ଭୁବନେଶ୍ବର: ରାଜ୍ୟରେ ପିଆଜ ଦର ଆକାଶଛୁଆଁ। କାର୍ତ୍ତିକମାସରେ ପିଆଜ ବ୍ୟବହାର କମ ହୋଇଥିଲେ ବି ଭୁବନେଶ୍ବରରେ ପିଆଜ ୭୦ ଟଙ୍କାରେ ବିକ୍ରି ହେଲାଣି। ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ପିଆଜର ଚଢ଼ା ଦରରୁ ନିସ୍ତାର ମିଳିବନି। ଆଜି ଖୋଦ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ପିଆଜ ଦର ଆହୁରି ୬ରୁ ୧୦ ଟଙ୍କା ବଢ଼ିପାରେ। ଏଥିପାଇଁ ବିକଳ୍ପ ବ୍ୟବସ୍ଥା ସ୍ବରୁପ ଖାଉଟିମାନଙ୍କୁ ଯୋଗାଣ ବିଭାଗ ରିହାତି ଦରରେ ପିଆଜ ଯୋଗାଇବା ନେଇ ବିଚାର କରୁଥିବା ସେ କହିଛନ୍ତି। ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ, ରାଜ୍ୟର ପିଆଜ ଚାହିଦା ପୂରଣ କରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଅଦିନିଆ ବର୍ଷା ଲାଗି ରହିବାରୁ ସେସବୁ ରାଜ୍ୟରେ ପିଆଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଓଡ଼ିଶାରେ ପିଆଜ ଅଭାବ ଦେଖାଦେଇଛି। ଅନ୍ୟପଟେ ଅମଳ ହେଉଥିବା ନୂଆ ପିଆଜ ଆନ୍ଧ୍ର ପ୍ରଦେଶରୁ କମ ଆସୁଛି। ମହାରାଷ୍ଟ୍ରର ନାସିକ, କର୍ଣ୍ଣାଟକରୁ ପିଆଜ ନ ଆସିବା ଯାଏ ରାଜ୍ୟରେ ପିଆଜର ଦର ବୃଦ୍ଧି ଲାଗି ରହିବ। ଅନ୍ୟପଟେ ନାଫେଡ୍ ଜରିଆରେ ପିଆଜ ଆମଦାନୀ କଲେ ଖର୍ଚ୍ଚ ବହୁତ ପଡ଼ୁଥିବାରୁ ରାଜ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ଆଖିରେ ରଖି ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇଦେବାକୁ ବିଭାଗ ବିଚାର କରୁଥିବା ସେ କହିଥିଲେ।

Advertisment

ମଙ୍ଗଳବାର ଭୁବନେଶ୍ବର ସ୍ଥିତ କୁବେରପୁରୀ ମଣ୍ଡିରେ ଆନ୍ଧ୍ରରୁ ଆସୁଥିବା ନୂଆ ପିଆଜର ପାଇକରୀ ଦର କିଲୋ ପ୍ରତି ୪୫ରୁ ୫୦ ଟଙ୍କାରେ ବିକ୍ରି ହୋଇଥିବାବେଳେ ନାସିକ ପିଆଜର ପାଇକରୀ ମୂଳ୍ୟ କିଲୋ ପ୍ରତି ୫୦ରୁ ୫୫ ଟଙ୍କା ବିକ୍ରି ହୋଇଛି। କିନ୍ତୁ ଖୁଚୁରା ବଜାରରେ ଖାଉଟିମାନଙ୍କୁ ୬୫ରୁ ୭୦ ଟଙ୍କାରେ ପିଆଜ ବିକ୍ରି ହେଉଛି। ଚଳିତବର୍ଷ ପିଆଜ ଦର ବୃଦ୍ଧି ଉପରେ ସରକାର କୌଣସି ନିୟନ୍ତ୍ରଣ ପାଉନଥିବା ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି।