ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ଏବେ ୧୦୬ଟି ଏନ୍‌ଏସି ଓ ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଦୁଇ ଦିନରେ ଯେତିକି ନାମାଙ୍କନପତ୍ର ପ୍ରାର୍ଥୀ ଓ ତାଙ୍କ ସମର୍ଥକ ନେଇଛନ୍ତି ସେଥିରୁ ୧% ବି ଏପର୍ଯ୍ୟନ୍ତ ଦାଖଲ ହୋଇନି। ବହୁ ପ୍ରାର୍ଥୀ ଟିକେଟ ପାଇବା ଆଶାରେ ନାମାଙ୍କନପତ୍ର ନେଇଯାଇଛନ୍ତି। ଅପେକ୍ଷା କରିଛନ୍ତି ଦଳୀୟ ଟିକେଟକୁ। ଟିକେଟ ମିଳିଲେ ପ୍ରାର୍ଥିପତ୍ର ଦାଖଲ କରିବେ। ଆଉ କିଛି ପ୍ରାର୍ଥୀ ଅପେକ୍ଷା କରିଛନ୍ତି ଦଳୀୟ ଟିକେଟ୍ ନମିଳିଲେ ବି ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ। ତେଣୁ ଶେଷ ମୁହୂ୍ର୍ତ୍ତରେ ଯେପରି କିଛି ସମସ୍ୟା ନହୁଏ ସେଥିପାଇଁ ଏବେଠୁ ନାମାଙ୍କନପତ୍ର କିଣି ରଖୁଛନ୍ତି।

Advertisment

ଅପରପକ୍ଷେ ବିଜେପି ଓ କଂଗ୍ରେସ ପକ୍ଷରୁ କିିଛି ସ୍ଥାନରେ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିଲେ ହେଁ ପ୍ରାର୍ଥୀଙ୍କୁ ଟିକେଟ ଦିଆସରିଲାଣି। ସେମାନେ ଦଳୀୟ ଟିକେଟ୍ ନେଇ ପ୍ରାର୍ଥିପତ୍ର ଦାଖଳ କରିସାରିଲେଣି। କିଛି ସ୍ଥାନରେ ପ୍ରାର୍ଥୀ ନାମାଙ୍କନପତ୍ରରେ ଦଳୀୟ ଟିକେଟ୍ ଦେଇନଥିଲେ ବି ସେମାନେ କେଉଁ ଦଳରୁ ପ୍ରାର୍ଥୀ ହେଉଛନ୍ତି ତାହା ନାମାଙ୍କନପତ୍ରରେ ଲେଖିକି ଦେଇଛନ୍ତି। ସେମାନଙ୍କ ପାଇଁ ଦଳ ପରେ ଲେଖିକି ନିର୍ବାଚନ ଅଧିକାରୀଙ୍କୁ ଦେବ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ବିନା ଟିକେଟ୍‌ରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଦେଇଛନ୍ତି। ଅନ୍ୟ ରାଜନୈତିକ ଦଳଗୁଡ଼ିକ ବି ଟିକେଟ୍ ବାଣ୍ଟି ସାରିଲେଣି। ହେଲେ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ଥାନ‌େର ଟିକେଟ୍ ବଣ୍ଟା ହୋଇନି। ବିଜେଡିର ବହୁ ୱାର୍ଡରେ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ସେମାନଙ୍କୁ ଏବେ ବୁଝାସୁଝା ଚାଲିଛି। ଯାହାକୁ ଟିକେଟ୍ ଦିଆଯିବ ସେମାନଙ୍କୁ ସମସ୍ତ ଡକୁ‌ମେଣ୍ଟ, ସତ୍ୟପାଠ ପ୍ରସ୍ତୁତ କରି ରଖିବାକୁ କୁହାସରିଲାଣି। ଏବେ ଟିକେଟ୍ ଦେଇଦେଲେ ଅସନ୍ତୁଷ୍ଟମାନେ କାଳେ ଅନ୍ୟ ଦଳରୁ ବା ସ୍ବାଧୀନ ପ୍ରାର୍ଥୀ ହୋଇଯିବେ ସେହି ଦ୍ବନ୍ଦ୍ବରେ ନାମାଙ୍କନପତ୍ର ଦାଖଲର ଶେଷ ଦିନ କିମ୍ବା ତା’ପୂର୍ବ ଦିନ ବାବଦୀୟ ସ୍ଥାନରେ ଟିକେଟ୍ ଦେବାକୁ ନିଷ୍ପତ୍ତି ହୋଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେଡିରୁ ଯେଉଁମାନେ ଦଳୀୟ ପ୍ରାର୍ଥୀ ହେବେ ସେମାନଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଟିକେଟ୍ ଦିଆଯିବ। ତେଣୁ ଯେଉଁଠି ଦଳର ବିଧାୟକ ଅଛନ୍ତି ସେମାନେ ଏବଂ ଯେଉଁଠି ବିଧାୟକ ନାହାନ୍ତି ସେଠାରେ ଜିଲ୍ଲା ସଭାପତିମାନେ ଚୂଡ଼ାନ୍ତ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ଦଳର ସଂଗଠନ ସମ୍ପାଦକଙ୍କ ନିକଟକୁ ପଠାଇବେ। ଏହାପରେ ଦଳ ସଭାପତିଙ୍କ ଦସ୍ତଖତରେ ଟିକେଟ୍ ଇସ୍ୟୁ ହେବ। ଯେଉଁ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇହେବନି ସେମାନଙ୍କୁ ନାମାଙ୍କନପତ୍ର ଦାଖଲ କଲାବେଳେ ବିଜେଡି ପ୍ରାର୍ଥୀ ବୋଲି ନାମାଙ୍କନପତ୍ରରେ ଲେଖିବାକୁ କୁହାଯାଇଛି। ପରେ ଦଳ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କୁ ଏନେଇ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ‌ଦିଆଯାଇଛି।
ସେହିପରି କଂଗ୍ରେସ ପକ୍ଷରୁ ଏବେ ବିଭିନ୍ନ ସ୍ଥାନରେ ମେୟର/ପୌରାଧ୍ୟକ୍ଷ, କର୍ପୋରେଟର/କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା ସରିଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦସ୍ତଖତରେ ଟିକେଟ୍ ପଠାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ ବି‌ଜେପି ପକ୍ଷରୁ ଚଳିତ ପୌର ନିର୍ବାଚନରେ ଟି‌େକଟ ବାଣ୍ଟିବା ଦାୟିତ୍ବ ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କୁ ଦିଆଯାଇଛି। ଦଳର ସଭାପତି, ସାଂସଦ, ବିଧାୟକ, ଜିଲ୍ଲା ସଭାପତିମାନେ ଯେଉଁଠି ଚୂଡ଼ାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି ସେହି ତାଲିକା ସାଧାରଣ ସମ୍ପାଦକଙ୍କ ନିକଟକୁ ପଠାଇ ଦିଆଯାଉଛି। ଏହାପରେ ଶ୍ରୀ ମହାପାତ୍ରଙ୍କ ଦସ୍ତଖତ‌େର ଟିକେଟ୍ ବଣ୍ଟାଯାଉଛି। ରାଜ୍ୟର ବହୁ ପୌରସଂସ୍ଥାରେ ବିଜେପି ତାର ପ୍ରାର୍ଥୀଙ୍କୁ ଟିକେଟ୍ ବାଣ୍ଟି ସାରିଥିବାବେଳେ ରବିବାର ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବାକୁ କହିଦିଆଯାଇଛି। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ବି ଦଳ ସଭାପତି ସମୀର ମହାନ୍ତି ଟିକେଟରେ ଦସ୍ତଖତ କରୁନାହାନ୍ତି। ପଞ୍ଚାୟତ ନିର୍ବାଚନରେ ଦଳର ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି ଟିକେଟ୍ ବାଣ୍ଟିଥିବାବେଳେ ଏବେ ଗୋଲକଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଛି।

ସେହିପରି କଳିଙ୍ଗ ସେନା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସିପିଆଇ(ଏମ୍‌), ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଓଡ଼ିଶା ପ୍ରଗତି ଦଳ, ଓଡ଼ିଶା ଜନତା ପାର୍ଟି, ଅଖିଳ ଭାରତ ହିନ୍ଦୁ ମହାସଭା, ସୁପ୍ରିମ ଜିରୋ ପାର୍ଟି ଅଫ୍ ଭାରତ, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ, ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ,ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ୍‌ ଇଣ୍ଡିଆର ଦଳର ମୁଖିଆମାନେ ହିଁ ନିଜ ଦସ୍ତଖତରେ ଟିକେଟ୍ ବାଣ୍ଟୁଥିବା ଜାଣିବାକୁ ମିଳିଛି। ଆଉ କିଛି ପାର୍ଟି ତାଙ୍କ ଦଳର ଅନ୍ୟ ବରିଷ୍ଠ ନେତାଙ୍କୁ ଟିକେଟ୍ ବାଣ୍ଟିବା ଦାୟିତ୍ବ ଦେଇଛନ୍ତି।

ରାଜ୍ୟ ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରତି ରାଜନୈତିକ ଦଳ ‌କାହା ଦସ୍ତଖତରେ ଟିକେଟ୍ ଦିଆଯାଉଛି ଏବଂ ସେମାନଙ୍କର କର୍ପୋରେଟର/କାଉନସିଲର, ମେୟର/କର୍ପୋରେଟର ପଦବି ପାଇଁ ପ୍ରାର୍ଥୀ କିଏ ତା’ର ତାଲିକା ଯଥାକ୍ରମେ ୭ ଓ ୮ତାରିଖ ଅପରାହ୍ନ ୫ଟା ୩୦ସୁଦ୍ଧା ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ‌ଦେବେ। ପଞ୍ଚାୟତ ନିର୍ବାଚନ ଭଳି ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ଏହି ତାଲିକା ଦେବେନି। ଏହାକୁ ଭିତ୍ତି କରି ନିର୍ବାଚନ ଅଧିକାରୀମାନେ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବେ। ଯଦି କୌଣସି ପ୍ରାର୍ଥୀ ସ୍ବାଧୀନ ପ୍ରାର୍ଥ ଭାବେ କିମ୍ବା କୌଣସି ଦଳର ପ୍ରାର୍ଥୀ ବୋଲି ଲେଖିନଥିବେ ତେବେ ଦଳର ତାଲିକାରେ ତାଙ୍କ ନାମ ଥିଲେ ବି ସେ ଦଳୀୟ ପ୍ରାର୍ଥୀଭାବେ ଗଣାହେବେନି। ସେହିପରି ଦଳୀୟ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ ବି ଦଳୀୟ ତାଲିକାରେ ତାଙ୍କ ନାଁ ନଥିଲେ ସେ ଦଳୀୟ ପ୍ରାର୍ଥୀଭାବେ ଗଣା ହେବେନି।