ସାଂସ୍କୃତିକ ଦଳ ପାଇଁ ଏଣିକି ଅନ୍‌ଲାଇନ୍‌ ଆବେଦନ

‘କମ୍ପ୍ୟୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା’ର ଆଜି ଶୁଭାରମ୍ଭ

ଭୁବନେଶ୍ବର : ଏବେ କମ୍ପ୍ୟୁଟର କ୍ଲିକ୍‌ରେ ହେବ ସାଂସ୍କୃତିକ ଦଳ ପରିଚାଳନା। କୌଣସି କାର୍ଯ୍ୟକ୍ରମ ପାଇଁ ସାଂସ୍କୃତିକ ଦଳ ନେବାକୁ ହେଲେ ଆଉ ଆୟୋଜକଙ୍କୁ ସଂସ୍କୃତି ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ। ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କଲା ପରେ ପାରିଶ୍ରମିକ ପାଇଁ ମଧ୍ୟ କଳାକାରଙ୍କୁ ବିଭାଗରେ ଚକ୍କର କାଟିବାକୁ ପଡ଼ିବ ନାହିଁ। ଏସବୁ ବ୍ୟବସ୍ଥା ଅନ୍‌ଲାଇନ୍‌ରେ ହିଁ ହେବ। ରାଜ୍ୟର ବିଭିନ୍ନ ସ୍ଥାନକୁ ସାଂସ୍କୃତିକ ଦଳ ପ୍ରେରଣ ପ୍ରକ୍ରିୟାକୁ ବ୍ୟବସ୍ଥିତ ଓ ସ୍ବଚ୍ଛ କରିବା ପାଇଁ ସଂସ୍କୃତି ବିଭାଗ କାର୍ଯ୍ୟକାରୀ କରିବାକୁ ଯାଉଛି ‘କଲ୍‌ଚରାଲ୍‌ ଟ୍ରୁପ୍ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌’। ଆସନ୍ତାକାଲି ସଂସ୍କୃତି ଭବନରେ ସଂସ୍କୃତି ମନ୍ତ୍ରୀ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

‘କମ୍ପ୍ୟୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା’ରେ ଥିବା ବ୍ୟବସ୍ଥା ଅନୁଯାୟୀ ସାଂସ୍କୃତିକ ଦଳ ପ୍ରେରଣ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ସ୍ବତନ୍ତ୍ର ପୋର୍ଟାଲ୍‌ ରହିଛି। ଏହି ପୋର୍ଟାଲ୍‌ରେ ଆୟୋଜକ ସଂସ୍ଥା ନିଜର ନାମ ପଞ୍ଜୀକରଣ କରାଉଛନ୍ତି। ସେହିପରି ସଂସ୍କୃତି ବିଭାଗର ଆର୍ଥିକ ସହଯୋଗରେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଚାହୁଁଥିବା ସାଂସ୍କୃତିକ ଦଳ କିମ୍ବା କଳାକାର ନିଜକୁ ପଞ୍ଜିକୃତ କରାଉଛନ୍ତି। ପଞ୍ଜିକୃତ ଆୟୋଜକ ସଂସ୍ଥା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହି ପୋର୍ଟାଲ୍‌ ମାଧ୍ୟମରେ ଅନ୍‌ଲାଇନ୍ ଆବେଦନ କରିବେ ଓ ତିନିଟି ସାଂସ୍କୃତିକ ଦଳକୁ ବିକଳ୍ପ ଭାବେ ରଖିବେ। ସେହି ଆବେଦନକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଂସ୍କୃତି ବିଭାଗ ବିଚାର କରି ନିଷ୍ପତ୍ତି ନେବ। ଯଦି ଆବେଦନ ମଞ୍ଜୁର ହେଲା, ତେବେ ତିନିଟି ବିକଳ୍ପ ମଧ୍ୟରୁ ଯେଉଁ ସାଂସ୍କୃତିକ ଦଳ ଉପଲବ୍ଧ ଥିବ, ତାହାକୁ କାର୍ଯ୍ୟକ୍ରମରେ ପରିବେଷଣ ପାଇଁ ସୁଯୋଗ ମିଳିବ। ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ କଲା ପରେ ସାଂସ୍କୃତିକ ଦଳ ସଙ୍ଗେ ସଙ୍ଗେ ତାହାର ଫଟୋ, ଆୟୋଜକ ସଂସ୍ଥାର ସାର୍ଟିଫିକେଟ୍‌ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିବା ସହ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ବିଲ୍‌ ଦାଖଲ କରିବେ। ବିଲ୍‌ ଦାଖଲ ହେବାର ୧୫ ଦିନ ଭିତରେ ଅନ୍‌ଲାଇନ୍ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟ୍‌କୁ ପ୍ରାପ୍ୟ ଯିବ। ଯଦି ୧୫ ଦିନ ଭିତରେ ସାଂସ୍କୃତିକ ଦଳ ପାରିଶ୍ରମିକ ନ ପା‌ଏ, ତେବେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏନେଇ ଏକ ଏସ୍‌ଏମ୍‌ଏସ୍‌ ଆଲର୍ଟ ଯିବ। ଫଳରେ ଅଧିକାରୀମାନେ ଏହାର କାରଣ ଜାଣି ଶୀଘ୍ର ସେମାନଙ୍କ ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ ପଦକ୍ଷେପ ଗ୍ରହଣ କରିବେ।

ପ୍ରକାଶଥାଉ କି, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ହେଉଥିବା କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ସାଂସ୍କୃତିକ ଦଳ ପଠାଇଥାଏ। ଏହି କ୍ଷେତ୍ରରେ ଆୟୋଜକମାନେ ସଂସ୍କୃତି ବିଭାଗକୁ ଆବେଦନ କରନ୍ତି ଓ ତାହା ମଞ୍ଜୁର ହେଲେ ବିଭାଗ ଆୟୋଜକଙ୍କ ଆବଶ୍ୟକତା ଅନୁଯାୟୀ ସାଂସ୍କୃତିକ ଦଳ ପଠାଇଥାଏ। କାର୍ଯ୍ୟକ୍ରମ ପରିବେଷଣ ପରେ ବିଭାଗ ସିଧାସଳଖ ସାଂସ୍କୃତିକ ଦଳକୁ ଅର୍ଥ ଦିଏ। କଳାକାରଙ୍କୁ ମଞ୍ଚ ଯୋଗାଇବା ଓ ସେମାନଙ୍କୁ ସିଧାସଳଖ ଆର୍ଥିକ ସହଯୋଗ ଯୋଗାଇବା ତଥା କଳାର ପ୍ରଚାରପ୍ରସାର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମସ୍ତ କାରବାର ଅଫ୍‌ଲାଇନ୍‌ରେ ଚାଲୁଥିବାରୁ ଏହା ସମୟସାପେକ୍ଷ ହୁଏ। ଏପରିକି କଳାକାରମାନଙ୍କୁ ବହୁ ବିଳମ୍ବରେ ପ୍ରାପ୍ୟ ମିଳୁଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ସେହିପରି କିଛି ସାଂସ୍କୃତିକ ଦଳ ଅଧିକ ସୁଯୋଗ ପାଉଥିଲା ବେଳେ କିଛି ଦଳ ଥରେ ଦୁଇ ଥର ସୁଯୋଗ ପାଇବା ବି କଷ୍ଟକର ହୋଇପଡ଼େ। ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଏହି ସମସ୍ୟା ଆଉ ରହିବ ନାହିଁ ବୋଲି ବିଭାଗ ଆଶା ରଖିଛି।

ସମ୍ବନ୍ଧିତ ଖବର