ବିଭିନ୍ନ ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନ ତାରିଖ ଘୁଞ୍ଚାଇଲା ଏନ୍‌ଟିଏ

ଭୁବନେଶ୍ୱର : ବିଭିନ୍ନ ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଘୁଞ୍ଚାଇ ଦେଇଛି କିମ୍ବା ଏଥିରେ ସଂଶୋଧନ କରିଛି। କୋଭିଡ-୧୯ କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ପରୀକ୍ଷା ନିମନ୍ତେ ଅନଲାଇନ ଆବେଦନପତ୍ର ଦାଖଲ ତାରିଖ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟଲ ନିଶଙ୍କ ଏନଟିଏକୁ ପରାମର୍ଶ ଦେଇଥିଲେ। ଏନସିଏଚଏମ ଜେଇଇ-୨୦୨୦, ଇଗ୍‌ନୋରେ ପିଏଚଡି ନାମଲେଖା ପରୀକ୍ଷା, ଆଇସିଏମଆର-୨୦୨୦, ଜେଏନୟୁ ପ୍ରବେଶିକା ପରୀକ୍ଷାର ଆବେଦନ ସମୟ ସୀମାକୁ ମେ’ ୧୫ ଯାଏ ବଢ଼ାଇ ଦିଆଯାଇଛି। ଅଲ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ ଟେଷ୍ଟ ପାଇଁ ଜୁନ ୫ ଯାଏ ବୃଦ୍ଧି କରାଯାଇଛି। ଅନଲାଇନ ଆବେଦନ ଅପରାହ୍‌ଣ ୪ଟା ଓ ଆବେଦନ ଶୁଳ୍କ ରାତି ୧୧ଟା ୫୦ ପର୍ଯ୍ୟନ୍ତ ଦାଖଲ କରାଯାଇପାରିବ। ଆବଶ୍ୟକ ଶୁଳ୍କ କ୍ରେଡିଟ/ଡେବିଟ/ନେଟ ବ୍ୟାଙ୍କିଙ୍ଗ/ୟୁପିଆଇ କିମ୍ବା ପେଟିଏମ ଜରିଆରେ ପଇଠ କରାଯାଇପାରିବ। ମେ’ ୧୫ ପରେ ସ୍ଥିତିକୁ ଆକଳନ କରାଯିବା ପରେ ଆଡମିଟ କାର୍ଡ ଡାଉନଲୋଡ କରିବା ଏବଂ ପରୀକ୍ଷାର ସଂଶୋଧିତ ତାରିଖ ସମ୍ପର୍କରେ ବିସ୍ତୃତ କାର୍ଯ୍ୟସୂଚୀ ସମ୍ପୃକ୍ତ ପରୀକ୍ଷାର ୱେବସାଇଟ୍ ଏବଂ www.nta.ac.in <http://www.nta.ac.in> ରେ ଉପଲବ୍ଧ ହୋଇପାରିବ। ଠିକ ସମୟରେ ସଦ୍ୟତମ ପରିବର୍ତ୍ତନ ସମ୍ପର୍କରେ ଏନଟିଏ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବ।

ସମ୍ବନ୍ଧିତ ଖବର