍ଡ, ଛୁଟିର ଆବେଦନ ପତ୍ର ଏବଂ ସେନାର ପରିଚୟ ପତ୍ରରୁ ହିଁ ସେମାନଙ୍କୁ ଚିହ୍ନଟ କରିଥିଲେ।
ଅଧିକାରୀଙ୍କ ସୂଚନା ମୁତାବକ, ବିସ୍ଫୋରଣ ପରେ ମୃତଦେହଗୁଡ଼ିକର ଅବସ୍ଥା ଏଭଳି ହୋଇଯାଇଥିଲା କି ସେମାନଙ୍କର ପରିଚୟ ମିଳିବା କଷ୍ଟକର ହୋଇପଡିଥିଲା । ସେମାନଙ୍କ ପକେଟରୁ ମିଳିଥିବା କାଗଜପତ୍ର ଏବଂ ଅନ୍ୟାନ୍ୟ ଜିନିଷରୁ ହିଁ ଚିହ୍ନଟ କରିବା ସମ୍ଭବ ହୋଇଥିଲା । କିଛି ସହିଦଙ୍କର ସାଥୀ ସହକର୍ମୀଙ୍କ ହାତ ଘଣ୍ଟା ଏବଂ ୱାଲେଟରୁ ତାଙ୍କର ଚିହ୍ନଟ କରିଥିଲେ ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଯାଇଥିଲା ପୂରା ଦେଶ ।