ବଢ଼ୁଛି ପିଆଜ ଦର

ଖଣ୍ଡଗିରି : ଅଚାନକ ପିଆଜ ବଜାରର ତାତି ବଢ଼ିଯାଇଛି। ମାତ୍ର ଦୁଇ ସପ୍ତାହରେ ପାଇକାରୀ ଦର ୧୨ଟଙ୍କାରୁ ବଢ଼ି ବଢ଼ି ୩୦ ଟଙ୍କାରେ ପହଞ୍ଚିଛି। ଆଗକୁ ଆହୁରି ବଢ଼ିବ ବୋଲି ବ୍ୟବସାୟୀମାନେ କହିଲେଣି। ଦିନେ ଦୁଇ ଦିନ ଭିତରେ ଏହା ୪୦ ଟଙ୍କାକୁ ଛୁଇଁବ ବୋଲି ସେମାନେ ଭବିଷ୍ୟବାଣୀ କଲେଣି। ପରିମାଣ ଅନୁସାରେ ଓଡ଼ିଶାକୁ ଆମଦାନି ଠିକ୍‌ ଥିଲେ ବି ମହାରାଷ୍ଟ୍ରର ନାସିକ୍‌ ଓ ଦକ୍ଷିଣ ଭାରତର କର୍ଣୁଲ୍‌ ଭଳି ପିଆଜ ଅମଳ ହେଉଥିବା ସ୍ଥାନରେ ଦର ଉଚ୍ଚା ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି। ଅମଳ ଋତୁ ହୋଇଥିବା ସତ୍ୱେ ଲଗାଣ ବର୍ଷା ଓ ବିଦେଶକୁ ରପ୍ତାନି ପାଇଁ ପିଆଜ ଦର ବଢ଼ିବାରେ ଲାଗିଛି ବୋଲି କୁହାଯାଉଛି। ତେବେ ପାଇକାରୀ ଦର ବଢ଼ୁ କି ନ ବଢ଼ୁ, ଖୁଚୁରା ବଜାରରେ ବ୍ୟବସାୟୀମାନେ ମନମୁଖୀ କାରବାର କରୁଥିବା ଅଭିଯୋଗ ହେଉଛି। ଥରେ ଦର ବୃଦ୍ଧି ବୋଲି ଖବର ପ୍ରଘଟ ହେବା ମାତ୍ରେ ସେମାନଙ୍କ ଲାଭ ଦେଢ଼ଗୁଣା ଦୁଇ ଗୁଣା ହୋଇଯାଉଛି। ପ୍ରଶାସନିକ ଲଗାମ୍‌ ନଥିବାରୁ ଖୁଚୁରା ମାର୍କେଟ୍‌ରେ ବ୍ୟବସାୟୀମାନେ ଖାଉଟିମାନଙ୍କୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି।

ଦୁଇ ସପ୍ତାହ ପୂର୍ବେ ପିଆଜର ପାଇକାରୀ ଦର ୧୨ ଟଙ୍କା ଥିଲା। ଖୁଚୁରା ବଜାରରେ ଦେଢ଼ କିଲୋକୁ ୨୦ ଟଙ୍କାରେ ବିକ୍ରି ହେଉଥିଲା। ମାତ୍ର ଏବେ ୧୫ ଦିନ ଭିତରେ ଏହା ୩୦ ଟଙ୍କାକୁ ଟପିଗଲାଣି। ଆଜି କ୍ୟାପିଟାଲ ହାଟରେ କିଲୋ ପିଛା ୩୨ରୁ ୩୫ ଟଙ୍କା ପର୍ଯ୍ୟନ୍ତ ଦରରେ ପିଆଜ ବିକ୍ରି ହୋଇଛି। ଭଲ ପିଆଜର ଦର ୩୨ରୁ ୩୫ ଟଙ୍କା ହୋଇଥିବାବେଳେ ଛୋଟ ତଥା ସାମାନ୍ୟ ନିମ୍ନମାନର ପିଆଜ କିଲୋ ୨୬ ଟଙ୍କାରେ ବିକ୍ରି ହୋଇଛି। କୁବେରପୁରୀରେ ପାଇକାରୀ ଦର ୨୪/୨୫ ଟଙ୍କା ରହିଛି। ବଡ଼ ତଥା ଭଲ ପିଆଜର ପାଇକାରୀ ଦର ୨୮ରୁ ୩୦ ଟଙ୍କା ଥିଲା। ପାଇକାରୀ ଦରଠାରୁ ଅତିବେଶୀରେ ୪ ଟଙ୍କା ଲାଭ ରଖି ଖୁଚୁରା ବେପାରୀମାନେ ବିକିବା କଥା। ଫଳରେ ଛୋଟ ତଥା ନିମ୍ନବର୍ଗର ପିଆଜ ଦର ଖୁଚୁରା ବଜାରରେ କିଲୋ ପିଛା ୨୮ ଟଙ୍କାରେ ସୀମିତ ରହିବା କଥା। କିନ୍ତୁ ଦେଖାଯାଉଛି ଛୋଟ ପିଆଜକୁ ବି ଖୁଚୁରା ବେପାରୀମାନେ ୩୦ ଟଙ୍କାରୁ ଅଧିକ ଦରରେ ବିକୁଛନ୍ତି। ଫଳରେ ସେମାନଙ୍କ ଲାଭ ଦେଢ଼ଗୁଣା ହେଉଛି। କିଛି କିଛି ଛୋଟ ମାର୍କେଟ୍‌ରେ ତ ଖୁଚୁରା ବେପାରୀମାନେ ମନଇଚ୍ଛା କିଲୋ ୩୫ ଟଙ୍କାରେ ବିକି ଖାଉଟିଙ୍କୁ ଶୋଷଣ କରୁଛନ୍ତି। ଦର ବଢ଼ିଗଲା ବଢ଼ିଗଲା ବୋଲି ବଜାରରେ ଅପପ୍ରଚାର କରି ଖାଉଟିଙ୍କୁ ଭୋକୁଆ ବନାଉଛନ୍ତି।

ଦରବୃଦ୍ଧି ନେଇ ବ୍ୟବସାୟୀମାନଙ୍କ କହିବା କଥା ସରକାର ପିଆଜ ରପ୍ତାନି ଉପରୁ କଟକଣା ହଟାଇ ଦେଇଛନ୍ତି। ମହାରାଷ୍ଟ୍ରର ନାସିକ୍‌ରୁ ପ୍ରତିଦିନ ଲକ୍ଷ ଲକ୍ଷ ଟନ୍‌ ପିଆଜ ବିଦେଶକୁ ରପ୍ତାନି ହେଉଛି। ଚାଷୀମାନଙ୍କ ଫାଇଦା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ଚାଷୀମାନେ ଏବେ ରପ୍ତାନିମୁହାଁ ହୋଇଛନ୍ତି। ଖାଲି ନାସିକ୍‌ ନୁହେଁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟମାନେ ମଧ୍ୟ ପିଆଜ ରପ୍ତାନି ନୀତିକୁ କୋହଳ କରି ଦେଇଛନ୍ତି। ତେଣୁ ଦେଶ ଭିତରେ ପିଆଜ ବଣ୍ଟନ ବ୍ୟବସ୍ଥାରେ ବିଗିଡ଼ି ଯାଇଛି। ରପ୍ତାନି ଉପରୁ କଟକଣା ହଟାଯିବା ସହ ଦକ୍ଷିଣ ଭାରତରେ ଲଗାଣ ବର୍ଷା ମଧ୍ୟ ପିଆଜ ଦର ବୃଦ୍ଧି ଘଟାଉଛି। ବର୍ଷା ଯୋଗୁଁ ପିଆଜ ନଷ୍ଟ ହେଉଥିବାରୁ ଦର ବଢ଼ିଛି ବୋଲି ପାଇକାରୀ ବ୍ୟବସାୟୀମାନେ କହିଛନ୍ତି। ତେବେ ଏଭଳି ସ୍ଥିତି ଅଧିକ ଦିନ ରହିବ ନାହିଁ। ଅତିବେଶିରେ ଦୁଇ ତିନି ସପ୍ତାହ ଭିତରେ ପୁଣି ଦର ଖସିଯିବ। ରପ୍ତାନି ବଢ଼ିଥିଲେ ବି ନାସିକ୍‌ରେ ପ୍ରଚୁର ପିଆଜ ରହିଛି ଓ ଆଗକୁ ଅମଳ ଋତୁ ଆସୁଛି। ତେଣୁ ବର୍ଷା କମିଲେ ଦର ପୁଣି ସ୍ୱତଃ କମିବା ଆଶା କରାଯାଉଛି। ତେବେ ସରକାରଙ୍କ ରପ୍ତାନି ନୀତିକୁ ବି ଅପେକ୍ଷା କରିବାକୁ ପଡ଼ିବ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ଏହାବାଦ୍‌ ରାଜ୍ୟ ଯୋଗାଣ ବିଭାଗ ବି ଏଭଳି ସ୍ଥିତିରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ବହୁ ପୁରୁଖା ବ୍ୟବସାୟୀମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର