ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଏକ ସଂଗରୋଧ କେନ୍ଦ୍ର ନିକଟ ଗଛରେ ଝୁଲି ଜଣେ ଯୁବକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି l ମୃତ ଯୁବକ ଜଣକ ହେଲେ ଆନନ୍ଦ କୁମାର ଲାକ୍ରା (୩୦) l ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁ ମାତାଲଗଡା ବସ୍ତିରେ l ମିଳିଥିବା ସୂଚନା ମୁତାବକ, ଥଣ୍ଡା କାଶ ହେବାରୁ ଗତକାଲି ସକାଳେ ଯୁବକ ଜଣକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗୁରୁଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ | ସେଠାରେ ଥିବା ଡାକ୍ତର ତାଙ୍କୁ ଟ୍ରାଭେଲ ହିଷ୍ଟ୍ରୀ ବାବଦରେ ପଚାରିବା ପରେ ଯୁବକ ଜଣକ ମହାରାଷ୍ଟ୍ରରୁ ଦେଢ଼ମାସ ପୂର୍ବରୁ ଫେରିଥିବାର କହିଥିଲେ |
ଏହା ପରେ ଡାକ୍ତର ତାଙ୍କୁ ଗୁରୁଣ୍ଡିଆ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଥିବା ସଙ୍ଗରୋଧ କକ୍ଷକୁ ଯିବାକୁ କହିଥିଲେ | ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆନନ୍ଦ ଏଠାକୁ ଆସିଥିଲେ | ଏହି ସଙ୍ଗରୋଧ କେନ୍ଦ୍ରରେ ଅନ୍ୟ ୧୭ ଜଣ ଥିଲେ, ଯେହେତୁ କରୋନା ସନ୍ଦିଗ୍ଧ ଭାବେ ବିବେଚନା କରାଯାଇଥିଲା ତେଣୁ ଗୋଟିକିଆ କକ୍ଷରେ ତାଙ୍କୁ ରଖାଯାଇଥିଲା |
ଗତକାଲି ବିଳମ୍ବିତ ରାତିରେ ବିଦ୍ୟାଳୟ ନିକଟରେ ଥିବା ଏକ ଶାଗୁଆନ ଗଛରେ ନିଜ ଗାମୁଛା ବେକରେ ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି | ଆଜି ସକାଳେ ଗଛରେ ତାଙ୍କର ଝୁଲନ୍ତା ଶବକୁ ଲୋକ ଦେଖି ଅଧିକାରୀଙ୍କୁ ଖବର ଦେଇଥିଲେ | ଏହା ପରେ ଅଧିକାରୀ ଗୁରୁଣ୍ଡିଆ ପୁଲିସକୁ ଏବାବଦରେ ସୂଚନା ଦେଇଥିଲେ | ପୁଲିସ ପହଂଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି |