ମହାମାରୀ ସମୟରେ ମହଙ୍ଗା ହେଉଛି ଅନ୍‌ଲାଇନ ଶିକ୍ଷା, ବର୍ଦ୍ଧିତ ଡାଟା ଦରକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ-ଅଭିଭାବକ

ସରକାରୀ କଟକଣାର ଫାଇଦା ‌ଉଠାଉଛନ୍ତି ଟେଲିକମ୍‌ ସଂସ୍ଥା

ବାଲେଶ୍ବର: କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ସରକାରଙ୍କ ଅନେକ କାର୍ଯ୍ୟକ୍ରମ ଏବେ ଅନ୍‌ଲାଇନ ମାଧ୍ୟମରେ କରାଯାଉଛି। ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଚାଲୁଥିବା ବେଳେ ବାକି କର୍ମଚାରୀ ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ କୁହାଯାଇଛି। ଏପରିକି ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନିର୍ବାଚନୀ ସଭା ଓ ସମାବେଶ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କରାଯିବା ସହ ସୋସିଆଲ ମିଡିଆରେ ପ୍ରଚାରପ୍ରସାର କରି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି। ଏହି କ୍ରମରେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖାଯାଇ ପିଲାମାନଙ୍କୁ ଅନ୍‌ଲାଇନ ପାଠ ପଢ଼ାଯାଉଛି। ତେବେ ଏଭଳି ପ୍ରତିକୂଳ ପରିସ୍ଥିତିର ଫାଇଦା ନେବାକୁ ଯାଇ ଟେଲିକମ୍‌ ସଂସ୍ଥାମାନେ ସେମାନଙ୍କ ରିଚାର୍ଜ ମୂଲ୍ୟକୁ ଅହେତୁକ ବୃଦ୍ଧି କରିବା ଗ୍ରାହକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

କରୋନା ସମୟରେ ସ୍କୁଲ ବନ୍ଦ ରହିଥିବାବେଳେ ଅନେକ ପିଲା ଅନ୍‌ଲାଇନ୍‌ ଟ୍ୟୁସନ ଉପରେ ନିର୍ଭରଶୀଳ ହୋଇଛନ୍ତି। ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପାଇଁ ଗୋଟିଏ ଲେଖାଏଁ ମୋବାଇଲ ଫୋନର ମଧ୍ୟ ବ୍ୟବସ୍ଥା କରାଇଛନ୍ତି। ଏପରି ସ୍ଥଳେ ଅନଲାଇନ୍ ପାଠପଢ଼ା ସବୁଠୁ ଅଧିକ ବ୍ୟୟସାପେକ୍ଷ ହୋଇଛି। ଟ୍ୟୁସନ ଶିକ୍ଷକଙ୍କ ମାସିକ ଦେୟଠାରୁ ଆରମ୍ଭ କରି ବର୍ଦ୍ଧିତ ଡାଟା ରିଚାର୍ଜ ପର୍ଯ୍ୟନ୍ତ ସବୁଠି ଟଙ୍କା ଗଣି ଅଭିଭାବକମାନେ ମୁଣ୍ଡରେ ହାତ ଦେଲେଣି। ସବୁଠୁ ବହୁଳ ବ୍ୟବହାର ହେଉଥିବା ଜିଓ, ଏୟାରଟେଲ ଓ ଭିଆଇ(ଭୋଡ଼ାଫୋନ୍‌ ଆଇଡିଆ) ଗତ ନଭେମ୍ବର ଏବଂ ଡିସେମ୍ବର ମାସରେ ସେମାନଙ୍କ ରିଚାର୍ଜ ମୂଲ୍ୟକୁ ୨୦ରୁ ୨୫ ପ୍ରତିଶତ ଲେଖାଏଁ ବୃଦ୍ଧି କରିଛନ୍ତି। ଏହା ନିମ୍ନ ମଧ୍ୟବିତ୍ତ କଣ, ମଧ୍ୟବିତ୍ତ ପରିବାରବର୍ଗ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବି ବାଧୁଛି। ଗୋଟିଏ ଦିନରେ ଯଦି ଅତି କମ୍‌ରେ ସ୍କୁଲ ଓ ଟ୍ୟୁସନ୍‌କୁ ମିଶାଇ ୨/୩ଟି କ୍ଲାସ୍(୪୫ ମିନିଟ୍ ଲେଖାଏଁ) କରାଯାଉଛି ତେବେ ୧ ଜିବିରୁ ୧.୫ଜିବି ଡାଟା ନିଅଣ୍ଟ ହେଉଛି। ଅଧିକାଂଶ କ୍ଲାସ ଜୁମ୍‌ ଓ ଗୁଗଲ ମିଟ୍‌ରେ କରାଯାଉଥିବାରୁ ସେଥିରେ ଭିଜୁଆଲ ମୋଡ୍‌ ରହିଲେ ଆହୁରି ଅଧିକ ଡାଟା ମଧ୍ୟ ଆବଶ୍ୟକ ପଡ଼ୁଛି। ବେଳେ ବେଳେ ଅଧା କ୍ଲାସରୁ ଡାଟା ସରିଗଲେ ସଙ୍ଗେ ସଙ୍ଗେ ପୁଣି ଡାଟା ଆଡ୍‌ଅନ୍‌ରେ ରିଚାର୍ଜ କରିବାକୁ ପଡ଼ୁଛି।

ସୂଚନାଯୋଗ୍ୟ, ଯଦି ଜିଓ କମ୍ପାନିର ସିମ୍‌ ବ୍ୟବହାର କରୁଥିବା ଗ୍ରାହକମାନଙ୍କ କଥା କହିବା ସେମାନେ ଡିସେମ୍ବର ୧ ତାରିଖ ପୂର୍ବରୁ ଦିନକୁ ୧.୫ ଜିବି ଡାଟା ପାଇଁ ୨୮ ଦିନକୁ ୨୪୯ ଟଙ୍କାର ରିଚାର୍ଜ କରୁଥିବା ବେଳେ ଡିସେମ୍ବର ୧ ପରେ ସେହି ପ୍ଲାନ୍‌ର ରିଚାର୍ଜ ମୂଲ୍ୟ ୨୯୯ ଟଙ୍କା ହୋଇଯାଇଛି। ସେହିପରି ଏହି ପ୍ଲାନରେ ୫୬ ଦିନକୁ ୩୯୯ ଟଙ୍କାର ରିଚାର୍ଜ ମୂଲ୍ୟ ୪୭୯ ଟଙ୍କା ହୋଇଥିବା ବେଳେ ୮୪ ଦିନକୁ ୫୯୮ ଟଙ୍କାର ରିଚାର୍ଜ ମୂଲ୍ୟ ୭୧୯ ଟଙ୍କା ବୃଦ୍ଧି ପାଇଛି। ଏହା ପୂର୍ବରୁ ନଭେମ୍ବର ମାସରେ ଏୟାରଟେଲ ଓ ଭିଆଇ ଟେଲିକମ୍‌ ସଂସ୍ଥା ମଧ୍ୟ ‌ତାଙ୍କ ରିଚାର୍ଜ ମୂଲ୍ୟ ଏହିଭଳି ବୃଦ୍ଧି କରିସାରିଛନ୍ତି। ବର୍ତ୍ତମାନ ବିକଳ୍ପ ବ୍ୟବସ୍ଥା କିଛି ନଥିବାରୁ ଅଭିଭାବକମାନେ ନିଜ ପିଲାମାନଙ୍କ ଭବିଷ୍ୟତ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରି ଅଧିକ ଡାଟା ପ୍ଲାନ୍ ପକାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।

ଏନେଇ ରାଜବଗିଚା ଅଞ୍ଚଳର ସସ୍ମିତା ହରିଚନ୍ଦନ ନାମକ ଜଣେ ଅଭିଭାବକଙ୍କ କହିବା ମୁତାବକ କରୋନା କାଳରେ ଟ୍ୟୁସନ୍‌ ଏବଂ ସ୍କୁଲ ଫି ଆଦି ବୃଦ୍ଧି ପାଇଥିବା ବେଳେ ମୋବାଇଲର ବର୍ଦ୍ଧିତ ରିଚାର୍ଜ ମୂଲ୍ୟ ତାଙ୍କୁ ଚିନ୍ତାରେ ପକାଇଛି। ସ୍କୁଲରେ ପଢ଼ୁଥିବା ତାଙ୍କର ଦୁଇଝିଅଙ୍କ ପାଇଁ ଟ୍ୟୁସନ୍‌ ବାବଦରେ ମାସକୁ ୬ହଜାର ଟଙ୍କା ତାଙ୍କୁ ଖର୍ଚ୍ଚ ଦେବାକୁ ପଡ଼ୁଥିବା ବେଳେ ଅନ୍‌ଲାଇନ ଶିକ୍ଷା ପାଇଁ ମୋବାଇଲରେ ୬୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ସରକାର କରୋନା ସମୟରେ ଅନଲାଇନ୍‌ ଶିକ୍ଷାକୁ ଗୁରୁତ୍ବ ଦେଇଥିବା ବେଳେ ଟେଲିକମ୍‌ କମ୍ପାନିଗୁଡ଼ିକ ଏହି ମଉକାରେ ଗ୍ରାହକଙ୍କୁ ଶୋଷଣ କରିବା ଆରମ୍ଭ କରିଦେଇଛନ୍ତି। ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ନଦେଲେ ମହାମାରୀ ସମୟରେ ସାଧାରଣ ଓ ମଧ୍ୟବିତ୍ତ ପରିବାରର ଅଭିଭାବକମାନେ ଆଗାମୀଦିନ‌େର ଆହୁରି ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ବାଧ୍ୟ ହେବେ। ସେହିପରି ସୋର ବାଗୁଡ଼ି ସ୍ଥିତ ନବୋଦୟ ବିଦ୍ୟାଳୟରେ ପଢ଼ୁଥିବା ଆୟେଶା ଅର୍ପିତା ନାମକ ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ସ୍କୁଲ ଓ ଟ୍ୟୁସନ୍‌କୁ ମିଶାଇ ପ୍ରତିଦିନ ସେ ୩/୪ ଘଣ୍ଟା ଅନ୍‌ଲାଇନ କ୍ଲାସ କରୁଛନ୍ତି। ସହରରେ ରହି ବି ଅଧିକାଂଶ ସମୟରେ ନେଟ୍‌ୱାର୍କ ପ୍ରୋବ୍ଲେମ୍‌ ରହୁଛି। ‌ଟେଲିକମ୍‌ ସଂସ୍ଥାଗୁଡ଼ିକ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଥିବା ବେଳେ ଏ ଅବ୍ୟବସ୍ଥା ପ୍ରତି ଯତ୍ନବାନ ନଥିବାରୁ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର