ଦୁବାଇ-ଭୁବନେଶ୍ୱର ବିମାନସେବା ଆଗେଇଲା ପାଦେ, ଆସନ୍ତାକାଲିଠାରୁ ଆରମ୍ଭ ହେବ ଅନଲାଇନ ବୁକିଂ

ମେ ୧୫ରୁ ଉଡ଼ିବ ପ୍ରଥମ ବିମାନ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଦୁବାଇ-ଭୁବନେଶ୍ୱର ବିମାନସେବା ଆସନ୍ତା ମେ ୧୫ରୁ ଆରମ୍ଭ ହେବ | ତେବେ ଆସନ୍ତାକାଲି ଉତ୍କଳ ଦିବସ ଅବସରରେ ଏହି ବିମାନସେବା ପାଇଁ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହେବ | ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ ଟିକେଟ ବୁକିଂ ସେବା ଆରମ୍ଭ କରିବାକୁ ଥିବାବେଳେ ମେ ୧୫ ତାରିଖରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ବିମାନବନ୍ଦରରୁ ଦୁବାଇ ଅଭିମୁଖେ ବିମାନ ଉଡାଣ ଆରମ୍ଭ ହେବ |

ଉଲ୍ଲେଖ ଥାଉ କି ପୂର୍ବରୁ ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ବର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ସ୍ଥିର ହୋଇଥିଲା । ମାର୍ଚ୍ଚ ୫ ତାରିଖ ସଂଧ୍ୟା ୬ଟା ୪୫ ମିନିଟ୍‌ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଇଣ୍ଡିଗୋ ବିମାନ ଦୁବାଇ ଯାତ୍ରା ଆରମ୍ଭ କରିବା ସହିତ ୯ଟା ୪୫ ମିନିଟ୍‌ରେ ଦୁବାଇରେ ପହଞ୍ଚିବ ବୋଲି ସ୍ଥିର ହୋଇଥିଲା |

କିନ୍ତୁ ଏହା କୌଣସି କାରଣରୁ ସମ୍ଭବ ହୋଇପାରି ନଥିଲା | ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ କ୍ୟାବିନେଟ୍‌ରେ ଭୁବନେଶ୍ବରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଥିଲା। ବିମାନ ଚଳାଚଳ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଯାହା ଟିକେଟ୍‌ ବିକ୍ରି ହେବ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ମିଳିବ ବୋଲି ସ୍ଥିର କରାଯାଇଥିଲା |

ସମ୍ବନ୍ଧିତ ଖବର