ଭୁବନେଶ୍ବର : ସାରା ରାଜ୍ୟରେ ପିଆଜ ଦର କମିବା ନାଁ ଧରୁନି। ରାଜଧାନୀରେ ଖୁଚୁରା ବଜାର ଦର ୮୦ ଟଙ୍କା ଛୁଇଁଛି। ଆଗକୁ ଆହୁରି ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ ଓ ଖୁବ୍ ଶୀଘ୍ର ପିଆଜ ୧୦୦ ଟଙ୍କା ଡେଇଁବ ବୋଲି ବ୍ୟବସାୟୀ ମହଲରୁ ଜଣାପଡ଼ିଛି। ମହାରାଷ୍ଟ୍ରର ନାସିକ୍, ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍ ଓ ଗୁଡ଼ୁମ୍ ଆଦି ଅମଳ ସ୍ଥାନରେ ଦର ବୃଦ୍ଧି ଓ ଅହେତୁକ ଭାବେ ଅମଳ ହ୍ରାସ ପାଇଥିବାରୁ ପିଆଜ ବଜାରରେ ନିଆଁ ଲାଗିଥିବା କୁହାଯାଉଛି।
ଆଜି କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ପିଆଜର ପାଇକାରୀ ଦର କିଲୋ ପିଛା ୬୫ରୁ ୬୮ ଟଙ୍କା ରହିଛି। ଛୋଟ ପିଆଜ କିଲୋ ପିଛା ୬୦ରୁ ୬୨ ଟଙ୍କା ରହିଥିବାବେଳେ ବଡ଼ ଓ ଭଲ ମାନର ପିଆଜ କିଲୋ ପିଛା ୭୦ ଟଙ୍କା ଉପରେ ରହିଛି। ଗତ ଦୁଇ ସପ୍ତାହ ପୂର୍ବେ ପିଆଜ ଦର ହ୍ରାସ ପାଇଥିଲା। ପାଇକାରୀ ଦର କିଲୋ ପିଛା ୩୫ରୁ ୪୦ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ ୪୫ ଟଙ୍କା ଦରରେ ପିଆଜ ମିଳୁଥିଲା। ମାତ୍ର ଗତ ସପ୍ତାହରେ ସରକାର ପିଆଜ ଉପରୁ ରପ୍ତାନି କଟକଣା ପ୍ରତ୍ୟାହର କରିନେବାରୁ ପୁଣି ଦର ବୃଦ୍ଧି ହେଲା। ତେବେ ଗତକାଲି ସୁଦ୍ଧା ପାଇକାରୀ ବଜାରରେ ଦର ୫୦/୫୫ ଟଙ୍କା ଥିବାବେଳେ ଆଜି ହଠାତ୍ ଦର ୧୫ ଟଙ୍କା ବୃଦ୍ଧି ଘଟିଛି। ଗତକାଲିଠାରୁ ଆମଦାନି କମିଯିବାରୁ ସ୍ଥିତି ଏଭଳି ହୋଇଛି। ଆଜି କୁବେରପୁରୀରେ ବହୁ ଗୋଦାମ ଖାଲି ପଡ଼ିଥିବା ଦେଖିବାକୁ ମିଳିଛି। କେତୋଟି ବଡ଼ ଗୋଦାମକୁ ବାଦ୍ ଦେଲେ ଅନ୍ୟ ଛୋଟ ଗୋଦାମ ପ୍ରାୟ ସବୁ ଖାଲି ପଡ଼ିଛି। ତେଣୁ ଦୁଇ ଦିନ ହେଲା ପିଆଜ ଆମଦାନି ବେଶ୍ ପ୍ରଭାବିତ ହୋଇଥିବା ସ୍ପଷ୍ଟ ହୋଇଛି।
କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନାନୁସାରେ ପୂର୍ବରୁ ଦୈନିକ ୨୦ ଟ୍ରକ୍ ପିଆଜ (ହାରାହାରି ୨୫୦ ଟନ୍) ଆସୁଥିବାବେଳେ ଏବେ ମାତ୍ର ୫/୬ ଟ୍ରକ୍ (ପ୍ରାୟ ୮୦ ଟନ୍) ମାଲ୍ ଆସୁଛି। ନାସିକ୍ ଓ କର୍ଣ୍ଣୁଲ୍ରୁ ପିଆଜ ଆମଦାନି ବହୁ ମାତ୍ରାରେ କମି ଯାଇଛି। ସେଠାରୁ ନୂଆ ପିଆଜ ମଧ୍ୟ ଅମଳ ହୋଇନାହିଁ। ବିଳମ୍ବିତ ବର୍ଷା ଯୋଗୁଁ ପିଆଜ ଚାଷ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଯେତିକି ନୂଆ ପିଆଜ ବାହାରିବା କଥା, ତାହା ବର୍ଷାରେ ନଷ୍ଟ ହୋଇଯାଇଛି ବୋଲି କୁହାଯାଉଛି। କେବଳ ଆନ୍ଧ୍ରପ୍ରଦେଶର ତାଡ଼ାପଲ୍ଲୀ ଗୁଡ଼ୁମ୍ ହିଁ ଏବେ କିଛି ମାଲ୍ ଯୋଗାଉଥିବାରୁ ବଜାରରେ ପିଆଜ ଦେଖିବାକୁ ମିଳୁଛି। ନଚେତ୍ ପିଆଜ ବଜାର ଫାଙ୍କା ପଡ଼ିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇ ସାରନ୍ତାଣି। ପରିସ୍ଥିତି ଯାହା ଆସନ୍ତା ଜାନୁଆରି ୧୫ ପୂର୍ବରୁ ଦର କମିବା ଆଶା କ୍ଷୀଣ ବୋଲି ସେ ସୂଚନା ଦେଇଛନ୍ତି। ବ୍ୟବସାୟୀମାନଙ୍କ କହିବା କଥା ହେଲା; ଦରବୃଦ୍ଧି କାରଣରୁ ଏବେ ସେମାନେ ଅଧିକ ମାଲ୍ କିଣିବାକୁ ଭୟ କରୁଛନ୍ତି। ଅଧିକ ଦାମ୍ରେ ମାଲ୍ କିଣି ଜମା କରିବା ଅର୍ଥ ବିପୁଳ କ୍ଷତି ସହିବା। ଆନ୍ଧ୍ରପ୍ରଦେଶ ହେଉ କି ମହାରାଷ୍ଟ୍ର ହେଉ, ଚଳିତ ବର୍ଷ ସବୁ ପିଆଜ ବର୍ଷା ମାଡ଼ ଖାଇଥିବାରୁ ଅଧିକ ଦିନ ରହୁନାହିଁ। ଏଣେ ବର୍ଦ୍ଧିତ ଦର ପାଇଁ ବିକ୍ରି ହ୍ରାସ ପାଇଥିବାବେଳେ ଗୋଦାମରେ ଅଧିକ ଦିନ ବସ୍ତାରେ ରହିଲେ ପିଆଜ ପଚି ଯାଉଛି। ତେଣୁ ମାପିଚୁପି ମାଲ୍ ମଗାଇବାକୁ ପଡ଼ୁଛି।
ସେହିଭଳି ଖୁଚୁରା ବଜାରରୁ ମିଳିଥିବା ତଥ୍ୟ ଅନୁସାରେ ପାଇକାରୀ ଦର ୬୮/୭୦ ଟଙ୍କା ଥିଲେ ବି ଖୁଚୁରାରେ ବିକିବା ବେଳେ ଗୋଟିଏ ବସ୍ତାରୁ ପ୍ରାୟ ୩/୪ କିଲୋ ଖରାପ ପିଆଜ ବାହାରୁଛି। କିଲୋ ୮୦ ଟଙ୍କା ନ ହେଲେ, କେବଳ ଗଧ ଖଟିବା ସାର ହେବ। ତେଣୁ କିଣାକୁ ବିକା ନ୍ୟାୟରେ ଖୁଚୁରା ବଜାର ଦର ବଢ଼ିଛି। ସୂଚନାଯୋଗ୍ୟ, ବୁଧବାର ରାଜଧାନୀର ବହୁ ହାଟ ବଜାରରେ ପିଆଜ କିଲୋ ୮୦ ଟଙ୍କା ହୋଇଥିବାବେଳେ କିଛି କିଛି ସ୍ଥାନରେ ଭଲ ମାନର ପିଆଜ କିଲୋ ୯୦ ଟଙ୍କାରେ ବିକ୍ରି ହେଉଛି।