ଭବାନୀପାଟଣା: ଏବେ ପିଆଜ ଅମଳ ଋତୁ। ସରକାରୀ ସ୍ତରରେ ବିକ୍ରି ବ୍ୟବସ୍ଥା ନଥିବାରୁ କଳାହାଣ୍ଡି ଜିଲ୍ଲାରେ ପିଆଜର ଅଭାବୀ ବିକ୍ରି ଯୋଗୁଁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଛତିଶଗଡ଼ୀ ବେପାରୀଙ୍କ କବ୍ଜାରେ ପିଆଜ ବିକ୍ରି ବ୍ୟବସ୍ଥା। ଚାଷୀ ଅତି ଶସ୍ତା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କେଜି ପିଛା ୩ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାଷୀମାନେ ମାତ୍ର ୫ଟଙ୍କାରେ ବିକ୍ରି କରୁଛନ୍ତି। ଗତ ସପ୍ତାହରେ ୫ ଟଙ୍କାରେ ବିକୁଥିଲେ। ବର୍ତ୍ତମାନ ଛତିଶଗଡ଼ୀ ବେପାରୀ ମାଡ଼ିଆସିବାରୁ କେଜି ପିଛା ୬ ଟଙ୍କାକୁ ବୃଦ୍ଧି ପାଇଛି। ଏହି ପିଆଜ ଛତିଶଗଡ଼ ଗଲା ପରେ ସେଠାରୁ ପୁଣି ଓଡ଼ିଶାକୁ ଆସି ଚଢ଼ା ଦରରେ ବିକ୍ରି ହେବ। ବର୍ତ୍ତମାନ ଦୋକାନଗୁଡ଼ିକରେ ପିଆଜ ମୂଲ୍ୟ କେଜିପିଛା ୨୦ ଟଙ୍କା ରହିଛି। ଗତ ଜାନୁଆରିରେ ପିଆଜ ଦର ଦୋକାନରେ ୩୦ରୁ ୩୫ ଟଙ୍କା ରହିଥିଲା।
କଳାହାଣ୍ଡି ଜିଲ୍ଲାରେ ପିଆଜ ଚାଷୀ ନାକେଦମ
ପ୍ରକାଶ ଯେ ଏବେ ମାଳ ମାଳ ଛତିଶଗଡ଼ୀ ବେପାରୀ ପିଆଜ ନେବା ପାଇଁ ଦଲାଲ ଜରିଆରେ କଳାହାଣ୍ଡି ଜିଲ୍ଲାର ଗାଁଗୁଡ଼ିକରେ ଗଜି ରହୁଛନ୍ତି। କଳାହାଣ୍ଡି ଜିଲ୍ଲାରେ ଆବଶ୍ୟକ ଶୀତଳଭଣ୍ଡାର ନଥିବା ବେଳେ ସରକାରଙ୍କ ପିଆଜ ଘର ଧର୍ମକୁ ଆଖିଠାର ଭଳି ସାଜିଛି। ପିଆଜ ଚାଷୀଙ୍କ ଦୁଃଖ କେବେ ଦୂର ହେବ ଓ ରାଜ୍ୟ ସରକାର କେବେ ଚାଷୀଙ୍କ ପାଇଁ ଯତ୍ନବାନ ହେବେ ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ୍, କେସିଙ୍ଗା, ନର୍ଲା, ଧର୍ମଗଡ଼, ଗୋଲାମୁଣ୍ଡା ଆଦି ବ୍ଲକ୍ରେ ଚାଷୀମାନେ ପିଆଜ ଚାଷ କରୁଥିବା ଦେଖିବାକୁ ମିଳେ। ସଦର ବ୍ଲକ୍ର ଅର୍ତ୍ତଲ, ପଲନା, ଡୁମରିଆ, ବୋର୍ଡା, ସିକୁଆଁ, ମାଦିଗୁଡ଼ା, ମାଟିଆ, ସେଁପୁର, ବୋରଭଟା, କେନ୍ଦୁପାଟି, ଗୁର୍ଜୁଙ୍ଗ ଆଦି ପଞ୍ଚାୟତରେ ପିଆଜ ଚାଷ ହୋଇଥାଏ।
କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ୨୪୫୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିବା ସରକାରୀ ଭାବେ ଜଣାପଡ଼ିଛି। ବେସରକାରୀ ଭାବେ ଏହାର ଚାଷ ଯଥେଷ୍ଟ ଅଧିକ ଅଟେ। ଜିଲ୍ଲାରେ ଚାଷୀଙ୍କ ଦ୍ବାରା ୧୮୭ଟି ପିଆଜଘର ନିର୍ମାଣ କରାଯାଇଛି। ପିଆଜର ଉତ୍ପାଦନ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଛତିଶଗଡ଼ୀ ଦଲାଲମାନେ କଳାହାଣ୍ଡି ଜିଲ୍ଲାର ପିଆଜ ଚାଷୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ପିଆଜ କିଲୋ ୫ରୁ ୬ଟଙ୍କା ମଧ୍ୟରେ କ୍ରୟ କରି ମୁନାଫା କମାଉଥିବା ବେଳେ ଚାଷୀମାନେ କଷ୍ଟଉପାର୍ଜିତ ଚାଷକୁ ଅତି ଶସ୍ତା ଦରରେ ଦଲାଲ ହାତକୁ ଟେକିବାକୁ ବାଧ୍ୟ ହେଉଛନ୍ତି।
ସମସ୍ତ ଖର୍ଚ୍ଚକୁ ହିସାବ କଲେ ପିଆଜର ଉତ୍ପାଦନ ଖର୍ଚ୍ଚ କେଜିପିଛା ୩ଟଙ୍କା ରହୁଛି। ଏହାଛଡ଼ା ସେମାନଙ୍କ ପାରିଶ୍ରମିକ, ପରିବହନ ଖର୍ଚ୍ଚ ଅଲଗା ରହୁଛି। ଏତେ ଖର୍ଚ୍ଚ କଲା ପରେ ସେମାନେ କେଜିପ୍ରତି ୫ଟଙ୍କାରେ ବିକ୍ରି କରିବା ଫଳରେ କ୍ଷତିଗ୍ରସ୍ତ ହେଉଛନ୍ତି। ଚାଷ ସମୟରେ ସାର ବିହନ ଓ ଅଣୁସାର ବାବଦକୁ ଖର୍ଚ୍ଚ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଛଡ଼ା ଅଦିନିଆ ବର୍ଷା ଓ ରୋଗପୋକ ଯୋଗୁଁ ମଧ୍ୟ ପିଆଜ ଚାଷ କ୍ଷତିଗ୍ରସ୍ତ ହେଉଛି। ଅମଳ ହେଲା ବେଳକୁ ଲାଭ କମ, କ୍ଷତି ଅଧିକ ସହିବାକୁ ପଡୁଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଷ୍ଟୋରେଜ ବ୍ୟବସ୍ଥା ନଥିବା ଓ ସରକାରଙ୍କ ତରଫରୁ ପିଆଜ କ୍ରୟ ପାଇଁ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ଅଭାବୀ ବିକ୍ରିର ଶିକାର ହେବାକୁ ବାଧ୍ୟ ହେଉଛନ୍ତି।
କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ ପିଆଜ ମଣ୍ଡି ନଥିବା ଯୋଗୁଁ ଚାଷୀ ବିକ୍ରି କରିବା ପାଇଁ ଉପଯୁକ୍ତ ବଜାର ପାଇପାରୁ ନାହିଁ। ସାପ୍ତାହିକ ହାଟଗୁଡ଼ିକୁ ବିକ୍ରି କରିବା ପାଇଁ ଆଣିବା ପୂର୍ବରୁ ଦଲାଲମାନେ ଚାଷୀ ଦୁଆରେ ପହଞ୍ଚି ମୂଲଚାଲ କରି ଶସ୍ତାରେ କିଣି ନେଉଛନ୍ତି। ଏହି ପିଆଜ ଛତିଶଗଡ଼ ଗଲା ପରେ ରାୟପୁରରୁ ପୁନର୍ବାର ଚଢ଼ା ଦରରେ କଳାହାଣ୍ଡି ଆସି ଦୋକାନଗୁଡ଼ିକରେ ଗ୍ରାହକମାନେ କିଣୁଛନ୍ତି। କଳାହାଣ୍ଡି ପିଆଜକୁ ଦଲାଲ କବଳରୁ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ପିଆଜ ମଣ୍ଡି ଖୋଲିଲେ ଚାଷୀମାନେ ଉପକୃତ ହୋଇପାରନ୍ତେ।