କଟକ: ମେ ୧୦ତାରିଖରୁ କଟକର ଏସ୍‌ସିବି ‌ବଡ଼ ମେଡିକାଲ ଆଉଟଡୋର୍‌ (ଓପିଡି)ରେ ରୋଗୀ ଦେଖାଇବା ପାଇଁ ଆରମ୍ଭ ହେବ ଅନ୍‌ଲାଇନ୍‌ ଟିକେଟ୍ ବୁକିଂ ବ୍ୟବସ୍ଥା। ଏଥିପାଇଁ www.eswasthya.odisha.gov.in ପୋର୍ଟାଲକୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଓପିଡି ଟିକେଟ୍‌ ରେଜିଷ୍ଟ୍ରେସନ୍‌ର ସୁବିଧା ପାଇପାଇ ପାରିବେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ। ଏହି ବ୍ୟବସ୍ଥା ସଂପର୍କରେ ଏସ୍‌ସିବି ରେଜିଷ୍ଟ୍ରାର (ଆଡ୍‌ମିନିଷ୍ଟ୍ରେସନ୍‌) ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି। କଟକ ବଡ଼ ମେଡିକାଲରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଆସୁଥିବା ରୋଗୀ ଗୁରୁତର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଦୂରଦୂରାନ୍ତରୁ ଆସି ଏଠାରେ ଲମ୍ବା ଲାଇନ୍‌ରେ ଅପେକ୍ଷା କରିବାକୁ ପଡେ। ରାତି ଅଧରୁ ବି ଟିକେଟ କାଟିବାକୁ କାଉଣ୍ଟର ଆଗରେ ଧାଡ଼ି ଦିଆଯିବା ଦୃଶ୍ୟ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛି। ବର୍ତ୍ତମାନ ହେବାକୁ ଯାଉଥିବା ଅନଲାଇନ୍ ଟିକେଟ୍ ବୁକିଂ ବ୍ୟବସ୍ଥା ଏହି ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଉଛି। ରୋଗୀ ଅନ୍‌ଲାଇନ୍ ମାଧ୍ୟମରେ ନିଜ ଟିକେଟ୍ ବୁକିଂ କରିପାରିବେ ଏବଂ ରୋଗୀର ସୁବିଧା ଅନୁଯାୟୀ ଯେ କୌଣସି ସ୍ଥାନରୁ ଏହାର ପ୍ରିଣ୍ଟ୍ ବାହାର କରିପାରିବେ ।

Advertisment

ଓଇଏଚ୍‌ଏମ୍‌ଆଇଏସ୍‌ (OeHMIS) ପ୍ରକଳ୍ପ ମାଧ୍ୟମରେ ଏହି ସୁବିଧା ଯୋଗାଇ ଦିଆଯିବ ଓ ସିଡାକ୍‌ ମାଧ୍ୟମରେ ଏହାର ରକ୍ଷଣାବେକ୍ଷଣ କରାଯିବ। ଏସ୍‌ସିବି କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି। ଏବଂ ଏହି ସୁବିଧା ରୋଗୀଙ୍କ ପାଇଁ ସୁବିଧା ହେବ ବୋଲି ଡକ୍ଟର ରାଉତ୍‌ ସୂଚନା ଦେଇଛନ୍ତି। ରୋଗୀ ଯେକୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ଅନଲାଇନ୍ ପଞ୍ଜୀକରଣ କରିପାରିବେ। ଅନ୍ୟପଟେ ଅଫ୍‌ଲାଇନ୍‌ ବ୍ୟବସ୍ଥା ପୂର୍ବଭଳି ଜାରି ରହିବ ବୋଲି ଡକ୍ଟର ରାଉତ ସୂଚନା ଦେଇଛନ୍ତି। ଏପ୍ରିଲ ୪ ତାରିଖରେ ଏସ୍‌ସିବିର ନୂତନ ପ୍ରଶାସନିକ ଅଧିକାରୀ ଭାବେ ଡକ୍ଟର ରାଉତ କାର୍ଯ୍ୟଭାର ଗ୍ରହଣ କରିବା ଦିନ ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ ହେବ ବୋଲି ‘ସମ୍ବାଦ’କୁ ତାଙ୍କ ପ୍ରତିକ୍ରିୟାରେ ଜଣାଇଥିଲେ। ଅନ୍ୟପଟେ ରାଜ୍ୟର ଏମ୍‌କେସିଜି ମେଡିକାଲ କଲେଜରେ ଗତ ମାସରୁ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇସାରିଛି।