ଭୁବନେଶ୍ୱର : ରାଜ୍ୟର ୩୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ରେ ଅନଲାଇନ୍ ଜରିଆରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ କରାଯିବ। ବିଶେଷକରି ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ସୁବିଧା ମିଳିପାରିବ। ଜନ୍ମ/ମୃତ୍ୟୁର ଡିଜିଟାଇଜେସନ୍ ହେବା ସହିତ ସ୍ବଚ୍ଛତା ଆସିପାରିବ। ଗତମାସଠାରୁ ଏହାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି।
ପୂର୍ବରୁ ସହରାଞ୍ଚଳରେ ୧୦୪ଟି ସ୍ଥାନରେ ଅନଲାଇନ୍ରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କରାଯାଉଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯଦି ଆବେଦନକାରୀଙ୍କ ଆବେଦନପତ୍ର ଠିକ୍ ରହିଛି ତା’ ହେଲେ ଘରେ ବସି ଆବେଦନକାରୀ ଏହାକୁ ଡାଉନଲୋଡ୍ କରିପାରିବେ। ତେବେ ଗ୍ରାମାଞ୍ଚଳରେ ପୂର୍ବରୁ ଏଭଳି କୌଣସି ସୁବିଧା ନାହିଁ। ଏ ଦୃଷ୍ଟିରୁ ସ୍ବାସ୍ଥ୍ୟ ବିଭାଗର ୩୧୪ଟି ସିଏଚ୍ସିରେ ଅନଲାଇନ୍ ଜରିଆରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଏଚ୍ସିର ମେଡିକାଲ ଅଫିସର ହେଉଛନ୍ତି ଏହାର ରେଜିଷ୍ଟ୍ରାର। ସେଠାରେ ସେଣ୍ଟ୍ରାଲ ରେଜିଷ୍ଟ୍ରେସନ୍ ସିଷ୍ଟମ୍ (ସିଆରଏସ୍)ରେ କାର୍ଯ୍ୟ ହେଉଛି। ମାତ୍ର ସେଠାରେ ଲୋକମାନଙ୍କୁ ଆବେଦନ କରିବାର ସୁବିଧା ନାହିଁ। ମାତ୍ର ଏବେ ଲୋକମାନେ ସିଧାସଳଖ ଆବେଦନ କରିବା ସହିତ ସାର୍ଟିଫିକେଟ୍ ମଧ୍ୟ ଡାଉନ୍ଲୋଡ୍ କରିପାରିବେ।
୨୦୧୪ ମସିହାରେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ନିଷ୍ପତ୍ତି ହୋଇଥିଲା। ଏବେର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଉଦ୍ୟମରେ ଏହା ଆରମ୍ଭ ହୋଇଥିଲା। ଏବେ ଓକାକ୍ ପକ୍ଷରୁ ଏସବୁ ପାଇଁ କମ୍ପ୍ୟୁଟର, ପ୍ରିଣ୍ଟର ଓ ସ୍କାନର ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଛି। ଏହାସହ କର୍ମଚାରୀମାନଙ୍କୁ ଏଥିପାଇଁ ତାଲିମ ପ୍ରଦାନ କରାଯାଉଛି। ଲୋକାର୍ପଣ ପୂର୍ବରୁ ୨ରୁ ଅଧିକ ସିଏଚ୍ସିରେ ଏହାର ପରୀକ୍ଷଣ କରାଯିବ। ଜନ୍ମ/ମୃତ୍ୟୁ ପଞ୍ଜୀକରଣ ଅନଲାଇନ୍ରେ ହେବା ଦ୍ବାରା ଏହାର ଡିଜିଟାଇଜେସନ୍ ସହଜ ହୋଇପାରିବ। ବିଶେଷକରି ଜନ୍ମ/ମୃତ୍ୟୁର ପଞ୍ଜୀକରଣ, ସାର୍ଟିଫିକେଟ୍ ପ୍ରଦାନ, ରିପୋର୍ଟିଂ, କାଗଜପତ୍ର କାମ ଯଥେଷ୍ଟ ହ୍ରାସ ପାଇବା ସହିତ ସ୍ବଚ୍ଛତା ଆସିପାରିବ। ତେବେ ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟ ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଖାଲି ପଡ଼ିଥିବା ସ୍ଥାନରେ ୧୦୬ଜଣ କ୍ଲର୍କଙ୍କୁ ନିଯୁକ୍ତି ଦିଆଯିବ। ତେବେ କୋର୍ଟରେ ରହିତାଦେଶ ଯୋଗୁଁ ନିଯୁକ୍ତି ବିଳମ୍ବ ହୋଇଥିଲା। ମାତ୍ର ନିକଟରେ ଏହାର ସମାଧାନ ହୋଇପାରିଛି।
ଏହାସହ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ବା ମେଡିକାଲ ସାର୍ଟିଫିକେସନ୍ ଅଫ୍ କଜେସ୍ ଅଫ୍ ଡେଥ୍କୁ ମଧ୍ୟ ଡିଜିଟାଇଜେସନ୍ କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ୟୁନିସେଫ୍ ପକ୍ଷରୁ ଏଥିପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ରାଜ୍ୟରେ ଏମ୍ସିସିସିଡିକୁ ବୃଦ୍ଧି କରିବା ଲାଗି ଏକ କମିଟି ଗଠନ କରାଯାଇଛି। ଯେଉଁ ସ୍ଥାନ ଗୁଡ଼ିକରେ କମ୍ ସଂଖ୍ୟକ ସାର୍ଟିଫିକେସନ୍ ହେଉଛି ତାହାକୁ ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ସ୍ବାସ୍ଥ୍ୟାନୁଷ୍ଠାନ୍ ବାଦ୍ ଘରେ ଯେଉଁ ମୃତ୍ୟୁ ହେଉଛି ସଂପୃକ୍ତ ବ୍ୟକ୍ତି ଜଣକ କେଉଁ ରୋଗରେ ପ୍ରାଣ ହରାଇଲେ ତାହା କିଭଳି ଜାଣିପାରିବେ ସେଥିଲାଗି ଏନ୍ଏଚ୍ଏମ୍ ପକ୍ଷରୁ ତାଲିମ୍ ଦିଆଯିବ। ଏଥିରେ ଆଶା, ସ୍ବାସ୍ଥ୍ୟ କର୍ମୀ(ପୁରୁଷ, ମହିଳା)ଙ୍କୁ ୧୦ଟି ପଏଣ୍ଟରେ ତାଲିମ ପ୍ରଦାନ କରାଯିବ। ଯାହାଫଳରେ ରାଜ୍ୟରେ ମାତ୍ର ଏବେ ୧୩ ପ୍ରତିଶତ ମୃତ୍ୟୁର ସାର୍ଟିଫିକେସନ୍ ହୋଇପାରୁଥିବା ବେଳେ ଆଗକୁ ତାହା ବୃଦ୍ଧି ପାଇବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶା ପ୍ରକଟ କରିଛି। ତେବେ ସହରାଞ୍ଚଳରେ ଅନଲାଇନ୍ ବ୍ୟବସ୍ଥା ସତ୍ବେ ସାର୍ଟିଫିକେଟ୍ ପ୍ରଦାନରେ ବହୁ ସମସ୍ୟା ଦେଖାଦେଉଛି। ହସ୍ପିଟାଲ ଗୁଡ଼ିକରେ ହେଉଥିବା ଜନ୍ମ/ମୃତ୍ୟୁର କାଗଜ ପ୍ରଦାନ କରାଯିବା ସମୟରେ ଅନେକ ତ୍ରୁଟି ଦେଖିବାକୁ ମିଳୁଛି। ଯାହାଫଳରେ ଆବେଦନକାରୀଙ୍କ ସହିତ ହସ୍ପିଟାଲରୁ ଆସିଥିବା କାଗଜର ତାଳମେଳ ରହୁନାହିଁ। ଫଳରେ ଆବେଦନକାରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ହସ୍ପିଟାଲରେ ଯେପରି ନିର୍ଭୁଲ ଭାବେ ଜନ୍ମ/ମୃତ୍ୟୁର କାଗଜପତ୍ର ପ୍ରଦାନ କରାଯିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ନିୟମିତ ବ୍ୟବଧାନରେ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/baby-1.jpg)