ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜର ପରୀକ୍ଷା ଓ ଅଫଲାଇନ୍ ପାଠପଢ଼ା ବନ୍ଦ

ଭୁବନେଶ୍ବର: ରାଜ୍ୟ ସରକାର ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ଓ ସାପ୍ତାହିକ ସଟଡାଉନ୍ ଭଳି ପଦକ୍ଷେପ ନେବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି  ଓ କଲେଜ ଅଧ୍ୟକ୍ଷମାନଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର।

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜର ପରୀକ୍ଷା ଓ ଅଫଲାଇନ୍‌ ପାଠପଢ଼ା ବନ୍ଦ ରହିବ। ୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ବନ୍ଦ ହେବ ଏବଂ ଖାଲି କରାଯିବ। ସିଲାବସ ଶେଷ ହେବା ପର୍ଯ୍ୟନ୍ତ ଅନଲାଇନରେ କ୍ଲାସ କରାଯିବ। ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଚାଲିବ। ରୋଟେସନ ଭିତ୍ତିରେ ଶୈକ୍ଷିକ ଓ ପ୍ରଶାସନିକ କାର୍ଯ୍ୟ ହେବ। ଶିକ୍ଷକମାନେ ଅନଲାଇନରେ କ୍ଲାସ ନେବେ । ଯେଉଁମାନେ ଅଫିସ ନ ଆସିବେ ଘରେ ରହି କାମ କରିବେ। ଜରୁରୀ ଆବଶ୍ୟକତା ପଡିଲେ, ଯେଉଁମାନେ ଘରେ ରହି କାମ କରୁଛନ୍ତି, ସେମାନଙ୍କୁ ଡକା ଯାଇ ପାରିବ। ମେଡିକାଲ ସମ୍ପୃକ୍ତ ପାଠ୍ୟକ୍ରମରେ ଏହା ଲାଗୁ କରାଯିବ ନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ ହେବ ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର