ଘୋଡ଼ାହାଡ଼ରେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପାଟପୁର/ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଓ ପାଟପୁର ଥାନା ଅଧୀନ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମରେ ଥିବା ଘୋଡ଼ାହାଡ଼ ନଦୀର ଶାଖାନାଳ ରାଉତରାୟ ନାଳର ପ୍ରଖର ସ୍ରୋତରେ ଆଜି ଅପରାହ୍‌ଣରେ ଦୁଇଜଣ ଯୁବକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ଆଉ ଜଣେ ଏଯାବତ୍ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ଲାଗି ଦିଗପହଣ୍ଡି ଓ ସାନଖେମୁଣ୍ଡି ଦମକଳବାହିନୀ ଅକ୍ଲାନ୍ତ ପରିଶ୍ରମ ଚଳାଇଛନ୍ତି। କିନ୍ତୁ ଅନ୍ଧାର ହୋଇ ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହି ଘଟଣା ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନାନୁସାରେ, ଗ୍ରାମର ତିନିଜଣ ଯୁବକ ଜଗନ୍ନାଥ ସେଠୀ, ଟୁକୁନା ଚୌଧୁରୀ ଏବଂ ବଳରାମ ଡାକୁଆ ମିଶି ଆଜି ସକାଳ ୧୦ଟାରେ ରାଉତରାୟ ନାଳକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଗତକାଲି ପ୍ରବଳ ବର୍ଷା ଯୋଗୁଁ ନାଳରେ ଜଳର ସ୍ରୋତ ଅଧିକ ରହିଥିଲା। ଅସାବଧାନତା ଯୋଗୁଁ ଜଗନ୍ନାଥ ପ୍ରଥମେ ଭାସି ପଳାଉଥିବା ବେଳେ ତାଙ୍କୁ ବଞ୍ଚାଇବା ଲାଗି ବଳରାମ ହିଡ଼ରୁ ଡେଇଁଥିଲେ। କିନ୍ତୁ ସେ ମଧ୍ୟ ଭାସି ଯାଇଥିଲେ। ତେବେ ଟୁକୁନା ଗଭୀର ପାଣିରୁ ଜଗନ୍ନାଥଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ବଳରାମଙ୍କ ପତ୍ତା ମିଳି ନଥିଲା।

ଗ୍ରାମବାସୀ ଏହା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଜଗନ୍ନାଥଙ୍କୁ ୧୦୮ ଆମ୍ବୁଲାନ୍ସ୍ ଯୋଗେ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ସେପଟେ ବଳରାମଙ୍କୁ ଖୋଜିବା ଲାଗି ପ୍ରଥମେ ସାନଖେମୁଣ୍ଡି ଓ ପରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ସନ୍ଧାନ କାର୍ଯ୍ୟ ଜାରି ରହିଥିଲେ ହେଁ, ବଳରାମଙ୍କ ଖୋଜ୍‌ଖବର ମିଳୁ ନଥିବାରୁ ତାଙ୍କ ପରିବାରବର୍ଗ ଚିନ୍ତାରେ ପଡ଼ିଛନ୍ତି। ଫାସିଗୁଡ଼ା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ଓ ପୂର୍ବତନ ସରପଞ୍ଚ ଦିଲ୍ଲୀପ ସେଠୀ ପହଞ୍ଚି ପରିବାରକୁ ସାନ୍ତ୍ଵନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର