ଫେବୃଆରି ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବ ନୂଆ ବ୍ୟବସ୍ଥା
ମଞ୍ଚ ପରିବେଷଣର ୧୫ ଦିନ ଭିତରେ ମିଳିଯିବ ପାରିଶ୍ରମିକ
ଭୁବନେଶ୍ବର : କୌଣସି କାର୍ଯ୍ୟକ୍ରମ ପାଇଁ ସାଂସ୍କୃତିକ ଦଳ ନେବାକୁ ହେଲେ ଆଉ ଆୟୋଜକଙ୍କୁ ସଂସ୍କୃତି ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ। ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କଲା ପରେ ପାରିଶ୍ରମିକ ପାଇଁ ମଧ୍ୟ କଳାକାରଙ୍କୁ ବିଭାଗରେ ଚକ୍କର କାଟିବାକୁ ପଡ଼ିବ ନାହିଁ। ଏସବୁ ବ୍ୟବସ୍ଥା ଅନ୍ଲାଇନ୍ରେ ହିଁ ହେବ। ରାଜ୍ୟର ବିଭିନ୍ନ ସ୍ଥାନକୁ ସାଂସ୍କୃତିକ ଦଳ ପ୍ରେରଣ ପ୍ରକ୍ରିୟାକୁ ବ୍ୟବସ୍ଥିତ ଓ ସ୍ବଚ୍ଛ କରିବା ପାଇଁ ସଂସ୍କୃତି ବିଭାଗ କାର୍ଯ୍ୟକାରୀ କରିବାକୁ ଯାଉଛି ‘ଇଣ୍ଟିଗ୍ରେଟେଡ୍ ଟ୍ରୁପ୍ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମ୍’। ଆସନ୍ତା ଫେବ୍ରୁଆରି ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି।
ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ହେଉଥିବା କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ସାଂସ୍କୃତିକ ଦଳ ପଠାଇଥାଏ। ଏହି କ୍ଷେତ୍ରରେ ଆୟୋଜକମାନେ ସଂସ୍କୃତି ବିଭାଗକୁ ଆବେଦନ କରନ୍ତି ଓ ତାହା ମଞ୍ଜୁର ହେଲେ ବିଭାଗ ଆୟୋଜକଙ୍କ ଆବଶ୍ୟକତା ଅନୁଯାୟୀ ସାଂସ୍କୃତିକ ଦଳ ପଠାଇଥାଏ। କାର୍ଯ୍ୟକ୍ରମ ପରିବେଷଣ ପରେ ବିଭାଗ ସିଧାସଳଖ ସାଂସ୍କୃତିକ ଦଳକୁ ଅର୍ଥ ଦିଏ। କଳାକାରଙ୍କୁ ମଞ୍ଚ ଯୋଗାଇବା ଓ ସେମାନଙ୍କୁ ସିଧାସଳଖ ଆର୍ଥିକ ସହଯୋଗ ଯୋଗାଇବା ତଥା କଳାର ପ୍ରଚାରପ୍ରସାର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମସ୍ତ କାରବାର ଅଫ୍ଲାଇନ୍ରେ ଚାଲୁଥିବାରୁ ଏହା ସମୟସାପେକ୍ଷ ହୁଏ। ଏପରିକି କଳାକାରମାନଙ୍କୁ ବହୁ ବିଳମ୍ବରେ ପ୍ରାପ୍ୟ ମିଳୁଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ସେହିପରି କିଛି ସାଂସ୍କୃତିକ ଦଳ ଅଧିକ ସୁଯୋଗ ପାଉଥିଲା ବେଳେ କିଛି ଦଳ ଥରେ ଦୁଇ ଥର ସୁଯୋଗ ପାଇବା ବି କଷ୍ଟକର ହୋଇପଡ଼େ।
କେମିତି କାର୍ଯ୍ୟ କରିବ ନୂଆ ବ୍ୟବସ୍ଥା
‘ଇଣ୍ଟିଗ୍ରେଟେଡ୍ ଟ୍ରୁପ୍ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମ୍’ରେ ଥିବା ବ୍ୟବସ୍ଥା ଅନୁଯାୟୀ ସାଂସ୍କୃତିକ ଦଳ ପ୍ରେରଣ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ସ୍ବତନ୍ତ୍ର ପୋର୍ଟାଲ୍ ରହିବ। ଏହି ପୋର୍ଟାଲ୍ରେ ଆୟୋଜକ ସଂସ୍ଥା ନିଜର ନାମ ପଞ୍ଜୀକରଣ କରାଇବେ। ସେହିପରି ସଂସ୍କୃତି ବିଭାଗର ଆର୍ଥିକ ସହଯୋଗରେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଚାହୁଁଥିବା ସାଂସ୍କୃତିକ ଦଳ କିମ୍ବା କଳାକାର ନିଜକୁ ପଞ୍ଜିକୃତ କରାଇବେ। ପଞ୍ଜିକୃତ ଆୟୋଜକ ସଂସ୍ଥା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହି ପୋର୍ଟାଲ୍ ମାଧ୍ୟମରେ ଅନ୍ଲାଇନ୍ ଆବେଦନ କରିବେ ଓ ତିନିଟି ସାଂସ୍କୃତିକ ଦଳକୁ ବିକଳ୍ପ ଭାବେ ରଖିବେ। ସେହି ଆବେଦନକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଂସ୍କୃତି ବିଭାଗ ବିଚାର କରି ନିଷ୍ପତ୍ତି ନେବ। ଯଦି ଆବେଦନ ମଞ୍ଜୁର ହେଲା, ତେବେ ତିନୋଟି ବିକଳ୍ପ ମଧ୍ୟରୁ ଯେଉଁ ସାଂସ୍କୃତିକ ଦଳ ଉପଲବ୍ଧ ଥିବ, ତାହାକୁ କାର୍ଯ୍ୟକ୍ରମରେ ପରିବେଷଣ ପାଇଁ ସୁଯୋଗ ମିଳିବ। ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ କଲା ପରେ ସାଂସ୍କୃତିକ ଦଳ ସଙ୍ଗେ ସଙ୍ଗେ ତାହାର ଫଟୋ, ଆୟୋଜକ ସଂସ୍ଥାର ସାର୍ଟିଫିକେଟ୍ ପୋର୍ଟାଲ୍ରେ ଅପ୍ଲୋଡ୍ କରିବା ସହ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ବିଲ୍ ଦାଖଲ କରିବେ। ବିଲ୍ ଦାଖଲ ହେବାର ୧୫ ଦିନ ଭିତରେ ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟ୍କୁ ପ୍ରାପ୍ୟ ଯିବ। ଯଦି ୧୫ ଦିନ ଭିତରେ ସାଂସ୍କୃତିକ ଦଳ ପାରିଶ୍ରମିକ ନ ପାଏ, ତେବେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏନେଇ ଏକ ଏସ୍ଏମ୍ଏସ୍ ଆଲର୍ଟ ଯିବ। ଫଳରେ ଅଧିକାରୀମାନେ ଏହାର କାରଣ ଜାଣି ଶୀଘ୍ର ସେମାନଙ୍କ ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ ପଦକ୍ଷେପ ଗ୍ରହଣ କରିବେ।
ବର୍ଷକୁ ସର୍ବାଧିକ ୬ ଥର ସୁଯୋଗ ମିଳିବ
ଅନ୍ଲାଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଗୋଟିଏ ସାଂସ୍କୃତିକ ଦଳ ସଂସ୍କୃତି ବିଭାଗର ଆର୍ଥିକ ସହଯୋଗରେ ସର୍ବାଧିକ ୬ ଥର ପରିବେଷଣ ପାଇଁ ସୁଯୋଗ ପାଇପାରିବ। ସେହିପରି ଗୋଟିଏ ଆୟୋଜକ ସଂସ୍ଥା ବର୍ଷକୁ ସର୍ବାଧିକ ଦୁଇ ଥର ସାଂସ୍କୃତିକ ଦଳ ପାଇଁ ବିଭାଗରେ ଆବେଦନ କରିପାରିବେ। ଏହା ଫଳରେ ରାଜ୍ୟରେ ସମସ୍ତ ସାଂସ୍କୃତିକ ଦଳ ସୁଯୋଗ ପାଇପାରିବେ। କିଛି ସାଂସ୍କୃତିକ ଦଳ ବାରମ୍ବାର ସୁଯୋଗ ପାଉଥିବା ନେଇ ଆସୁଥିବା ଅଭିଯୋଗ ଆଉ ହେବ ନାହିଁ।
ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ, ସମସ୍ତେ ସୁଯୋଗ ପାଇବେ: ନିର୍ଦ୍ଦେଶକ
ନୂଆ ବ୍ୟବସ୍ଥା ସମ୍ପର୍କରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ କହିଛନ୍ତି ଯେ ‘ଇଣ୍ଟିଗ୍ରେଟେଡ୍ ଟ୍ରୁପ୍ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମ୍’ କାର୍ଯ୍ୟକାରୀ କରିବାକୁ ଇଡ୍କଲ୍ ସଫ୍ଟୱେର୍ଙ୍କୁ ଦାୟିତ୍ବ ଦିଆଯାଇଛି। ଫେବ୍ରୁଆରି ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ଲାଇନ୍ ମାଧ୍ୟମରେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେଲେ ସାରା ଓଡ଼ିଶାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜକ ଓ ସାଂସ୍କୃତିକ ଦଳ ଉଭୟ ଲାଭବାନ ହୋଇପାରିବେ। ଆୟୋଜକମାନେ ହଇରାଣ ହୋଇ ଭୁବନେଶ୍ବରକୁ ଆସି ସାଂସ୍କୃତିକ ଦଳ ପାଇଁ ବିଭାଗକୁ ଆବେଦନ କରିବା ଆବଶ୍ୟକ ପଡ଼ିବ ନାହିଁ। ଯେହେତୁ ସାଂସ୍କୃତିକ ଦଳଗୁଡ଼ିକୁ ସମାନ ଭାବେ ସୁଯୋଗ ପାଇବେ, ତେଣୁ ରାଜ୍ୟର ସବୁ ଜିଲ୍ଲାର କଳାକାରମାନେ ମଞ୍ଚ ପାଇପାରିବେ। ଏହା ସହ କଳାକାରଙ୍କୁ ସମ୍ମାନର ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କ ପ୍ରାପ୍ୟ ମିଳିପାରିବ ଓ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ।