ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ପିଆଜ ଦର କମିବ: ଯୋଗାଣ ମନ୍ତ୍ରୀ

ଆବଶ୍ୟକତା ତୁଳନାରେ ବିଦେଶରୁ କମ ଆମଦାନୀ କରୁଛନ୍ତି କେନ୍ଦ୍ର ସରକାର
ବିଧାୟିକା କୁସୁମ ଟେଟେ କହିଲେ କେନ୍ଦ୍ରକୁ ଦୋଷ ନ ଦେଇ ରାଜ୍ୟ କଣ କରୁଛି ମନ୍ତ୍ରୀ କହନ୍ତୁ

ଭୁବନେଶ୍ବର : ଚଳିତମାସ ଶେଷ ସପ୍ତାହ କିମ୍ବା ଆସନ୍ତା ଜାନୁଆରି ପ୍ରଥମ ସପ୍ତାହ ବେଳକୁ ପିଆଜ ଦର କମିବ। ଆଜି ପୁଣି ଥରେ ଏପରି ଆଶ୍ବାସନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଶ୍ରୀ ସ୍ବାଇଁ କହିଥିଲେ, ସାରା ଦେଶରେ ଚଳିତ ବର୍ଷ ପିଆଜ ଉତ୍ପାଦନ କମ ହୋଇଛି। ଯେଉଁ ଚାଷୀ ୩ ଟନ୍ ଉତ୍ପାଦନ କରୁଥିଲା ଖରାପ ପାଣିପାଗ ଯୋଗୁଁ ୧୫ କ୍ବିଣ୍ଟାଲ ଉତ୍ପାଦନ କରିଛି। ପୂର୍ବରୁ ଓଡ଼ିଶାକୁ ଦୈନିକ ୫୦ ଟ୍ରକ୍ ପିଆଜ ଆସୁଥିଲା କିନ୍ତୁ ଏବେ ଆଦୌ ପିଆଜ ଟ୍ରକ୍ ଆସୁନି। ନୂଆ ପିଆଜ ଉତ୍ପାଦନ ଏବେ ଆରମ୍ଭ ହୋଇଛି। ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଛି। ସାରା ଦେଶରେ ଦୈନିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଦରକାର। ପିଆଜର ଉତ୍କଟ ସମସ୍ୟା ଦେଖାଦେବା ପରେ କେନ୍ଦ୍ର ସରକାର ବିଦେଶରୁ ମାତ୍ର ୧ ଲକ୍ଷ ମେଟ୍ରିକ ଟନ୍ ଦୈନିକ ଆମଦାନୀ କରୁଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ। ପିଆଜ ଉତ୍ପାଦନ ପାଇଁ ଚାଷୀଙ୍କୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେବା କଥା। ପିଆଜ ଚାଷୀଙ୍କୁ ଅଧିକ ସୁବିଧା ଦେବାକୁ ହେବ। ଏହି ବର୍ଷ ରାଜ୍ୟରେ ୨୬% କମ ପିଆଜ ଚାଷ ହୋଇଛି ବୋଲି ଶ୍ରୀ ସ୍ବାଇଁ କହିଥିଲେ।

ମନ୍ତ୍ରୀଙ୍କୁ ଜବାବ ଦେଇ ବିଜେପି ବିଧାୟିକା କୁସୁମ ଟେଟେ କହିଥିଲେ, କେନ୍ଦ୍ର କଣ କରୁଛି ନ କରୁଛି ସେ କଥା ନ କହି ରାଜ୍ୟ ସରକାର ଏଭଳି ସ୍ଥିତିରେ କଣ କରିବେ କହନ୍ତୁ। ସେ ଦୁଃଖରେ ପିଆଜ ଖାଉଛନ୍ତି। ପିଆଜର ଚଢ଼ା ଦର ଯୋଗୁଁ ସେ କମ୍ ପିଆଜ ବଜାରରୁ କିଣୁଛନ୍ତି। ୫୦୦ ଟଙ୍କା ନେଇ ପରିବା ଆଣିବାକୁ ଗଲେ ପିଆଜ ଆଡ଼କୁ ଅନାଇବା ବେଳେ କଷ୍ଟ ଲାଗୁଥିବା ଶ୍ରୀମତୀ ଟେଟେ କହିଥିଲେ।

ସମ୍ବନ୍ଧିତ ଖବର