ଭୁବନେଶ୍ବର : ଦୂରଦୂରାନ୍ତରେ ରହୁଥିବା ଅଭିଯୋଗକାରୀ ସୂଚନା କମିସନରଙ୍କ ପାଖରେ ହେଉଥିବା ପ୍ରତ୍ୟେକ ଶୁଣାଣିରେ ଉପସ୍ଥିତ ହୋଇପାରୁ ନାହାନ୍ତି। ଟଙ୍କା ଖର୍ଚ୍ଚ କରି ଗରିବ ଲୋକମାନେ ବାରମ୍ବାର ଆସିବା ସମ୍ଭବ ହେଉନାହିଁ। ଏଭଳି ଅଭିଯୋଗ ସୂଚନା କମିସନରଙ୍କ ନିକଟରେ ପହଞ୍ଚିବା ପରେ ଏଥର ଭିଡିଓ କନ୍ଫରେନ୍ସିଂ ଜରିଆରେ ଆବେଦନକାରୀ ଶୁଣାଣିରେ ଉପସ୍ଥିତ ହେବାକୁ ଯୋଜନା ହୋଇଛି। ଏନେଇ ଓକାକ୍କୁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଖୁବ୍ଶୀଘ୍ର ଏହି ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ନିଜ ମୋବାଇଲ୍ ଜରିଆରେ ଆବେଦନକାରୀ ଶୁଣାଣିରେ ଉପସ୍ଥିତ ରହିପାରିବେ। ତା’ ଛଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଏନ୍ଆଇସିରେ ଅଭିଯୋଗକାରୀ ଉପସ୍ଥିତ ହୋଇ ଶୁଣାଣିରେ ଭାଗ ନେଇପାରିବେ ବୋଲି କୁହାଯାଇଛି। ଏଥିପାଇଁ ଓକାକ୍ ଭିତ୍ତିଭୂମି ପ୍ରସ୍ତୁତ କରୁଛି।
ସୂଚନାଯୋଗ୍ୟ, ସୂଚନା ଅଧିକାର ବଳରେ ତଥ୍ୟ ହାସଲ କରିବା ବେଳେ ଅନେକ ସରକାରୀ ଅଧିକାରୀ ଆବେଦନକାରୀଙ୍କୁ ତଥ୍ୟ ଦିଅନ୍ତି ନାହିଁ। ଫଳରେ ଅନେକ ଆବେଦନକାରୀ କମିସନରଙ୍କ ପାଖରେ ଆବେଦନ କରିଥାନ୍ତି। ଆବେଦନର ଶୁଣାଣି ମାସ ମାସ ଧରି ଚାଲିଥାଏ। ଏଣୁ ଦୂର ଜାଗାରୁ ଆବେଦନକାରୀ ଆସିବାରେ ଖର୍ଚ୍ଚାନ୍ତ ହୋଇଥାଏ। ତା’ ଛଡ଼ା ଆବେଦନକାରୀ ପହଞ୍ଚି ନପାରିଲେ ଅନେକ ଆବେଦନର ଏକପାଖିଆ ନିଷ୍ପତ୍ତି ହୋଇଥାଏ। ଏଭଳି ଅନେକଥର ଘଟିବା ପରେ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ସୂଚନା କମିସନରଙ୍କୁ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆବେଦନକାରୀକୁ ଶୁଣାଣିରେ ସାମିଲ ହେବା ପାଇଁ ଏଭଳି ସୁଯୋଗ ସୃଷ୍ଟି କରାଯାଇଛି।