ମନ୍ତ୍ରୀଙ୍କ ଆଶ୍ୱାସନା : ୧୫ ଦିନରେ ପିଆଜ ଦର କମିବ

ଭୁବନେଶ୍ୱର : ପୁଣି ପିଆଜ ବଜାରରେ ଲାଗିଛି ନିଆଁ। କିଲୋ ୨୫ ଟଙ୍କା ଛୁଇଁଲାଣି। ବେପାରି କହୁଛନ୍ତି ପାଗ ଭଲ ନାହିଁ। ଦର ଆହୁରି ବଢ଼ିବ। ସରକାର କହୁଛନ୍ତି, ଖାଲି ଓଡ଼ିଶାରେ ନୁହେଁ, ସାରା ଦେଶରେ ବଢ଼ିଛି ପିଆଜ ଦର। ଏ କଥା ବିଭାଗୀୟ ସଚିବଙ୍କ କାନକୁ ଗଲେ, ସିଧା ଜିଲ୍ଲାପାଳମାନଙ୍କୁ ଚିଠି ଲେଖୁଛନ୍ତି। ସେମାନଙ୍କୁ ତାଗିଦ୍‌ କରୁଛନ୍ତି। ଏଭଳି ପରିସ୍ଥିତିରେ ବିଚରା ଖାଉଟି ହନ୍ତସନ୍ତ ହେଉଛି। ସମସ୍ତଙ୍କୁ ବିସ୍ମୟ କରିବା ଭଳି କଥା ହେଉଛି, ଓଡ଼ିଶାରେ ପିଆଜର ଚାହିଦା ଯେତେ, ପାଖାପାଖି ସେତିକି ପରିମାଣର ଉତ୍ପାଦନ ହେଉଛି। କିନ୍ତୁ ରାଜ୍ୟବାସୀଙ୍କ ପାଇଁ ବର୍ଷତମାମ ପିଆଜ ବାହାରୁ ଆମଦାନି କରିବାକୁ ପଡ଼ୁଛି। ରାଜ୍ୟରେ ବର୍ଷକୁ ପ୍ରାୟ ୩ ଲକ୍ଷ ୮୦ ହଜାର ମେଟ୍ରିକ ଟନ୍‌ ପିଆଜ ଆବଶ୍ୟକ। କୃଷି ବିଭାଗ ତଥ୍ୟ ବୟାନ କରୁଛି ଯେ ସେତିକି ପରିମାଣର ପିଆଜ ମଧ୍ୟ ଉତ୍ପାଦନ ହେଉଛି। କିନ୍ତୁ ତିରୋଟ ବେଳେ ପିଆଜ ଦର ଆକାଶଛୁଆଁ ହୋଇପଡ଼ୁଛି।

ସପ୍ତାହ ପାଖାପାଖି ହେଲା, ପିଆଜ ଦର ୨୦ ଟଙ୍କା ଉପରକୁ ଯାଇଛି ଯେ ତଳକୁ ଖସୁନି। ବରଂ ଗତ ଦୁଇଦିନ ହେଲା ରାଜଧାନୀ ଭୁବନେଶ୍ୱରରେ କିଲୋ ୨୪/୨୫ ଟଙ୍କା ଛୁଇଁଲାଣି। ରାଜ୍ୟର ଅଧିକାଂଶ ସ୍ଥାନରେ ପିଆଜ ଦର ଏହିଭଳି। ବଜାରରେ ଚଢ଼ା ଦର ସାଙ୍ଗକୁ ନିମ୍ନମାନର ପିଆଜ ଖାଉଟିଙ୍କୁ ଦୂରେଇ ଦେଉଛି। ଆଜି ଏ ନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଲେ, ରାଜ୍ୟରେ ପିଆଜ ଦର ୨୪/୨୫ ଟଙ୍କା। ତଥାପି ଦେଶର ବିଭିନ୍ନ ସ୍ଥାନ ତୁଳନାରେ ଓଡ଼ିଶାରେ ଦର କମ୍‌। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ପଞ୍ଜାବ ଭଳି ରାଜ୍ୟଗୁଡ଼ିକ ଏବେ ନାସିକ୍‌ ଉପରେ ନିର୍ଭର କରୁଥିବାରୁ ପିଆଜ ଦର ଅଧିକ ରହିଛି। ଏପରି କି ନାସିକର ଖୋଲା ବଜାରରେ ପିଆଜ ଦର କିଲୋ ୨୦ ଟଙ୍କା। ତେବେ ପିଆଜ ଦର ଆଉ କିଛି ଦିନ ଚଢ଼ା ରହିବ। ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକରୁ ପିଆଜ ଆସିଲେ ୧୪/୧୫ ଦିନ ଭିତରେ ଦର କମିଯିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ରାଜ୍ୟରେ ପିଆଜର କୁତ୍ରିମ ଦର ବୃଦ୍ଧି, କଳାବଜାର ରୋକିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତିି। ସେହିପରି ପିଆଜ ମହଜୁଦକାରୀମାନଙ୍କ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଥିଲେ। ସୂଚନାନୁସାରେ ଭୁବନେଶ୍ୱରରେ ଜଣେ ପାଇକାରୀ ସର୍ବାଧିକ ୫୦୦ କ୍ୱିଣ୍ଟାଲ୍‌ ପିଆଜ ମହଜୁଦ୍‌ ରଖିପାରିବେ। କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ପୁରୀରେ ଏହି ସୀମା ୩୦୦ କ୍ୱିଣ୍ଟାଲ୍‌ ଓ ଅନ୍ୟାନ୍ୟ ସହରଗୁଡ଼ିକରେ ୧୫୦ କ୍ୱିଣ୍ଟାଲ୍‌ ମହଜୁଦ୍‌ କରିପାରିବେ ବୋଲି ସରକାରୀ ଭାବେ ନିୟନ୍ତ୍ରଣ ଜାରି କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି।

କିନ୍ତୁ ସରକାରଙ୍କ ଏଭଳି କଟକଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବ୍ୟବସାୟୀ ମହାସଂଘ। ଏହା ଦ୍ୱାରା ଖାଉଟିମାନଙ୍କର କୌଣସି ପ୍ରକାର ହିତ ସାଧିତ ହୋଇପାରିବ ନାହିଁ। ଓଲଟା ବଜାରରେ ପିଆଜ ସଂକଟ ଭଳି ପରିସ୍ଥିତି ସୃଷ୍ଟି ହେବ ଏବଂ ଦର ବୃଦ୍ଧି ସ୍ୱତଃ ଘଟିବ ବୋଲି ସଂଘ ଆଶଙ୍କା କରିଛିି। ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା ପଣ୍ଡା କହିଛନ୍ତି ଯେ ସରକାରଙ୍କ କଟକଣା ଯୋଗୁଁ ବଜାର ପ୍ରଭାବିତ ହେବ ଏବଂ ଏହା ଦରବୃଦ୍ଧିକୁ ବାଟ କଢ଼ାଇବ। ତେଣୁ ଜାତୀୟ ବଜାର ଦର ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି।

ପିଆଜ ଦର ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ ଆଜି ଚିଠି ଲେଖି ତାଗିଦ୍‌ କରିଛନ୍ତି ଖାଦ୍ୟ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ। ଚିଠିରେ ପିଆଜର ପାଇକାରୀ ଓ ଖୁଚୁରା ମୂଲ୍ୟ ମଧ୍ୟରେ ଯେପରି ବଡ଼ ଧରଣର ପ୍ରଭେଦ ନ ରହେ, ସେଥିପ୍ରତି ସେମାନେ ନଜର ରଖିବେ। ପିଆଜର ଯେପରି କୁତ୍ରିମ ଅଭାବ ସୃଷ୍ଟି ନ ହୁଏ, ଏଭଳି ତିରୋଟର ସୁଯୋଗ ନେଇ ଯେପରି କେହି ବ୍ୟବସାୟୀ କଳାବଜାର ନ କରନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ମଧ୍ୟ କୁହାଯାଇଛି। ଆବଶ୍ୟକ ସ୍ଥଳେ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ପ୍ରୟୋଗ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତିି।

ସମ୍ବନ୍ଧିତ ଖବର