ସମ୍ବଲପୁର: ଆଇପିଏଲ୍‌ ସିଜିନ୍‌ ୧୬ରେ ଜୋରଦାର ଲଢ଼େଇ ଆରମ୍ଭ ହୋଇ ସାରିଛି। ଗତ ଥରର ବିଜେତା ଗୁଜୁରାଟ ଟାଇଟନ୍ସ ପ୍ରଥମ ୨ଟି ମ୍ୟାଚ୍‌ରେ ବିଜୟ ହାସଲ କରିବା ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ଛାଡ଼ି ଦେଲେ ଅନ୍ୟ ୭ଟି ଯାକ ଦଳ ସେମାନଙ୍କ ଦମ୍‌ ଦେଖାଇ ଗୋଟିଏ, ୨ଟି ମ୍ୟାଚ୍‌ ଜିତିବା ଆରମ୍ଭ କରିସାରିଲେଣି। ଏସବୁ ଭିତରେ ପଶ୍ଚିମଓଡ଼ିଶାରେ ଆଇପିଏଲ୍‌ ବେଟିଂ ମଧ୍ୟ ବେଧଡ଼କ ଭାବେ ଚାଲିଛି। ଗତକାଲି ରାଉରକେଲା ରଘୁନାଥପାଲି ଅଞ୍ଚଳରୁ ଆଇପିଏଲ ବେଟିଂ ରାକେଟ୍‌କୁ ଧରିବାରେ ପୁଲିସ ସଫଳ ମଧ୍ୟ ହୋଇଛି। ବେଟିଂ କରୁଥିବା ୬ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ପାଖରୁ ୨୦ଟି ମୋବାଇଲ ଫୋନ, ୩ଟି ଲାପ୍‌ଟପ୍‌ ଓ ଏଟିଏମ କାର୍ଡ ପୁଲିସ ଜବତ କରିଥିଲା।

Advertisment

ଏହି କାରବାରରେ ବ୍ୟବହୃତ ୮ଟି ବ୍ୟାଙ୍କ ଆକାଉଣ୍ଟ୍‌କୁ ମଧ୍ୟ ଅଚଳ କରାଯାଇଥିଲା। ଧରାପଡ଼ିଥିବା ଏହି ଆଇପିଏଲ୍‌ ବେଟିଂ ଦୁବାଇରୁ ଅପରେଟ୍‌ ହେଉଥିବା କୁହାଯାଉଥିବା ବେଳେ ସମ୍ବଲପୁର ହବ୍‌ ଅଧୀନରେ ଏହା ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ସମ୍ବଲପୁରରେ ଆଇପିଏଲ୍‌ ବେଟିଂ ମଧ୍ୟ ଜୋରଦାର ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସମ୍ବଲପୁର ଟାଉନ୍‌ ଅଞ୍ଚଳରେ ଏକାଧିକ ସ୍ଥାନରେ ଏହି ବେଟିଂ ଚାଲିଥିବା କୁହାଯାଉଥିବା ବେଳେ ବଡ଼ ବଡ଼ ନେତାଙ୍କର ଏଥିରେ ସମ୍ପୃକ୍ତି ଥିବା ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବଲପୁର ସହରରେ ଆଇପିଏଲ୍‌ ବେଟିଂ ଜୋରଦାର ଚାଲିଥିଲେ ମଧ୍ୟ ସମ୍ବଲପୁର ପୁଲିସର ନିଦ ଭାଙ୍ଗୁନି। ନା କୌଣସି ସ୍ଥାନରେ ଚଢ଼ଉ ହେଉଛି, ନା ବେଟିଂ କରୁଥିବା ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ କରୁଛି ପୁଲିସ। ସାମାଜିକ ଗଣମାଧ୍ୟମକୁ ମଧ୍ୟ ଅଭିଯୁକ୍ତମାନେ ବ୍ୟବହାର କରି ବେଧଡ଼କ ଭାବେ ବେଟିଂ ଚଲାଇଛନ୍ତି। ତା’ ଉପରେ ମଧ୍ୟ ସମ୍ବଲପୁର ପୁଲିସ ନିରବତା ରକ୍ଷା କରୁଛି। ସମ୍ବଲପୁରରେ ନେତା, ବଡ଼ ବ୍ୟବସାୟୀ, କିଛି ଜମି ମାଫିଆ ଆଇପିଏଲ୍‌ ବେଟିଂର ମଙ୍ଗ ଧରିଥିବା ବେଳେ ପୁଲିସ ଅଚିନ୍ତା ନିଦରେ ଶୋଇ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଲିସ କିଛି ଜାଣି ପାରୁନାହିଁ, ନା ଜାଣି ଶୁଣି ବେଟିଂ କରୁଥିବା ମାଫିଆଙ୍କୁ ଘଣ୍ଟ ଘୋଡ଼ାଉଛି ତାକୁ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। ତେବେ ଆଇପିଏଲ୍‌ ବେଟିଂ ହବ୍‌ କହାଯାଉଥିବା ସମ୍ବଲପୁରରେ ପୁଲିସ କେବେ ଚଢ଼ଉ କରୁଛି ତାହା ଦେଖିବାକୁ ବାକି ରହିଲା।