ପିଆଜ ୫୦ ଟପିଲା, ଅକ୍ଟୋବର‌ରେ ୧୦୦ ଟପିବ!

ଭୁବନେଶ୍ୱର : ଗତକାଲି ଠାରୁ ହଠାତ୍ ପିଆଜ କିଲୋ ପିଛା ୫୦ ଟଙ୍କା ଟପିଯାଇଛି। ଗତ ସପ୍ତାହରେ ବଜାରରେ କିଲୋ ପିଛା ୩୫ ଟଙ୍କା ଥିବା ପିଆଜ ହଠାତ୍ ୫୦ ଟଙ୍କା ଡେଇଁଛି। ସ୍ଥାନ ଦେଖି କିଛି କିଛି ବଜାରରେ ପିଆଜ ୬୦ ଟଙ୍କା ଛୁଇଁଥିବା ଜଣାପଡ଼ିଛି। ମାତ୍ର ଗୋଟିଏ ସପ୍ତାହରେ କିଲୋ ପିଛା ୧୫ ଟଙ୍କା ବଢ଼ିବା ଦ୍ବାରା ବଜାର ତାତିରେ ଖାଉଟି ମହଲ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଗରିବ ଖାଉଟିମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଦର ବୃଦ୍ଧିକୁ ନେଇ ବ୍ୟବସାୟୀ ମହଲରୁ ଆମଦାନୀ ହ୍ରାସର କଥା କୁହାଯାଉଥିବା ବେଳେ ଅନେକ ଏହାକୁ କେନ୍ଦ୍ର ସରକାରଙ୍କ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ପ୍ରଭାବ ବୋଲି କହିବା ଆରମ୍ଭ କରିଛନ୍ତି। ସାମୟିକ ହେଉ ପଛେ, ଅସାଧୁ ବ୍ୟବସାୟୀମାନେ ଏହି ମଉକାରେ ମୁନାଫା ଉଠାଇବାକୁ ଉଦ୍ୟମ କରିବାରୁ ଏହି ଦର ବୃଦ୍ଧି ଘଟିଛି ବୋଲି ଚର୍ଚ୍ଚା ହେଉଛି। ତେବେ ସରକାରୀ ନିୟନ୍ତ୍ରଣ ନ ରହିଲେ ଏହି ଦର ଅକ୍ଟୋବର ଓ ନଭେମ୍ବର ମାସ(ନୂଆ ପିଆଜ ଅମଳ ପର୍ଯ୍ୟନ୍ତ) ସୁଦ୍ଧା କିଲୋ ପିଛା ୧୦୦ ଟଙ୍କାକୁ ଟପିବ ବୋଲି ଆଶଙ୍କା କରାଗଲାଣି।

ଆଜି ରାଜଧାନୀର ବିଭିନ୍ନ ବଜାରରୁ ମିଳିଥିବା ସୂଚନାନୁସାରେ କେଉଁଠାରେ ବି ପିଆଜ କିଲୋ ୫୦ ଟଙ୍କା ତଳକୁ ନାହିଁ। କ୍ୟାପିଟାଲ ହାଟରେ ପିଆଜ ମାନ ଅନୁସାରେ ୫୦ ଟଙ୍କାରୁ ଆରମ୍ଭ କରି ୫୫ ଟଙ୍କା ପର୍ଯ୍ୟନ୍ତ ଥିଲା। ତେବେ କିଛି କିଛି ଛୋଟ ହାଟମାନଙ୍କରେ କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବା ଖାଉଟିମାନେ କହିଛନ୍ତି। ଆଇଗିଣିଆ କୁବେରପୁରୀରୁ ମିଳିଥିବା ତଥ୍ୟ ଅନୁସାରେ ପିଆଜର ପାଇକାରୀ ଦର ୪୦ ଟଙ୍କାରୁ ୪୩ ଟଙ୍କା ପର୍ଯ୍ୟନ୍ତ ରହିଛି। ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ପିଆଜର ପାଇକାରୀ ଦର ୪୦ ଟଙ୍କା ରହିଥିବା ବେଳେ ମହାରାଷ୍ଟ୍ରରୁ ଆସୁଥିବା ପିଆଜ ୪୩ ଟଙ୍କା ରହିଛି। ତେଣୁ ପାଇକାରୀ ଦର ବୃଦ୍ଧି ପାଇଥିବାରୁ ସ୍ବତଃ ଖୁଚୁରା ବଜାରରେ ଦର ବୃଦ୍ଧି ଘଟିଛି। ତେବେ ନିୟମାନୁସାରେ ପାଇକାରୀ ଦର ଓ ଖୁଚୁରା ଦର ମଧ୍ୟରେ ୫ ଟଙ୍କାର ଫରକ ରହିବା କଥା। କିନ୍ତୁ ‌ରାଜ୍ୟ ଯୋଗାଣ ବିଭାଗର ବଜାର ତନଖି ବ୍ୟବସ୍ଥାରେ ଅବହେଳା ପାଇଁ ଖୁଚୁର ବେପାରୀମାନେ ଖାଉଟିଙ୍କୁ ଶୋଷଣ କରୁଛନ୍ତି ବୋଲି ପୂର୍ବ ଭଳି ଅଭିଯୋଗ ହୋଇଛି।

ଦର ବୃଦ୍ଧିର କାରଣକୁ ବ୍ୟବସାୟୀମାନଙ୍କ କହିବା କଥା ଅଗଷ୍ଟ ମାସରେ ଆନ୍ଧ୍ରପ୍ରଦେଶର କର୍ଣୁଲ୍‌, ଗୁଡୁମ୍‌ ଓ କର୍ଣାଟକର ବିଭିନ୍ନ ଅଞ୍ଚଳରେ ମହଜୁଦ୍ ଥିବା ବିପୁଳ ପରିମାଣର ପିଆଜ(ରବି ଋତୁ ଅମଳ) ଖରାପ ହୋଇ ଯାଇଛି। ତେଣୁ ଏହି ଦୁଇ ରାଜ୍ୟରୁ ଆଉ ଅଧିକ ପିଆଜ ବାହାରକୁ ଆସିବା ସମ୍ଭାବନା ନାହିଁ। ଖରିଫ୍ ଋତୁ ଚାଷ ମଧ୍ୟ ବହୁ ପରିମାଣରେ ନଷ୍ଟ ହୋଇଛି। ସେହିଭଳି ସମାନ ଅବସ୍ଥା ମହାରାଷ୍ଟ୍ରରେ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବଡ଼ ବଡ଼ ଗୋଦାମରେ ମହଜୁଦ୍ ଥିବା ପିଆଜ ନଷ୍ଟ ହୋଇଛି। ତେଣୁ ବଜାରକୁ ପିଆଜ ଆମଦାନୀ ବେଶ୍ ହ୍ରାସ ପାଇଛି। ବଡ଼ କଥା ହେଉଛି ନଷ୍ଟ ହୋଇଥିବା ପିଆଜର କ୍ଷତି ଭରଣା କରିବାକୁ ଏବେ ମହଜୁଦ୍‌କାରୀମାନେ(ଉଭୟ ଚାଷୀ ଓ ବ୍ୟବସାୟୀ) ବଜାରକୁ କମ୍ ପରିମାଣର ପିଆଜ ଛାଡ଼ୁଛନ୍ତି। ଦର ବୃଦ୍ଧିରୁ କ୍ଷତି ଭରଣା କରିବାକୁ ସେମାନେ ଏହି ପନ୍ଥା ଆପଣେଇଛନ୍ତି। ତେଣୁ ଦିନକୁ ଦିନ ଦର ବୃଦ୍ଧି ଘଟୁଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ନାସିକ୍‌ ଓ ଲାସଲ୍‌ଗାଓଁ ମଣ୍ଡିରେ ପିଆଜର ପାଇକାରୀ ଦର ୨୮/୨୯ ଟଙ୍କା ଥିବାବେଳେ ଏବେ ବଢ଼ି ବଢ଼ି ୩୭/୩୮ ଟଙ୍କାରେ ପହଞ୍ଚିଛି। ତେଣୁ ଓଡ଼ିଶା ବଜାରରେ ପିଆଜ ପହଞ୍ଚିଲା ବେଳକୁ ପରିବହନ ଖର୍ଚ୍ଚ ସହ ପାଇକାରୀ ଦର ୪୦ ଟଙ୍କାଠାରୁ ଅଧିକ କରିବାକୁ ବ୍ୟବସାୟୀମାନେ ବାଧ୍ୟ ହେଉଛନ୍ତି। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ପୂର୍ବରୁ ଏଠାକୁ ୨୫୦ ଟନ୍‌ ପିଆଜ ଆସୁଥିଲା। କିନ୍ତୁ ଏବେ ମାତ୍ର ୧୨୦ ରୁ ୧୫୦ ଟନ୍‌ ମାଲ୍ ଆସୁଛି। ଆନ୍ଧ୍ର ପ୍ରଦେଶ ଓ କର୍ଣାଟକରୁ ଦୈନିକ ମାତ୍ର ୨୦ ରୁ ୩୦ ଟନ୍‌ ଭିତରେ ପିଆଜ ଆସୁଛି। ତେଣୁ ସମଗ୍ର ଭାରତ ପାଇଁ ଏବେ କେବଳ ମହାରାଷ୍ଟ୍ର ପିଆଜ ଭରସା। ଫଳରେ ଦର ବଢ଼ିବା ସ୍ବାଭାବିକ କଥା। ତେବେ ଏହି ଦର ବୃଦ୍ଧି ନଭେମ୍ବର ପର୍ଯ୍ୟନ୍ତ ରହିବ ଓ ଖରିଫ୍ ପିଆଜ ଅମଳ ଆରମ୍ଭ ହେବା ପରେ ଦର ସ୍ବତଃ ହ୍ରାସ ପାଇବ।

ସୂଚନାଯୋଗ୍ୟ ଯେ ଆଳୁ ଦର ଏବେ ଗୋଟିଏ ସପ୍ତାହ ହେଲା ୩୫ ଟଙ୍କାରେ ସ୍ଥିର ରହିଛି। ନିକଟ ଭବିଷ୍ୟତରେ ଆଉ ଦର ବୃଦ୍ଧିର ସମ୍ଭାବନା ନାହିଁ। କିନ୍ତୁ କିଛି ବ୍ୟବସାୟୀମାନଙ୍କ ପ୍ରତିକ୍ରିୟାରୁ ଜଣାପଡ଼ିଛି ଯେ ଆଳୁ ଦର ମଧ୍ୟ ବଢ଼ିବ। ନୂଆ କୃଷି ଆଇନ ଦ୍ବାରା ମହଜୁଦ୍ ସୀମା ହଟାଇ ଦିଆଯାଉଥିବାରୁ ଏହାର ଫାଇଦା ନେବେ ବଡ଼ ବଡ଼ ବ୍ୟବସାୟୀମାନେ। ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ସେମାନେ ଦରବୃଦ୍ଧି ଘଟାଇବା କିଛି ଅସମ୍ଭବ ନୁହେଁ। ତେଣୁ ଏ କ୍ଷେତ୍ରରେ ସରକାରଙ୍କ ଦର ନିୟନ୍ତ୍ରଣ ପଦକ୍ଷେପକୁ ଦେଖିବା କଥା ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର