କଟକ: ପାଖାପାଖି ଅଢ଼େଇ ବର୍ଷ ବ୍ୟବଧାନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ସିରିଜ୍ର ଦ୍ବିତୀୟ ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆଜି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ରାଜ୍ୟର କ୍ରିକେଟ୍ପ୍ରେମୀଙ୍କୁ ଉତ୍ସାହିତ କରିଛି। ଶେଷଥର ପାଇଁ ଏଠାରେ ୨୦୨୨ ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପ ଘୋଷଣା ହେବା ପରେ ନିକଟରେ ବାରବାଟୀକୁ ମ୍ୟାଚ୍ ମିଳିବାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଶେଷରେ ଦୂର ହୋଇଛି।
ସୂଚନା ଅନୁଯାୟୀ ୨୦୨୫ ଜାନୁଆରି ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିପାକ୍ଷିକ ସିରିଜ୍ରେ ଇଂଲଣ୍ଡ୍ ବିପକ୍ଷରେ ଭାରତ ୫ଟି ଟ୍ବେଣ୍ଟି-୨୦ ଓ ତିନୋଟି ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଫେବ୍ରୁଆରି ୬ରୁ ୧୨ ତାରିଖ ମଧ୍ୟରେ ତିନୋଟି ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ନାଗପୁରରେ ପ୍ରଥମ ଏକଦିବସୀୟ ଅନୁଷ୍ଠିତ ହେବାକୁ ଥିବା ବେଳେ ବାରବାଟୀରେ ଦ୍ବିତୀୟ ଓ ଅହମ୍ମଦାବାଦରେ ତୃତୀୟ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ବାରବାଟୀ ନବୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୁଣା ବାରବାଟୀରେ ଭାରତ-ଇଂଲଣ୍ଡ ତା’ର ଶେଷ ମ୍ୟାଚ୍ ଖେଳିବ ବୋଲି ଚର୍ଚ୍ଚା ହେଉଛି। ଏହି ମ୍ୟାଚ୍ ପରେ ବାରବାଟୀ ନବୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି। ବାରବାଟୀରେ ମୋଟ ୨୧ଟି ଏକଦବିସୀୟ, ଦୁଇଟି ଟେଷ୍ଟ୍ ଓ ୩ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ବାରବାଟୀରେ ଡିସେମ୍ବର ୨୨, ୨୦୧୯ରେ ଭାରତ- ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ଶେଷ ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏ ସଂପର୍କରେ ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି ଯେ ବାରବାଟୀକୁ ମ୍ୟାଚ୍ ମିଳିବା ଏକ ଖୁସି ଖବର। ପୂର୍ବରୁ ମ୍ୟାଚ୍ ମିଳୁ ନଥିବାରୁ ଓସିଏକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ବାରବାଟୀକୁ ମ୍ୟାଚ୍ ଦେବା ପାଇଁ ସେ ବିସିସିଆଇ ସଂପାଦକ ଜୟ ଶାହାଙ୍କୁ ଅନୁରୋଧ କରିଥିଲେ। ତେବେ ଏହି ମ୍ୟାଚ୍ ଯୋଗୁଁ ବାରବାଟୀ ନବୀକରଣ ପ୍ରକଳ୍ପରେ ସମସ୍ୟା ହେବ ନାହିଁ। ନୂଆ ସରକାର ସେ ଦିଗରେ ପଦକ୍ଷେପ ନେବେ। ଟେଣ୍ଡ୍ର ଓ ଅନ୍ୟ ପ୍ରକ୍ରିୟା ପାଇଁ ସମୟ ଲାଗିବ। ଏହି ମ୍ୟାଚ୍ ପରେ ହୁଏତ ବାରବାଟୀ ନବୀକରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରେ ବୋଲି ଶ୍ରୀ ବେହେରା କହିଛନ୍ତି।
୧୯୮୨ ଜାନୁଆରି ୨୭ରେ ବାରବାଟୀରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଏକ ଦିବସୀୟ ମ୍ୟାଚ୍ ଖେଳିଥିଲା। ସୂଚନାଯୋଗ୍ୟ, ବିଜେଡି ସରକାର ୬୦୦ କୋଟି ଟଙ୍କା ବ୍ୟୟରେ ବାରବାଟୀ ଷ୍ଟାଡିୟମ ସ୍ପୋର୍ଟସ୍ କମ୍ପଲେକ୍ସ୍ ପ୍ରକଳ୍ପ ଘୋଷଣା କରିଥିଲେ। ବାରବାଟୀକୁ ନେଇ ରାଜ୍ୟ ସରକାର ଓ ଅଲମ୍ପିକ୍ ଆସୋସିଏସନ ମଧ୍ୟରେ ଥିବା ଜମି ବିବାଦର ସମାଧାନ ମଧ୍ୟ ହୋଇଥିଲା। ଏକର ପଛା ୧ ଟଙ୍କାରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନକୁ ୨୦ ଏକର ଜମି ଲିଜ୍ର ନବୀକରଣ କରାଯାଇଥିଲା। ନୂଆ ଷ୍ଟାଡିୟମରେ ଏକକାଳୀନ ୬୦ ହଜାର ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ ବୋଲି ଯୋଜନା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/barabati-20323.jpg)