ବାରିପଦା : ହାତାହାତି ଲାଞ୍ଚ ନେଲେ ଧରାପଡ଼ିବାର ସମ୍ଭାବନା ଅଧିକ। ତେଣୁ ଲାଞ୍ଚ ନେବାର ତରିକା ଏବେ ବଦଳାଇଛନ୍ତି ଅସାଧୁ ସରକାରୀ ଅଧିକାରୀ ଓ କର୍ମଚାରୀ। ଏବେ ଅନ୍ଲାଇନ୍ରେ ଚାଲୁଛି ଲାଞ୍ଚ କାରବାର। ଫୋନ୍ ପେ, ଗୁଗୁଲ ପେ ଭଳି ଅନ୍ଲାଇନ୍ ପେମେଣ୍ଟ ଆପ୍ ଜରିଆରେ ଟଙ୍କା ନିଆଯାଉଛି। ମୟୂରଭଞ୍ଜ ଜିଲ୍ଲାର ୫ ଜଣ ବିଡିଓ ଓ ୧୮ ଜଣ ଯନ୍ତ୍ରୀ ଏହି ତରିକାରେ ଠିକାଦାରଙ୍କଠାରୁ ମୋଟା ଅଙ୍କର ପୂଜା ଚାନ୍ଦା ନେଇ ଏବେ ଭିଜିଲାନ୍ସ ନଜରକୁ ଆସିଛନ୍ତି।
ସୂଚନା ଅନୁସାରେ, ଦଶହରା ପୂର୍ବରୁ ଏହି ଟିମ୍ ବିଭିନ୍ନ ଜିଲ୍ଲାର ଲାଞ୍ଚୁଆ ସରକାରୀ ବାବୁଙ୍କ ଗତିବିଧ ଉପରେ ନଜର ରଖିଥିଲା। ଏହି ଆଧାରରେ ମୟୂରଭଞ୍ଜ ଜିଲ୍ଲାର ୫ ଜଣ ବିଡିଓ ଓ ୧୮ ଜଣ ଯନ୍ତ୍ରୀ ଏହି ତରିକାରେ ଠିକାଦାରଙ୍କଠାରୁ ମୋଟା ଅଙ୍କର ପୂଜା ଚାନ୍ଦା ନେଇଥିବା ଭିଜିଲାନ୍ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଜିଲ୍ଲାର ଜଣେ ବିଡିଓ ୩ ଜଣ ଠିକାଦାରଙ୍କଠାରୁ ୩ ଲକ୍ଷ ଟଙ୍କା ନେଇଥିବା ବେଳେ ଅନ୍ୟ ୪ ଜଣ ବିଡିଓ କେତେ ଟଙ୍କା ନେଇଛନ୍ତି, ତା’ର ପରିମାଣ ଜଣାପଡ଼ିନଥିବା ସେ କହିଛନ୍ତି। ୩ ଲକ୍ଷ ଟଙ୍କା ନେଇଥିବା ବିଡିଓ ଜଣକ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ କାମ କରୁଥିଲେ। ସେଠାରେ ଦୁର୍ନୀତି କରିବାରୁ ତାଙ୍କ ବିରୋଧରେ ଉପରକୁ ରିପୋର୍ଟ କରିଥିଲେ ସେଠାକାର ଜିଲ୍ଲାପାଳ। ଫଳରେ ଉକ୍ତ ଓଏଏସ୍ ଅଧିକାରୀଙ୍କୁ ମୟୂରଭଞ୍ଜ ଜିଲ୍ଲାକୁ ବଦଳି କରାଯାଇଥିଲା। ତେବେ ଏଠାରେ ବି ସେ ଦୁର୍ନୀତିରେ ଲିପ୍ତ ଥିବା ଭିଜିଲାନ୍ସ ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ବାକି ୪ ଜଣ ପଦୋନ୍ନତିରେ ବିଡିଓ ହୋଇଛନ୍ତି ଏବଂ ମାସକୁ ମାସ ଠିକାଦାରଙ୍କଠାରୁ ଚାନ୍ଦା ନେଉଛନ୍ତି। ଦଶହରା ସମୟରେ ଏମାନେ ଧରାପଡ଼ିବା ଭୟରେ ପେମେଣ୍ଟ ଆପ୍ ଜରିଆରେ ଟଙ୍କା ନେଇଥିବା ସେ କହିଛନ୍ତି।
ସେହିପରି ୫ ଜଣ ନିର୍ବାହୀଯନ୍ତ୍ରୀ, ୭ ଜଣ ସହକାରୀ ଯନ୍ତ୍ରୀ ଓ ୬ ଜଣ କନିଷ୍ଠଯନ୍ତ୍ରୀ ମଧ୍ୟ ୧୩ ଜଣ ଠିକାଦାରଙ୍କ ପାଖରୁ ଟଙ୍କା ନେଇଛନ୍ତି। ଏସଂକ୍ରାନ୍ତରେ ଭିଜିଲାନ୍ସ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଦେଣନେଣ ସମ୍ପର୍କିତ ପ୍ରମାଣ ଯୋଗାଡ଼ କରୁଛି ବୋଲି ସଂପୃକ୍ତ ଅଧିକାରୀଜଣକ କହିଛନ୍ତି।
ଏହି ଖବର ଏବେ ପ୍ରାଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଜିଲାନ୍ସ ସେମାନଙ୍କ ପଛରେ ପଡ଼ିଥିବା ଜାଣିବା ପରେ ସରକାରୀ ବାବୁମାନେ ଛାନିଆ ହୋଇ ପଡ଼ିଛନ୍ତି। ତେବେ ସେମାନେ ଧରାପଡ଼ୁଛନ୍ତି ନା ଚକ୍ମା ଦେଇ ଖସିଯାଉଛନ୍ତି, ତାହା ଦେଖିବାକୁ ବାକି ରହିଛି।