କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟର ଘରେ ବସି ପଞ୍ଜୀକରଣ

ଭୁବନେଶ୍ବର : ଏଣିକି ଘରେ ବସି କରିହେବ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟର ପଞ୍ଜୀକରଣ। ନିଜ କମ୍ପ୍ୟୁଟର୍‌ ଜରିଆରେ ଜଣେ ଦରଖାସ୍ତ ଆବେଦନ କରିବା ସହ ନବୀକରଣ ମଧ୍ୟ କରିପାରି‌ବେ। ଏ ସଂକ୍ରାନ୍ତୀୟ ଅନଲାଇନ୍ ବ୍ୟବସ୍ଥାକୁ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍‌ଘାଟନ କରିଥିବା ବେଳେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ରାଜ୍ୟରେ ୧୯୯୦ ମସିହାରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ କାର୍ଯ୍ୟକାରୀ ହୋଇଛି। ଏହି ଆଇନ ବଳରେ ପ୍ରାୟ ୧୮ଶହ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟର ପଞ୍ଜୀକରଣ କରାଯାଇଛି। ପଞ୍ଜୀକରଣ ଦାୟିତ୍ବ ଏବେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ତେବେ ଏହି ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଘରେ ବସି ପଞ୍ଜୀକରଣ ସହ ଅଗ୍ନିସେବା ପାଇଁ ଯେଉଁ ବିଳମ୍ବ ହେଉଥିଲା, ତାହା ଏବେ ଦୂର ହୋଇପାରିବ। ଏହାଦ୍ବାରା ୩୦ ଶଯ୍ୟାରୁ କମ୍ ଆଇସିୟୁ ନଥିବା ୩ ମହଲାରୁ କମ୍ ଓ ୧୨ମିଟର ଉଚ୍ଚତା ମଧ୍ୟରେ ଥିବା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟମା‌ନେ ସତ୍ୟପାଠ ଦେଇ ପଞ୍ଜୀକରଣ କରିପାରିବେ। ଆଜିର ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର