ରାଜ୍ୟପାଳଙ୍କୁ ନିମନ୍ତ୍ରଣ ପାଇଁ ଅନ୍‌ଲାଇନ୍ ଆବେଦନ

ଭୁବନେଶ୍ବର: ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜ୍‌ମେଣ୍ଟ୍‌’ ସଫ୍ଟୱେର୍ ଆପ୍ଲିକେସନ୍ ଗତ ଫେବ୍ରୁଆରି ମାସରୁ କାର୍ଯ୍ୟକାରୀ ହୋଇଛି। ଏହି ଆପ୍ଲିକେସନ୍ ମାଧ୍ୟମରେ ଇଚ୍ଛୁକ ସଂସ୍ଥାମାନେ ତାଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଉପସ୍ଥିତି ପାଇଁ ଅନ୍‌ଲାଇନ୍ ଆବେଦନ କରିପାରିବେ। କାର୍ଯ୍ୟକ୍ରମ ଦିବସ ଠାରୁ ୬୦ ଦିନ ପୂର୍ବରୁ ଓ ୨୫ ଦିନ ପୂର୍ବ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରାଯାଇପାରିବ। ରାଜଭବନରେ ଏହା କାର୍ଯ୍ୟକ୍ରମର ୨୦ ଦିନ ପୂର୍ବରୁ ପହଞ୍ଚିବା ଦରକାର।

ରାଜଭବନରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ଆବେଦନକାରୀ www.rajbhavanodisha.gov.in ର ହୋମ୍ ପେଜ୍‌ର ଡାହାଣ ପଟେ ରାଜଭବନ ପ୍ରୋଗ୍ରାମ ମ୍ୟାନେଜ୍‌ମେଣ୍ଟ୍‌ର ଲିଙ୍କ୍‌କୁ ଯାଇ ପ୍ରଥମେ ୟୁଜର୍ ମାନୁଆଲ୍ ଓ ଏସ୍‌ଓପିକୁ ଡାଉନ୍‌ଲୋଡ୍‌ କରି ଆପ୍ଲିକେସନ୍ ବିଷୟରେ ବୁଝି ସେହି ଅନୁଯାୟୀ ଅନ୍‌ଲାଇନ୍‌ରେ ଆବେଦନ କରିବେ। ଆବେଦନରେ କାର୍ଯ୍ୟକ୍ରମ ଓ ସଂସ୍ଥା ସମ୍ପର୍କିତ ଆବଶ୍ୟକ ତଥ୍ୟ ପୂରଣ କରି ପଠାଇବା ପରେ ‌ଏହି ଆବେଦନପତ୍ରର ପ୍ରିଣ୍ଟ୍‌ ଆଉଟ୍‌ ସଂଗ୍ରହ କରିବେ ଏବଂ ଏହି ବାର୍‌କୋଡ୍‌ ଯୁକ୍ତ ଆବେଦନ ପତ୍ରରେ ଦସ୍ତଖତ କରି ସଂସ୍ଥାର ଲେଟର୍‌ ପ୍ୟାଡ୍‌ରେ ସାଦା ଦରଖାସ୍ତ ସହ ରାଜଭବନକୁ ପଠାଇବେ। ରାଜଭବନରେ ଏହା ପ୍ରୋସେସିଂ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ଅଥବା‌ ଅଗ୍ରାହ୍ୟ ନିଷ୍ପତ୍ତି ଏସ୍‌ଓପିର ସମୟସୀମା ଅନୁସାରେ ସଂପୃକ୍ତ ସଂସ୍ଥାର କର୍ମକର୍ତ୍ତାଙ୍କୁ ମୋବାଇଲ୍‌ରେ ମେସେଜ୍ ଆକାରରେ ଜଣାଇ ଦିଆଯିବ। ଏହି ଆପ୍‌କୁ ବ୍ୟବହାର କରି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଆବେଦନ କରିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର