ନୂଆ ପିଆଜ ବି ୧୦୦ ଡେଇଁଲା, ଆହୁରି ମାସେ କନ୍ଦେଇବ; ବଜା‌ରରୁ ଉଭାନ ହୋଇଯିବ

ଭୁବନେଶ୍ବର: ପୂର୍ବର ସବୁ ରେକର୍ଡ ଭାଙ୍ଗି ଦେଇଛି ପିଆଜ ଦର। ମଙ୍ଗଳବାର ରାଜଧାନୀରେ ପିଆଜ ହଠାତ୍ ୧୦୦ ଟଙ୍କା‌ ଡେଇଁଛି। ଆନ୍ଧ୍ରପ୍ରଦେଶରୁ ଆସୁଥିବା ନୂଆ ପିଆଜର ପାଇକାରୀ ଦର ୧୦୦ ଟଙ୍କାକୁ ଛୁଇଁଥିବାରୁ ଖୁଚୁରା ଦର ସ୍ବତଃ ୧୧୦ ଟଙ୍କା ପର୍ଯ୍ୟନ୍ତ ଉଠି ଯାଇଛି। ନାସିକ୍‌ରୁ ଆସୁଥିବା ପୁରୁଣା ପିଆଜର ପାଇକାରୀ ଦର ୧୧୫/୧୨୦ ଟଙ୍କା ହୋଇଯାଇଛି। ତେଣୁ ଓଡ଼ିଶା ଖାଉଟି ବଜାରରେ ନାସିକ୍ ପିଆଜ କ୍ବଚିତ୍ ମିଳୁଥିବାବେଳେ ଖୁଚୁରା ଦର କିଲୋ ପିଛା ୧୪୦ଟଙ୍କା ହୋଇଥିବା ଜଣାପଡ଼ିଛି। କ୍ୟାପିଟାଲ ହାଟରେ ପିଆଜ ଦର ମାନ ଅନୁସାରେ ୧୦୦ରୁ ୧୪୦ଟଙ୍କା ଦରରେ ବିକ୍ରି ହୋଇଛି। ଏଭଳି ଆକାଶଛୁଆଁ ଦର ପାଇଁ ବ୍ୟବସାୟୀମାନେ ମାଲ୍ ମଗାଉ ନ ଥିବାରୁ ଆଜି କୁବେରପୁରୀର ବହୁ ପିଆଜ ଗୋଦାମ ଖାଁ ଖାଁ ହୋଇପଡ଼ିଥିଲା। ତୁର୍କୀ ଓ ଇଜିପ୍ଟ ପିଆଜ ଆସିବା ପରେ ପରିସ୍ଥିତି ବଦଳିବା ଆଶା କରାଯାଉଥିଲେ ବି ଆହୁରି ମାସଟିଏ ପିଆଜ ଖାଉଟିଙ୍କୁ କନ୍ଦେଇବା ନିଶ୍ଚିତ।

ଆଇଗିଣିଆ କୁବେରପୁରୀରୁ ମିଳିଥିବା ତଥ୍ୟ ଅନୁସା‌ରେ, ଗତକାଲିଠାରୁ ଆନ୍ଧ୍ରପ୍ରଦେଶର ତାଡାପଲ୍ଲୀ ଗୁଡ଼ୁମ୍‌ ଓ କର୍ଣ୍ଣୁଲ ମଣ୍ଡିରେ ନୂଆ ଖରିଫ ପିଆଜର ପାଇକାରୀ ଦର ୯୦ ଟଙ୍କା ହୋଇ ଯାଇଛି। ସେହିଭଳି ମହାରାଷ୍ଟ୍ର ନାସିକ୍‌ ଲାସଲ୍‌ଗାଓଁ ସରକାରୀ ମଣ୍ଡିରେ ପୁରୁଣା ରବି ପିଆଜ ପାଇକାରୀ ଦର ୧୦୦ ଟଙ୍କା ହୋଇଛି। ୪ ଦିନ ପୂର୍ବେ ଆନ୍ଧ୍ରପ୍ରଦେଶରେ ପାଇକାରୀ ଦର ୭୦/୭୫ ଟଙ୍କା ଥିବା ବେଳେ ନାସିକ୍‌ରେ ପାଇକାରୀ ଦର ୯୦ ଟଙ୍କା ଥିଲା। କିନ୍ତୁ ଗତକାଲି ସବୁଠାରେ ହାଠତ୍ ୨୦/୨୫ ଟଙ୍କା ଦର ବୃଦ୍ଧି ଘଟିଛି। ଦରବୃଦ୍ଧିର କାରଣ ଉପରେ ବ୍ୟବସାୟୀମାନଙ୍କ କହିବା କଥା, ଆନ୍ଧ୍ରପ୍ରଦେଶରୁ ଅମଳ ହେଉଥିବା ନୂଆ ଖରିଫ୍ ପିଆଜ ପରିମ‌ାଣ କ୍ରମଶଃ କମି କମି ଆସୁଥିବାରୁ ଆପେ ଆପେ ଦର ବୃଦ୍ଧି ହେଉଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ ଓ ମଧ୍ୟପ୍ରଦେଶରୁ ଅମଳ ହେବାକୁ ଥିବା ଖରିଫ୍ ପିଆଜ ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବାରୁ ଆନ୍ଧ୍ରପ୍ରଦେଶ ପିଆଜ ଏହି ଖାଲି ସ୍ଥାନ ପୂରଣ କରିବାକୁ ଯାଇ ଖୁବ୍‌ ଶୀଘ୍ର ସରିବାକୁ ବସିଛି। ଫଳରେ ଆନ୍ଧ୍ରପ୍ରଦେଶର ନୂଆ ପିଆଜ ଦର ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛି। ସେଠିକାର ବଜାର ପରିସ୍ଥିତିକୁ ଦେଖି ଏବେ ଓଡ଼ିଶା ‌ବ୍ୟବସାୟୀମାନେ ପିଆଜ ବେପାର ବନ୍ଦ କରିବାକୁ ଶ୍ରେୟ ମଣିଛନ୍ତି। ବର୍ଧିତ ଦର ସାଙ୍ଗକୁ ବଜାରରେ ଖାଉଟି ଚାହିଦା କମିଥିବାରୁ ବିକ୍ରି ହ୍ରାସ ପାଉଛି ଓ ଗୋଦାମରେ ପିଆଜ ନଷ୍ଟ ହେଉଥିବାରୁ ବହୁ କ୍ଷତି ସହିବାକୁ ପଡ଼ୁଛି। ତେଣୁ ନିହାତି ଆବଶ୍ୟକତାକୁ ପୂରଣ କରିବାକୁ କିଛି ହାତଗଣତି ବ୍ୟବସାୟୀ ପିଆଜ ମଗାଉଛନ୍ତି। ଗତକାଲିଠାରୁ କୌଣସି ବ୍ୟବସାୟୀ ମାଲ୍ ମଗାଇ ନଥିବା ଜଣାପଡ଼ିଛି। ୪ ଦିନ ପୂର୍ବରୁ ଯେଉଁ ୯୦/୧୦୦ ଟନ୍‌ ମାଲ୍‌ ମଗାଯାଇଥିଲା, ତାହା ଗତକାଲି କୁବେରପୁରୀରେ ପହଞ୍ଚିଛି ଓ ଆଜି ଖୁଚୁରା ବଜାରକୁ ଛଡ଼ା ଯାଇଛି। ଫଳରେ ଆଗାମୀ ୪ ଦିନ ବଡ଼ ଭୟଙ୍କର ପରିସ୍ଥିତି ହେବ। ଖାଉଟି ବଜାରରୁ ପିଆଜ ଉଭାନ ହୋଇଯିବା ପରିସ୍ଥିତି ସୃଷ୍ଟି ହେବ।

ସୂଚନାଯୋଗ୍ୟ ଯେ ଏବେ ଦରବୃଦ୍ଧି ସହ ତାଳ ଦେଇ ଖାଉଟି ଚାହିଦା ହ୍ରାସ ପାଇବାରେ ଲାଗିଛି। ତେଣୁ ଖୁଚୁରା ବଜାରରେ ଆମଦାନି ହ୍ରାସ ଯୋଗୁଁ ପିଆଜ ଦର ଆକାଶଛୁଆଁ ହେବାରେ ଲାଗିଛି। ତୁର୍କୀ ଓ ଇଜିପ୍ଟରୁ ପିଆଜ ଆସିବା ପରେ ପରିସ୍ଥିତିରେ ସୁଧାର ଆସିପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ନଚେତ୍‌ ଜାନୁଆରି ୧୫ ପୂର୍ବରୁ ପିଆଜ ତାତିରୁ ନିସ୍ତାର ନାହିଁ ବୋଲି ନୂଆ ପିଆଜ ଅମଳକୁ ଲକ୍ଷ୍ୟ କରି କୃଷି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର