ସରକାରୀ ବିଦ୍ୟାଳୟରେ ଏମିତି ଚାଲିଛି ଅନ୍‌ଲାଇନ୍‌ ଶିକ୍ଷା : ୩୮ ଲକ୍ଷ ପିଲା ଅନ୍‌ଲାଇନ୍‌ ଶିକ୍ଷାଦାନରୁ ବଞ୍ଚିତ

ଭୁବ‌ନେଶ୍ବର : ପ୍ରଥମେ ହ୍ବାଟସ୍‌-ଆପ୍‌ରେ ପାଠପଢ଼ା। ତା’ପରେ ଦୂରଦର୍ଶନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା। ମଧୁ ଆପ୍‌, ଦୀକ୍ଷା ପୋର୍ଟାଲ୍‌‌ ମାଧ୍ୟମରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା ବି କରାଗଲା। ଏହାପରେ ବି ସରକାରୀ ବିଦ୍ୟାଳୟରେ ପ୍ରଥମରୁ ୧୦ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା‌ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ମାତ୍ର ୩୬% ଅର୍ଥାତ୍‌ ୨୨ ଲକ୍ଷ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଢ଼ୁଛନ୍ତି। ଆହୁରି ୩୮ଲକ୍ଷ ତଥା ୬୪% ଛାତ୍ରଛାତ୍ରୀ ତିନି ମାସ ହେଲା ଅନ୍‌ଲାଇନ୍‌ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି।

ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ ବନ୍ଦ ରହିଛି। ତେ‌ଣୁ ଅନ୍‌ଲାଇନ୍‌ ତଥା ଡିଜିଟାଲ ଶିକ୍ଷା ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଜନା କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏପ୍ରିଲ ମାସରେ ଭୁବନେଶ୍ବର ଓ ଖୋର୍ଧା ଜିଲ୍ଲାରେ ଆରମ୍ଭ ହୋଇଥିଲା। କିଛି ମାତ୍ରାରେ ସଫଳତା ମଧ୍ୟ ମିଳିଥିଲା। ଯେଉଁଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ହ୍ବାଟସ୍‌-ଆପ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ କୁହାଗଲା। ଶ୍ରେଣୀ ଅନୁଯାୟୀ ହ୍ବାଟସ୍‌-ଆପ୍‌ ଗ୍ରୁପ୍‌ ଗଢ଼ି ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି। ତା’ପରେ ବି କେତେକ ସ୍ଥାନରେ ତ୍ରୁଟିବିଚ୍ୟୁତି ରହୁଛି। କେଉଁଠି ବିଷୟବସ୍ତୁ ଛାତ୍ରଛାତ୍ରୀ ପାଇପାରୁ ନାହାନ୍ତି ତ ଆଉ କେଉଁଟି ପାଠ୍ୟପୁସ୍ତକରେ ଥିବା ତଥ୍ୟ ହ୍ବାଟସ୍‌- ଆପ୍‌ରେ ଉପଲବ୍ଧ ହେଉନି। ଯେଉଁ ସମୟରେ ଶିକ୍ଷକ/ଶିକ୍ଷୟିତ୍ରୀ ଅନ୍‌ଲାଇନ୍‌ରେ ପଢ଼ାଉଛନ୍ତି, ସେ ସମୟରେ ପିଲାମ‌ା‌ନେ ଉପଲବ୍ଧ ହେଉନାହାନ୍ତି। ଏଭଳି କିଛି ସମସ୍ୟା ଦେଖାଦେବାରୁ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କମିଟି ଗଠନ କରାଯାଇ ତ୍ରୁଟି ତଥା ସମସ୍ୟାକୁ ଅନୁଧ୍ୟାନ କରି ବିଷୟବସ୍ତୁର ରୂପରେଖ ପ୍ରସ୍ତୁତ କରିବାକୁ କୁହାଯାଇଛି।

Virtual Vocations

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ସହରାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି। ଭୁବନେଶ୍ବର ସମେତ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ବର, ଅନୁଗୁଳ, ବ୍ରହ୍ମପୁର, ଜୟପୁର, ପୁରୀ, ବାରିପଦା ପରି ସହରରେ ଥିବା ସରକାରୀ ବିଦ୍ୟାଳୟର ୫୦ ପ୍ରତିଶତ ଛାତ୍ରଛାତ୍ରୀ ହ୍ବାଟସ୍‌-ଆପ୍‌, ମଧୁ ଆପ୍‌ ଓ ଦୀକ୍ଷା ପୋର୍ଟାଲ୍‌ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି। ଗ୍ରାମାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ବହୁ କମ୍‌ ଛାତ୍ରଛାତ୍ରୀ ହ୍ବାଟସ୍‌-ଆପ୍‌ରେ ଶିକ୍ଷା ଗ୍ରହଣ କରୁଛନ୍ତି। ନେଟ୍‌ୱାର୍କ ସୁବିଧା ନ ହେବା, ସବୁ ଅଭିଭାବକଙ୍କ ନିକଟରେ ଅଣ୍ଡ୍ର‌ଏଡ୍‌ ଫୋନ୍‌ ଉପଲବ୍ଧ ନ ହେବା କାରଣରୁ ବହୁ ପିଲା ଅନ୍‌ଲାଇନ୍‌ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଶିକ୍ଷା ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଜାଣି ନାହାନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ୨୨ଲକ୍ଷ ପିଲାଙ୍କ ନିକଟରେ ଆମେ ପହଞ୍ଚି ପାରିଛୁ। ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ କିଭଳି ଯୋଡ଼ା ଯାଇପାରିବ, ସେଥିପାଇଁ ୩ଟି ତଦାରଖ କମିଟି ଗଠନ ହୋଇଛି। କମିଟିଗୁଡ଼ିକ ସବୁ ବିଷୟ ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର