ଖରିଫରେ ହେବ ପିଆଜ ଚାଷ, ପିଆଜରେ ଆତ୍ମନିର୍ଭରଶୀଳ ହେବ ବୌଦ୍ଧ ଜିଲ୍ଲା

ବୌଦ୍ଧ : ପିଆଜ ଚାଷ ପାଇଁ ଅନୁକୂଳ ଜଳବାୟୂ ଓ ମୃତ୍ତିକା ଥିବା ସତ୍ତ୍ବେ ବୌଦ୍ଧ ଜିଲ୍ଲା ଆତ୍ମନିର୍ଭରଶୀଳ ହୋଇ ପାରୁନାହିଁ। ବର୍ତ୍ତମାନ ୫୦ ଟଙ୍କାରେ ଲୋକେ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି। ପିଆଜର ନିଅଣ୍ଟିଆ ସ୍ଥିତିରୁ ମୁକୁଳିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁବାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜାତୀୟ ଉଦ୍ୟାନ କୃଷି ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଏନ୍‌ଏଚ୍‌ଆର୍‌ଡିଏଫ୍‌)ର ଡେପୁଟି ନିର୍ଦ୍ଦେଶକ ଡ. ରଜନୀଶ ମିଶ୍ର, ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଯୋଗେନ୍ଦ୍ରନାଥ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶାରଦା ପ୍ରସାଦ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସୁତନୁ ଶତପଥି, ଏନ୍‌ଏଚ୍‌ଆର୍‌ଡିଏଫ୍‌ର ଯାନ୍ତ୍ରୀକ ଅଧିକାରୀ ରଞ୍ଜିତ ଦାଶ, ଯାନ୍ତ୍ରୀକ ସହାୟକ ଅଭିଳାଷ ମହାକୁଡ଼ ଯୋଗ ଦେଇଥିଲେ।

ସାଧାରଣତଃ ରବି ଋତୁରେ ପିଆଜ ଚାଷ କରାଯାଏ। ଖରିଫ ଋତୁରେ ଜମିରେ ପାଣି ଭଳି ରହିଥିବା ଯୋଗୁଁ ପିଆଜ ଚାଷ ହୋଇପାରେ ନାହିଁ। ପାଣି ଜମା ରହୁ ନଥିବା ଜମି ସହ ଅଧିକ ଯତ୍ନର ଆବଶ୍ୟକ ହୁଏ। ତେଣୁ ଖରିଫରେ ପିଆଜ ଚାଷ କରିବାକୁ ଚାଷୀମାନେ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଚଳିତ ବର୍ଷ ଖରିଫରେ ଚାଷ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଜିଲ୍ଲାର ୩ଟି ବ୍ଲକରେ ପ୍ରାୟ ୫୦ରୁ ୬୦ ହେକ୍ଟର ଜମିରେ ଖରିଫ ପିଆଜ ଚାଷ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଜମି ଚିହ୍ନଟ ଓ ହିତାଧିକାରୀ ଚିହ୍ନଟ କରାଯିବ। ଏହି କ୍ଷେତ୍ରରେ ଘରୋଇ ସଂସ୍ଥାଙ୍କୁ ମଧ୍ୟ ସୁଯୋଗ ଦିଆଯିବ। ଏନ୍‌ଏଚ୍‌ଆର୍‌ଡିଏଫ୍‌ ପକ୍ଷରୁ ବିହନ ଯୋଗାଇବା ସହ ଚାରା ତିଆରି, ରୋପଣ ଆଦି ବିଷୟରେ ବୈଷୟିକ ସହଯୋଗ କରିବ। ରାଜ୍ୟ ସରକାର ରିହାତିର ବ୍ୟବସ୍ଥା କରିବେ। ଚଳିତ ଖରିଫ ଋତୁରେ ମୋଟ୍‌ ୩୭ ହଜାର କ୍ବିଣ୍ଟାଲ ପିଆଜ ଉତ୍ପାଦନ କରିବା ଲକ୍ଷ୍ୟ ରହିଛି। ଏଥି ପାଇଁ ‘ଏଲ-୮୮୩’ ଓ ‘ଏଗ୍ରିଫାଉଣ୍ଡ ଡାର୍କ ରେଡ’ ଆଦି ଦୁଇଟି ପ୍ରଜାତିର ବିହନକୁ ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର