ଭୁବନେଶ୍ବର: ଓଡ଼ିଶାରେ ଦିନକୁଦିନ ପିଆଜ ଉତ୍ପାଦନ ହ୍ରାସ ପାଉଛି। ଓଡ଼ିଶାରେ ଏବେ ପିଆଜ ଚାଷ ହେଉନି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କିଛି ବର୍ଷ ପୂର୍ବରୁ ବାର୍ଷିକ ପିଆଜ ଉତ୍ପାଦନ ପ୍ରାୟ ୫ ଲକ୍ଷ ମେଟ୍ରିକ୍ ଟନ୍ହେ ଉଥିବା ବେଳେ ଏବେ ଏହା ପ୍ରାୟ ୧ ଲକ୍ଷ ମେଟ୍ରିକ୍ ଟନ୍‌କୁ ଖସି ଆସିଛି। ପିଆଜ ପାଇଁ ଆମେ ସଂପୂର୍ଣ୍ଣ ଭାବରେ ନାସିକ ଉପରେ ନିର୍ଭର କରୁଛେ। ସେଇଠି ଦର ବଢ଼ିଲେ ଏଇଠି ବଢିବା ସ୍ଵାଭାବିକ। ଅନ୍ୟ ରାଜ୍ୟ ତୁଳନାରେ ଏବେ ଓଡ଼ିଶାରେ ଦର କମ୍ ଅଛି ବୋଲି କହିଛନ୍ତି କୁବେରପୁରି ବ୍ୟବସାୟୀ ସଂଘର ସଂପାଦକ ଶକ୍ତି ମିଶ୍ର।

Advertisment

ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟର ଉତ୍ପାଦିତ ପିଆଜ ଯାଉଛି କୁଆଡ଼େ? ପିଆଜ ଉତ୍ପାଦନରେ ଆତ୍ମନିର୍ଭରଶୀଳ ଥାଇ ମଧ୍ୟ ଆନ୍ଧ୍ରପ୍ରଦେଶର ଫସଲ ନଷ୍ଟ ଓଡ଼ିଶାକୁ ପ୍ରଭାବିତ କରିଛି। କାର୍ତ୍ତିକ ମାସରେ ମଧ୍ୟ ପିଆଜ ଦର ଓଡ଼ିଆ ଖାଉଟିଙ୍କୁ କନ୍ଦାଉଛି। ରାଜଧାନୀର ପାଇକାରୀ ବଜାରରେ ବର୍ତ୍ତମାନ ୪୮ରୁ ୫୦ ଟଙ୍କାରେ ପିଆଜ ବିକ୍ରି ହେଉଛି। ଖୁବ ଶୀଘ୍ର ନାସିକ ପିଆଜ ଓଡ଼ିଶା ବଜାରକୁ ଆସିବ ଏବଂ ଦର ହ୍ରାସ ହେବ।

କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ୩.୭୫ ଲକ୍ଷ ଟନ୍‌ ପିଆଜର ଚାହିଦା ଥାଏ। ସେହି ଅନୁଯାୟୀ ପିଆଜ ଉତ୍ପାଦନ ହେଉଛି। ଏହା ସତ୍ତ୍ବେ ନାସିକ ପିଆଜ ହିଁ ଓଡ଼ିଶା ବଜାରକୁ କବ୍‌ଜା କରି ରଖିଛି। ଆଇଗିଣିଆ ପାଇକାରୀ ବ୍ୟବସାୟୀ ସଂଘ କହିବା ଅନୁସାରେ, ଦେଶରେ ପିଆଜ ବର୍ଷକୁ ୪ ଥର ହୁଏ। ଥରେ ଉତ୍ପାଦନ ନଷ୍ଟ ହେଲେ ଏହା ପରବର୍ତ୍ତୀ ଋତୁକୁ ପ୍ରଭାବିତ କରେ। ବର୍ଷା ଅଭାବରୁ ଆନ୍ଧ୍ରପ୍ରଦେଶର ପିଆଜ ଉତ୍ପାଦନ ପ୍ରଭାବିତ ହେଲା। ସମୁଦାୟ ଯୋଗାଣ ଚାପ ନାସିକ ପିଆଜ ଉପରେ ପଡ଼ିଛି। ସେପଟେ ଚାହିଦା ଅନୁଯାୟୀ ନାସିକ ଚାଷୀ ପିଆଜ ଯୋଗାଇପାରୁ ନାହାନ୍ତି। ଏଣୁ ଦର ବୃଦ୍ଧି ପାଉଛି। ଦୁର୍ଭାଗ୍ୟଜନକ ସ୍ଥିତି ହେଲା, ଭଞ୍ଜନଗର, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଯେଉଁଠି ଦିନେ ବ୍ୟାପକ ପିଆଜ ଉତ୍ପାଦନ ହେଉଥିଲା ସେଠିବି ନାସିକ ପିଆଜ ବିକ୍ରି ହେଉଛି। ତେଣୁ ଆନ୍ଧ୍ରପ୍ରଦେଶ କିମ୍ବା ନାସିକ ଯେଉଁଠି ମଧ୍ୟ ପିଆଜ ଉତ୍ପାଦନର ସମସ୍ୟା ହେଲା ମାତ୍ରେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି।