ଅନ୍‌ଲାଇନ୍‌ରେ ପଢ଼ୁଛନ୍ତି ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ

ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ୨୧୪ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ର ୫୯ ହଜାର ୯୩୧ ଜଣ ଛାତ୍ରଛ‌ାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଗୁଗୁଲ ମିଟ୍‌, ଗୁଗୁଲ ହ୍ୟାଣ୍ଡ ଆଉଟ୍‌, ଜୁମ୍‌ ଓ ହ୍ବାଟସ୍‌ଆପ୍‌ ମାଧ୍ୟମରେ ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ଏହାକୁ ଅଧିକ ସୁଦୃଢ଼ ପାଇଁ ୩ଟି ଅନ୍‌ଲାଇନ୍‌ ହବ୍‌ ଯଥା କେନ୍ଦ୍ରୀୟ, ଉତ୍ତର ଓ ଦକ୍ଷିଣ ଜୋନ୍‌ରେ ବିଭକ୍ତ କରାଯାଇ ଅନ୍‌ଲାଇନ୍‌ରେ ମନିଟରିଂ ହେଉଛି। ପ୍ରତି ସପ୍ତାହରେ ଗୋଟିଏ ମିଟିଂ କରାଯାଇ ପାଠପଢ଼ାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ କୁମାର ସାହୁ, ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ ଓଏଭିର ମୁଖ୍ୟ କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ପ୍ରତ୍ୟେକ ଗୁରୁବାର ଓ ଶୁକ୍ରବାର ସମସ୍ତ ନୋଡାଲ ପ୍ରିନ୍ସିପାଲମାନଙ୍କ ସହ ଭିଡିଓ କଲ୍‌ ମାଧ୍ୟମରେ ସମୀକ୍ଷା ଓ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ଏଥିସହ ଅଧ୍ୟୟନ ସମ୍ପର୍କିତ ପାଠ୍ୟକ୍ରମ ପ୍ରସ୍ତୁତ ନେଇ ନୋଡାଲ ମୁଖ୍ୟଙ୍କ ସହ ଆଲୋଚନା ହେଉଛି। ଛାତ୍ରଛାତ୍ରୀ ମଧ୍ୟ ଏଭଳି ବ୍ୟବସ୍ଥାର ଭରପୂର ଫାଇଦା ଉଠାଇବା ସହ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଥିବା ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ଜଣାପଡ଼ିଛି।

ଜୁମ୍‌ ଆପ୍‌ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ରାଜ୍ୟର ୨୧୪ଟି ଓଏଭିର ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଓଏଭି ସଙ୍ଗଠନର ଉପଦେଷ୍ଟା ଶ୍ରୀ ସାହୁ ଓ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଶ୍ରୀ ପଣ୍ଡାଙ୍କ ଦିଗଦର୍ଶନ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତତ୍ତ୍ବାବଧାନ ଓ ନିଷ୍ଠା ଶିକ୍ଷା କ୍ଷେତ୍ରରେ ଏକ ନୂତନ ପ୍ରୟାସ ଆଣିପାରିଛି। ଶିକ୍ଷାଦାନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ରାଜ୍ୟ, ଦେଶ ଓ ବିଶ୍ବର କରୋନା ସ୍ଥିତି ସମ୍ପର୍କରେ ଅବଗତ କରାଯାଉଛି। ଏହାପରେ ଗୁଗୁଲ ମିଟ୍‌ ଆପ୍‌ ଓ ହ୍ବାଟସଆ‌ପ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ପାଠପଢ଼ା ସହ ପରୀକ୍ଷା କରାଯାଇ ସଙ୍ଗେ ସଙ୍ଗେ ଫଳ ମଧ୍ୟ ଜଣାଇ ଦିଆଯାଉଛି। ଏଥିସହ ସହ ଶିକ୍ଷଣ କାର୍ଯ୍ୟକଳାପରେ ବି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଉଛି। ଫଳରେ ନୂତନ ଢାଞ୍ଚାରେ ପାଠପଢ଼ା ଆରମ୍ଭର ମାର୍ଗଦର୍ଶନ ହୋଇପାରିଛି। ୬୦ରୁ ୭୦ ପ୍ରତିଶତ ଛାତ୍ରଛାତ୍ରୀ ଏହି ଅନ୍‌ଲାଇନ୍‌ ମାଧ୍ୟମରେ ଘରେ ରହି ପଢ଼ି ପାରୁଛନ୍ତି।

ଉପଦେଷ୍ଟା ଶ୍ରୀ ସାହୁ କହିଛନ୍ତି ଯେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ। ଲକ୍‌ଡାଉନ୍‌ ସମୟରେ ପିଲାମାନେ ଯେପରି ପାଠପଢ଼ା ଛାଡ଼ି ନ ଦିଅନ୍ତି, ସେଥିପାଇଁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରାଯାଉଛି। ପଖାପାଖି ୮୦ପ୍ରତିଶତ ପିଲା ଉପକୃତ ‌ହୋଇଛନ୍ତି। ଆଗାମୀ ଦିନରେ ସବୁ ଛାତ୍ରଛାତ୍ରୀ କିଭଳି ଯୋଡ଼ି ହୋଇପାରିବେ, ସେ ନେଇ ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର