ଭୁବନେଶ୍ବର : ଚାରି ମାସ ପୂର୍ବେ ପିଆଜ ଖାଉଟିଙ୍କୁ କନ୍ଦାଉଥିଲା। କିନ୍ତୁ ଏବେ ପିଆଜ କାନ୍ଦୁଛି। ଏକଦା ୧୦୦ ଟଙ୍କା ଟପି ଯାଇଥିବା ପିଆଜ ଏବେ କିଲୋ ପିଛା ୧୨ରୁ ୧୫ ଟଙ୍କାରେ ଯାଚିଗୁଞ୍ଜି ବିକ୍ରି ହେଉଛି। ଚାରି ମାସ ତଳର ବଜାର ତାତି ଆଜି ପୁରା କାଲୁଆ ପଡ଼ି ଯାଇଛି। ପିଆଜ ବଜାରର ଏପରି ଦୟନୀୟ ସ୍ଥିତି ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ପିଆଜ ଚାଷୀ କରୁଥିବା ଚାଷୀଙ୍କ ସ୍ଥିତି ପୂରା ବେହାଲ ହୋଇଯାଇଛି। ଜମି ମୁଣ୍ଡରେ କିଲୋ ପିଛା ୫ ଟଙ୍କା ଦରରେ ବିକିବାକୁ ବାଧ୍ୟ ହୋଇଛନ୍ତି ଚାଷୀ। ଏଭଳି ଅଭାବୀ ବିକ୍ରି ଯୋଗୁଁ କିଛି ଚାଷୀ ବିଲରୁ ପିଆଜ ବାହାର ନ କରି ପଚିଶଢ଼ି ଯିବା ପାଇଁ ଛାଡ଼ି ଦେଇଛନ୍ତି। ଫଳରେ ଚଳିତ ବର୍ଷ ପିଆଜ ଚାଷରେ ବିନିଯୋଗ ହୋଇଥିବା ଚାଷୀର ସବୁ ପରିଶ୍ରମ ଓ ଅର୍ଥ ପାଣିରେ ପଡ଼ିଛି ଏବଂ ଋଣ ପରିଶୋଧ ଚିନ୍ତାରେ ଶହ ଶହ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଭୁବନେଶ୍ବର କୁବେରପୁରୀ ଗୋଦାମରୁ ମିଳିଥିବା ସୂଚନାନୁସାରେ ପ୍ରତିବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ମେ’ ମାସ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପ୍ରଚୁର ପିଆଜ ଉତ୍ପାଦନ ହୁଏ ଏବଂ ଦୈନିକ ୧୦୦ ଟନ୍ ପିଆଜ ରାଜଧାନୀ ବଜାରକୁ ଆସିଥାଏ। ଫଳରେ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ଆସୁଥିବା ପିଆଜ ଦର ସ୍ବତଃ କମ୍ ରହେ। କିନ୍ତୁ ଚଳିତ ବର୍ଷ ଅତି ବେଶିରେ ୧୦୦ ଟନ୍ ପିଆଜ ରାଜଧାନୀକୁ ଆସିଛି। ବ୍ୟବସାୟୀମାନଙ୍କ କହିବା କଥା ଚଳିତ ବର୍ଷ ନାସିକ୍ରେ ଦର ବହୁତ କମ୍ ରହିଛି ଏବଂ ସେଠାରୁ ବି ପ୍ରଚୁର ପିଆଜ ଆସୁଛି। ବ୍ୟବସାୟୀମାନେ ସେଠାରୁ କ୍ବିଣ୍ଟାଲ୍ ପିଛା ୫ ଶହରୁ ୭ ଶହ ଟଙ୍କାରେ କିଣୁଛନ୍ତି, ଆଉ କୁବେରପୁରୀରେ ୭ ଶହରୁ ୮ ଶହ ଟଙ୍କାରେ ବିକ୍ରି କରୁଛନ୍ତି। ତେଣୁ ଏବେ କୁବେରପୁରୀରେ ପିଆଜର ପାଇକାରୀ ଦର ୮ ଶହରୁ ୧୧ ଶହ ଟଙ୍କା ମଧ୍ୟରେ ରହିଛି। ବଜାରରେ ପଶ୍ଚିମ ଓଡ଼ିଶା କଣ୍ଟାବାଞ୍ଜି ପିଆଜ ତୁଳନାରେ ନାସିକ୍ ପିଆଜର ଚାହିଦା ଅଧିକ। ତେଣୁ କଣ୍ଟାବାଞ୍ଜି ପିଆଜ ଦର ଏହାଠାରୁ ବି କମ୍ ରହୁଛି। ନାସିକ୍ ପିଆଜ ଶସ୍ତାରେ ମିଳି ଯାଉଥିବାରୁ ଚଳିତ ବର୍ଷ ବ୍ୟବସାୟୀମାନେ ରାଜଧାନୀକୁ କଣ୍ଟାବାଞ୍ଜି ପିଆଜ ଆଣିବାକୁ ମନ କରି ନାହାନ୍ତି। ଫଳରେ ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ପିଆଜ ଚାଷୀମାନେ ଘୋର୍ କ୍ଷତି ସହିଛନ୍ତି। ବିଲ ମୁଣ୍ଡରେ କ୍ବିଣ୍ଟାଲ ପିଛା ୪/୫ ଟଙ୍କାରେ ବିକିବାକୁ ବାଧ୍ୟ ହୋଇଛନ୍ତି। ଏମିତିକି ବହୁ ଚାଷୀଙ୍କ ବାଡ଼ିଘରେ ଏବେ ବି ଗଦା ଗଦା ପିଆଜ ଶଢ଼ୁଛି। ସଂରକ୍ଷଣ ସୁବିଧା ନଥିବାବେଳେ ପ୍ରବଳ ଗରମ ପିଆଜ ଶଢ଼ାଉଛି। ସାଙ୍ଗକୁ ମଝିରେ ହୋଇଥିବା ବର୍ଷା ମଧ୍ୟ ବିପୁଳ ପିଆଜ ନଷ୍ଟ କରିଛି। ତେଣୁ କିଛି ଚାଷୀ ବିଲରୁ ପିଆଜ ବାହାର କରି ଅଯଥା ଆଉ ମଜୁରି ଗଣି କ୍ଷତି ସହିବାକୁ ଇଚ୍ଛା କରିନାହାନ୍ତି। ବଲାଙ୍ଗୀର ଜିଲ୍ଲାର ସିନ୍ଦେଇକେଲା, ଚାନ୍ଦତାରା, ଖରିଆର୍ ଓ କଳାହାଣ୍ଡି ଜିଲ୍ଲାର ତୁରୁକୁଲି, ଚହଗାଁ, ବେଲଖଣ୍ଡି ଓ ବୋରଡ଼ା ଆଦି ଅଞ୍ଚଳରେ ଅଭାବୀ ବିକ୍ରିର ଏଭଳି ଚିତ୍ର ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାର ଏହି ଦୁଇ ଜିଲ୍ଲାରେ ଛୋଟ ବଡ଼ ହୋଇ ପାଖାପାଖି ୪ ହଜାର ଚାଷୀ ପିଆଜ ଉତ୍ପାଦନ କରନ୍ତି। ସେମାନେ ଯେତିକି ପିଆଜ ଉତ୍ପାଦନ କରନ୍ତି, ତାହା ଓଡ଼ିଶା ପାଇଁ ନିହାତି ୬ ମାସର ଆବଶ୍ୟକତା ମେଣ୍ଟାଇ ପାରିବ। କିନ୍ତୁ ବିଭିନ୍ନ କାରଣରୁ ମାତ୍ର ୩ ମାସ ମଧ୍ୟରେ ଚାଷୀମାନେ ଯାଚିଗୁଞ୍ଜି ବିକିବାକୁ ବାଧ୍ୟ ହୋଇଥାନ୍ତି। ଭବାନୀପାଟଣାର ବିଶିଷ୍ଟ ବ୍ୟବସାୟୀ ଶ୍ରୀଧର ବରାଳଙ୍କ ସୂଚନାନୁସାରେ ଏହି ଅଞ୍ଚଳର ପିଆଜ ଚାଷୀଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ମୋଟେ ନାହିଁ କହିଲେ କିଛି ଭୁଲ୍ ହେବ ନାହିଁ। ସରକାରୀ ଋଣ ନାହିଁ କି ବୀମା ସୁବିଧା ମଧ୍ୟ ନାହିଁ। ତେଣୁ ମହାଜନ କରଜ ଶୁଝିବା ପାଇଁ ଚାଷୀମାନେ ଅମଳ କରୁ କରୁ କମ୍ ଦରରେ ବିକିବାକୁ ବାଧ୍ୟ ହୁଅନ୍ତି। ବଡ଼ ସମସ୍ୟା ହେଉଛି ସଂରକ୍ଷଣ ବ୍ୟବସ୍ଥାର ଅଭାବ। ପିଆଜ ସଂରକ୍ଷଣ ପାଇଁ ଆବଶ୍ୟକ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ଉଚିତ ମୂଲ୍ୟ ପାଇବା ପର୍ଯ୍ୟନ୍ତ ସଂରକ୍ଷଣ କରିପାରୁନାହାନ୍ତି। ପିଆଜ ପାଇଁ ଶୀତଳଭଣ୍ଡାର ନିର୍ମାଣ କରିବାକୁ ବହୁ ଦିନରୁ ହୋଇ ଆସୁଥିବା ଦାବି ସେମିତି ଦାବିରେ ରହିଯାଇଛି। ଏଥିପାଇଁ ରାଜନୈତିକ ପ୍ରଭାବ ମୋଟେ ନଥିବା ହେଉଛି ବଡ଼ ସମସ୍ୟା ବୋଲି ବରାଳଙ୍କ ଭଳି ଅନ୍ୟ କେତେକ ବ୍ୟବସାୟୀ କହିଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପାଇଁ ବହୁ ଅର୍ଥ ବିନିଯୋଗ ହେଉଛି, ଅଥଚ ପିଆଜ ଚାଷ ପାଇଁ ଚାଷୀମାନଙ୍କୁ ହତାଦର କରାଯାଉଛି ବୋଲି ଅଭିଯୋଗ ହେଉଛି।