ପିଆଜ ବେକାବୁ ୫୦ ଟପିବ!

ସପ୍ତାହେ ମଧ୍ୟରେ ବଢ଼ିଲାଣି ୧୯ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ଏବେ ପିଆଜ ସଙ୍କଟ। କେଜି ପିଛା ୧୦ରୁ ୧୫ଟଙ୍କା ମଧ୍ୟରେ ରହିବା ବଦଳରେ ଏବେ ପିଆଜ ୪୫ଟଙ୍କାରେ ବିକ୍ରି ହେଉଛି। ହେଲେ ଯୋଗାଣ ବିଭାଗର ଏହା ଉପରେ ନଜର ନାହିଁ। ସ୍ଥିତି ଏପରି ହେଲାଣି ଯେ, ଖୁଚୁରା ବଜାରରେ ପିଆଜ ଦର ଖୁବ୍‌ ଶୀଘ୍ର ୫୦ ପାର୍‌ ହୋଇଯିବ। ଖାଲି ପିଆଜ ନୁହେଁ ଆଳୁ ବି କେଜି ପିଛା ୧୦ଟଙ୍କା ଛୁଇଁଲାଣି। ଏବେ ଏହା ଉପରେ ଲଗାମ୍‌ ନ କଷିଲେ ଆଳୁ ବି ୧୫ଛୁଇଁଯିବ।

ଆଜି ଖୁଚୁରା ବଜାରରେ ପିଆଜ କେଜି ପିଛା ୪୫ଟଙ୍କାରେ ବିକ୍ରି ହୋଇଛି। ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବର୍ଷା ଯୋଗୁଁ ଏଥର ପିଆଜ ଚାଷ ପ୍ରଭାବିତ ହୋଇଛି। ଯେତିକି ପିଆଜ ଅମଳ ହେବା କଥା ତାହାର ୨୦% କମ୍‌ ଅମଳ ହୋଇଛି। ତେଣୁ ପିଆଜ ଦର ହଠାତ୍‌ ବଢ଼ିଯାଇଛି। ଗତ ମାସରେ ପିଆଜ ଖୁଚୁରା ବଜାରରେ ୨୦ରୁ ୨୬ଟଙ୍କା ମଧ୍ୟରେ ବିକ୍ରି ହେଉଥିବାବେଳେ ଚଳିତ ମାସରେ ଏହା ବଢ଼ିଛି। ନାସିକ୍‌ ପିଆଜ ଏବେ ଅମଳ ହେବା ସମୟ ଆସିଲାଣି। ସେଠାରେ ଭଲ ଚାଷ ହୋଇଛି। ଏହି ପିଆଜ ଡିସେମ୍ବରରେ ଓଡ଼ିଶା ବଜାରକୁ ଆସିବ। ଏହାପରେ ଦାମ୍‌ କିଛି କମିବ। ଏହି ପିଆଜ ଆସିଲେ ସାଧାରଣତଃ ପିଆଜ କେଜି ପିଛା ୧୦ରୁ ୧୫ଟଙ୍କା ରହିଥାଏ। ହେଲେ ଚଳିତବର୍ଷ ଏହି ସମ୍ଭାବନା କମ୍‌। ଡିସେମ୍ବରରେ ବି ପିଆଜ ଦର ଅଧିକ ରହିବ। କେଜି ପିଛା ୨୦ରୁ ୨୫ଟଙ୍କା ରହିପାରେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

କେବଳ ପିଆଜ ନୁହେଁ ଆଳୁ କେଜି ମଧ୍ୟ ମାସକରେ ପ୍ରାୟ ଦୁଇ ଟଙ୍କା ବଢ଼ି ୧୦ଟଙ୍କା ହେଲାଣି। ଏନେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଏବେ ଆଳୁ ୨୦ଟଙ୍କା ହେବା କଥା। କିନ୍ତୁ ହୋଇନି। ଗତବର୍ଷ ଏହି ସମୟରେ ଆଳୁ କେଜି ୧୮ଟଙ୍କାରେ ବିକ୍ରି ହୋଇଥିଲା। ଆଳୁ ବ୍ୟବସାୟୀମାନେ କ୍ଷତିରେ ଥିଲେ ହେଁ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିନି। ଆଳୁ କୁଇଣ୍ଟାଲ ଏବେ ୬୦୦ରୁ ୬୫୦ଟଙ୍କା ଅଛି। ଖୁଚୁରା ବଜାରରେ ଆଳୁ ଦାମ୍‌ ଠିକ୍‌ ଅଛି। ନୂଆ ଆଳୁ ଅମଳ ହେଲେ ବି ଆଳୁ ଏବେ କମିବାର ନାହିଁ।

ସମ୍ବନ୍ଧିତ ଖବର