ଭୁବନେଶ୍ବର : ନାସିକ୍ରୁ ଭୁବନେଶ୍ବରକୁ ପୁଣି ପିଆଜ ଆମଦାନି ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶରୁ ମଧ୍ୟ ଅଧିକ ପରିମାଣର ପିଆଜ ବୋଝେଇ ଟ୍ରକ୍ ଆଜି ଭୁବନେଶ୍ବରରେ ପହଞ୍ଚିଛି। ତେଣୁ ଖୁବ୍ ଶୀଘ୍ର ପିଆଜ ଦର କମିବା ନେଇ ଆଶା ସୃଷ୍ଟି ହୋଇଛି। ଏବେ ବି ପାଇକାରୀ ଦର ଓ ଖୁଚୁରା ବଜାର ଦର ପୂର୍ବଭଳି ଅପରିର୍ତ୍ତିତ ରହିଥିଲେ ମଧ୍ୟ ଆଉ ବୃଦ୍ଧି ପାଇବା ଆଶଙ୍କା ନାହିଁ ବୋଲି କୁହାଯାଉଛି। ଜାନୁଆରୀ ପୂର୍ବରୁ ପିଆଜ ଦର କମିବ ନାହିଁ ବୋଲି ସୃଷ୍ଟି ହୋଇଥିବା ଗୁଜବ ଏବେ ଇଜିପ୍ଟ ପିଆଜ ପାଇଁ ମିଳେଇବାକୁ ବସିଛି ବୋଲି କୁହାଯାଉଛି।
କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନାନୁସାରେ ଆଜି ନାସିକ୍ରୁ ୨ଟି ପିଆଜ ବୋଝେଇ ଟ୍ରକ୍ ଆସିଛି। ଆନ୍ଧ୍ରପ୍ରଦେଶରୁ ମଧ୍ୟ ଅଧିକ ମାଲ୍ ପହଞ୍ଚିଛି। ପ୍ରାୟ ୨୫୦ ଟନ୍ ପିଆଜ ଆଜି ରାଜଧାନୀରେ ପହଞ୍ଚିଛି। ଗତ ପ୍ରାୟ ୨ ସପ୍ତାହ ହେଲା ମାତ୍ର ୭୦/୮୦ ଟନ୍ ମାଲ୍ ଆସୁଥିବାବେଳେ ଆଜି ୨୦୦ ଟନ୍ ଟପିଥିବାରୁ ଦର ହ୍ରାସ ସମ୍ଭାବନା ଦେଖା ଦେଇଛି। ତେବେ ଆଜି ବି ଆନ୍ଧ୍ରପ୍ରଦେଶ ପିଆଜ ପାଇକାରୀ ଦର ହିସାବରେ ୬୫ରୁ ୭୦ ଟଙ୍କା ଥିବାବେଳେ ନାସିକ୍ ପିଆଜ କିଲୋ ପିଛା ୮୦ରୁ ୮୫ ଟଙ୍କାରେ ବିକ୍ରି ହୋଇଛି। ତେଣୁ ଖୁଚୁରା ବଜାରରେ ଆନ୍ଧ୍ର ପିଆଜ ୭୫/୮୦ ଥିବାବେଳେ ନାସିକ୍ ପିଆଜ ୯୦/୯୫ ଟଙ୍କା ରହିଛି। ଆଜି ସନ୍ଧ୍ୟାରେ ପହଞ୍ଚିଥିବା ପିଆଜ ଦର ଆସନ୍ତାକାଲି ସକାଳୁ ଜଣାପଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେବେ ଆମଦାନି ବଢ଼ିଥିବାରୁ ଆଉ ଦର ବୃଦ୍ଧି ହେବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଜି ଲୋକସେବା ଭବନରେ ଯୋଗାଣ ସଚିବ ଭିଭି ଯାଦବ ବ୍ୟବସାୟୀମାନଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି। ପିଆଜ ଦରବୃଦ୍ଧିର କାରଣ, ଦରବୃଦ୍ଧି ଅବଧି ଭଳି ପ୍ରସଙ୍ଗ ସହ ଇଜିପ୍ଟ ପିଆଜ ଆମଦାନି ଉପରେ ସେ ଆଲୋଚନା କରିଛନ୍ତି। ବ୍ୟବସାୟୀ ସଂଘ ପକ୍ଷରୁ ସଜ୍ଜନ ଅଗ୍ରୱାଲ୍, ସୁଧାକର ପଣ୍ଡା, ଦ୍ବିଜବର ସାହୁ ଓ ଶକ୍ତିଶଙ୍କର ମିଶ୍ର ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନାସିକ୍ରେ ନୂଆ ପିଆଜ ଅମଳ ହେବା ପାଖେଇ ଆସୁଥିବାବେଳେ ଇଜିପ୍ଟ ପିଆଜ ଆମଦାନି କରିବା ଲାଭଜନକ ହେବ ନାହିଁ ବୋଲି ବ୍ୟବସାୟୀମାନେ ମତ ରଖିଥିବା ଜଣାପଡ଼ିଛି।