ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଅଣ୍ଟା ଭିଡ଼ିଲେ, ଗାଁକୁ ଯାଇ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ

ଦୁଇ ଦିନରେ ଆକ୍ସନ ପ୍ଲାନ ଦେବେ ଡିଇଓ, ପ୍ରତି ସପ୍ତାହରେ ଦୁଇଟି ସମୀକ୍ଷା ବୈଠକ

ଭୁବନେଶ୍ବର : କୋଭିଡ୍‌ର ତୃତୀୟ ଲହର ପାଇଁ ୫ତାରିଖରୁ କ୍ଲାସରୁମ୍‌ ପାଠପଢ଼ା ବନ୍ଦ ରହିଛି। କ୍ଲାସ ହେଉନାହିଁ କି ପିଲା ଆସୁନାହାନ୍ତି। ଘରେ ପଢ଼ୁଛନ୍ତି କି ନାହିଁ ତାହାର ବି କୌଣସି ଖବର ଅନ୍ତର ନାହିଁ। ୧୪ଦିନ ହେଲା ଏଭଳି ସ୍ଥିତି ଲାଗି ରହିବା ପରେ ଆଜି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଅନ୍‌ଲାଇନ୍‌ ପାଠପଢ଼ାର ସମୀକ୍ଷା କରିଛନ୍ତି। ୯ମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା କିଭଳି ଓ କେମିତି ଚାଲିଛି, ସେନେଇ ନିର୍ଦ୍ଦେଶକ ଶ୍ରୀ ସାହୁ ୩୦ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ସହ ବିଚାରବିମର୍ଶ କରିଛନ୍ତି। କ୍ଲାସରୁମ୍‌ ଶିକ୍ଷା ବନ୍ଦ ଥିବାରୁ ଅନ୍‌ଲାଇନ୍‌ ଶିକ୍ଷାକୁ କିଭଳି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ଆଲୋଚନା କରିବା ସହ ଆସନ୍ତା ଦୁଇ ଦିନ ମଧ୍ୟରେ ନିଜ ନିଜର ଆକ୍ସନ ପ୍ଲାନ ପ୍ରସ୍ତୁତ କରି ନିର୍ଦେଶାଳୟକୁ ପଠାଇବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ପୁଣିଥରେ ୟୁ-ଟ୍ୟୁବ୍‌ ପାଠପଢ଼ାକୁ ସଚଳ କରାଯିବ। ୯ମ ଓ ଦଶମ ଶ୍ରେଣୀ ପାଇଁ ୟୁ-ଟ୍ୟୁବ୍‌ ପାଠପଢ଼ା ଚାଲିଥିଲେ ମଧ୍ୟ ସବୁ ପିଲା ତାହାକୁ ଦେଖୁନାହାନ୍ତି। ପୂର୍ବବର୍ଷ ୟୁ-ଟ୍ୟୁବ୍‌ ପାଠପଢ଼ା ସମୟରେ ପ୍ରତି ବିଷୟରେ ଲକ୍ଷାଧିକ ଛାତ୍ରଛାତ୍ରୀ ଥିବା ବେଳେ ଏଥର ହଜାରେ ଦୁଇ ହଜାର ମଧ୍ୟରେ ସୀମିତ ରହୁଛି। ପିଲାମ‌ାନେ କିମ୍ବା ସେମାନଙ୍କ ଅଭିଭାବକ ଆଗ୍ରହ ଦେଖାଉ ନାହାନ୍ତି। ତେଣୁ ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟିତ୍ରୀ ପିଲା ଓ ଅଭିଭାବକଙ୍କୁ ୟୁ-ଟ୍ୟୁବ୍‌ ପାଠପଢ଼ା ସମ୍ପର୍କରେ ସଚେତନ କରାଇବାକୁ କୁହାଯାଇଛି। ବିଶେଷକରି ଉପାନ୍ତ ଅଞ୍ଚଳ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। କାରଣ ଖୋର୍ଧା, କଟକ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ବାଲେଶ୍ବର, ସମ୍ବଲପୁର, ବଲାଙ୍ଗୀର, ସୋନପୁର ପରି ଜିଲ୍ଲାରେ ଅନ୍‌ଲାଇନ୍‌ କିମ୍ବା ବିକଳ୍ପ ପାଠପଢ଼ା ବେଳେ ପିଲାଙ୍କ ଉପସ୍ଥାନ ଭଲ ରହିଛି। ବିଭିନ୍ନ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ମିଳୁଛି। ମାତ୍ର ଉପାନ୍ତ ଜିଲ୍ଲାଗୁଡ଼ିକରେ ଅନ୍‌ଲାଇନ୍‌ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ତେଣୁ ଛାତ୍ରଛାତ୍ରୀ ପାଖରେ ଯେଉଁ ମାଧ୍ୟମରେ ଶିକ୍ଷା ପହଞ୍ଚିପାରିବ ତାହାକୁ ଉପଲବ୍ଧ କରାଇବାକୁ କୁହାଯାଇଛି। ଯେଉଁଠି ଅନ୍‌ଲାଇନ୍‌ ଶିକ୍ଷା ପହଞ୍ଚି ପାରୁନାହିଁ, ସେଠାରେ ଶିକ୍ଷକ/ଶିକ୍ଷୟିତ୍ରୀ ଗାଁକୁ ଯାଇ ପିଲାଙ୍କୁ ପଢ଼ାଇବେ। କୋଭିଡ୍‌ କଟକଣା ମଧ୍ୟରେ କମ୍‌ ପିଲାଙ୍କୁ ଏକାଠି କରି ଶିକ୍ଷା ଦେବେ। ଗାଁରେ ହେବାକୁ ଥିବା ପାଠପଢ଼ାରେ ବେଶି ପିଲା ଯେପରି ଭାଗ ନ ନିଅନ୍ତି, ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର